ପବରେ ଲାଗିଥିବା ନିଆଁ ଭିତରୁ ମହିଳାଙ୍କୁ କାନ୍ଧରେ ବୋହି କନେଷ୍ଟବଳ ୭ ମହଲାରୁ ତଳକୁ ଆଣିଥିଲେ

ମୁମ୍ବାଇ: ମୁମ୍ବାଇର କମଳା ମିଲ୍‌ସ କମ୍ପାଉଣ୍ଡରରେ ଅବସ୍ଥିତ ୨ଟି ରେସ୍ତୋରାଁରେ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କ ପ୍ରାଣହାନି ହୋଇଥିଲା। ଏମାନଙ୍କ ମଧ୍ୟରୁ ୧୧ଜଣ ମହିଳା ଥିଲେ ବୋଲି ଜଣାପଡ଼ିଛି।  ଏହି ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ କରୁଥିବା ଜଣେ କନେଷ୍ଟବଳଙ୍କ ଫଟୋ ସୋସିଆଲ ମିଡିଆରେ  ଭାଇରାଲ ହୋଇଛି। ତାଙ୍କ ନାମ ସୁଦର୍ଶନ ସିନ୍ଦେ ବୋଲି ଜଣାପଡ଼ିଛି। ସୁଦର୍ଶନଙ୍କ ସାହସିକ ପଦକ୍ଷେପ ଯୋଗୁଁ ସେ ପ୍ରଶଂସିତ ହୋଇଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଅଗ୍ନିକାଣ୍ଡ ଘଟିବା ସମ୍ପର୍କରେ ଖବର ମିଳିବା ମାତ୍ରେ ବର୍ଲି ପୁଲିସ ଷ୍ଟେସନ୍‌ର କର୍ମଚାରୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପହଞ୍ଚି ଯାଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ କନେଷ୍ଟବଳ  ସୁଦର୍ଶନ ସିନ୍ଦେ ଘଟଣାସ୍ଥଳରେ ପହଞ୍ଚି କୌଣସି ଷ୍ଟ୍ରେଚରର ସାହାଯ୍ୟରେ ନ ନେଇ ପବ୍ ଭିତରକୁ ଯାଇ ମୃତଦେହଗୁଡ଼ିକୁ ବାହାର କରିଥିଲେ। ଏଥିସହିତ ଅନେକ ଗୁରୁତରଙ୍କ ଜୀବନ ମଧ୍ୟ ବଞ୍ଚାଇ ଥିଲେ।

ତେବେ ମୃତଦେହକୁ ସୁଦର୍ଶନ ନିଜ କାନ୍ଧରେ ବୋହି ଆଣୁଥିବା ସମୟରେ କେହିଜଣେ ସେହି ସମୟର ଦୃଶ୍ୟକୁ କ୍ୟାମେରାରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଛି। ଏଥିରୁ ସୁଦର୍ଶନଙ୍କ ସାହସିକତା ଦେଖି ମୁମ୍ବାଇ ମେୟର ତାଙ୍କୁ ସମ୍ମାନିତ ମଧ୍ୟ କରିଛନ୍ତି।

ପୁଲିସ କନେଷ୍ଟବଳ ସୁଦର୍ଶନ ସିନ୍ଦେଙ୍କ କହିବାନୁସାରେ, ‘ଅଗ୍ନିକାଣ୍ଡ ଘଟିବା ସମ୍ପର୍କରେ ଖବର ପାଇବା ମାତ୍ରେ ମୁଁ ତତ୍‌କ୍ଷଣାତ୍‌ ଘଟଣାସ୍ଥଳରେ ଯାଇ ପହଞ୍ଚି ଯାଇଥିଲି। ବର୍ଲି ଷ୍ଟେସନ୍‌ ନିକଟରେ ଥିବା ହେତୁ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ଘଟଣାସ୍ଥଳରେ ଆମେ ଯାଇ ପହଞ୍ଚି ଯାଇଥିଲୁ। ତୁରନ୍ତ ପବ ଉପରକୁ ଯାଇ ନିଆଁରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର କରିବା ଆରମ୍ଭ କରି ଦେଇଥିଲି। ପବର ସବୁଆଡେ ନିଆଁ ଖେଳିଯାଇଥିଲା। ସେଠାରେ ମହିଳା ଚଟାଣରେ ପଡ଼ିଥିବାର ଦେଖିବାକୁ ପାଇଲି। ମୋ ପାଖରେ ସେତେବେଳେ କୌଣସି ପ୍ରକାର ଷ୍ଟ୍ରେଚର ନଥିଲା। ମୁଁ ସାତ ମହଲା କୋଠା ଉପରୁ ମହିଳାଙ୍କୁ କାନ୍ଧରେ ବୋହି ତଳକୁ ନେଇ ଆସିଥିଲି। କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ମହିଳା ବଞ୍ଚି ପାରି ନଥିଲେ।’

ସୂଚନାଯୋଗ୍ୟ, କମଳା ମିଲ୍‌କମ୍ପାଉଣ୍ଡରେ ଥିବା ‘ଓ୍ଵାନ୍‌ ଏବଭ’ ରେସ୍ତୋରାଁ ଏବଂ ମୋଜୋ ପବ୍‌ରେ ଘଟିଥିବା ଅଗ୍ନିକାଣ୍ଡ ପାଇଁ ସୁରକ୍ଷାରେ ଥିବା ତ୍ରୁଟି ହିଁ ଦାୟୀ ବୋଲି ସ୍ପଷ୍ଟ ହୋଇଯିବା ପରେ ଜବରଦଖଲ କରି  ଗଢ଼ିଉଠିଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ଅଭିଯାନ ଆରମ୍ଭ କରିଛି। ଶିବ ସେନା ନେତୃତ୍ୱରେ ପରିଚାଳିତ ମୁମ୍ବାଇ ମହାନଗର ନିଗମ ସହରରେ ସମସ୍ତ ରେସ୍ତୋରାଁଗୁଡ଼ିକରେ ଅଗ୍ନି ସୁରକ୍ଷା ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଏବଂ ୬ଟି ସ୍ଥାନରେ ବେଆଇନ ର୍ନିମାଣକୁ ଭାଙ୍ଗି ଦିଆଯାଇଛି। ଅଗ୍ନିକାଣ୍ଡର ଶିକାର ‘ଓ୍ଵାନ୍‌ ଏବଭ’ ରେସ୍ତୋରାଁର ଦୁଇଜଣ ମାଲିକ ହିତେଶ ସାଙ୍ଗଭି ଏବଂ ଜିଗର ସାଙ୍ଗଭିଙ୍କ ବିରୋଧରେ ପୁଲିସ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର