ଯୁଦ୍ଧଭୂମିରେ କେବଳ ଯବାନ କିମ୍ବା ସେନା ଅଧିକାରୀ ଯେ ଦେଶ ପାଇଁ ପ୍ରାଣବଳି ଦିଅନ୍ତି, ତାହା କହିବା ଠିକ୍ ହେବନାହିଁ। ଶତ୍ରୁଦମନରେ ସେନାରେ କାର୍ଯ୍ୟରତ ସନ୍ଧାନୀ ଶ୍ବାନଙ୍କ ସାହସିକ ଯୋଗଦାନ ଓ ବଳିଦାନ ବି କିଛି କମ୍ ନୁହେଁ। ଭାରତୀୟ ସେନାବାହିନୀର ସନ୍ଧାନୀ ଶ୍ବାନ ସୈନିକ କେଣ୍ଟ୍କୁ ମରଣତ୍ତୋର ଭାବେ ରାଷ୍ଟ୍ରପତିଙ୍କ ଶୌର୍ଯ୍ୟ ସମ୍ମାନ ପ୍ରଦାନ ଏହା ସ୍ମରଣ କରାଇଦିଏ । ୬ ବର୍ଷ ବୟସ୍କା ଲାବ୍ରାଡର୍ ପ୍ରଜାତିର ଶ୍ବାନ କେଣ୍ଟ୍ ହେଉଛି ଭାରତୀୟ ସେନାବାହିନୀର ୨୧ତମ ସେନା ଶ୍ବାନ ସ୍କ୍ୱାଡ୍ର ଜଣେ ସୈନିକ। କେଣ୍ଟ୍ ୯ଟି ଆତଙ୍କବାଦୀ ଅଭିଯାନରେ ଅଂଶ ଗ୍ରହଣ କରି ବିଜୟର ସ୍ୱାଦ ଦେଇଥିଲା ବୋଲି ତତ୍କାଳୀନ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ସ୍ମୃତିଚାରଣ କରନ୍ତି।
ଗତବର୍ଷ େସପ୍ଟେମ୍ବର ମାସରେ ଜମ୍ମୁରେ ଆତଙ୍କବାଦୀ ନିପାତ ଅଭିଯାନ ‘ଅପରେସନ୍ ସୁଜାଲୀଗାଲା’ରେ ସାମିଲ ହୋଇ କେଣ୍ଟ୍ ସ୍ଥଳସେନାର ଏକ ଦଳର ନେତୃତ୍ୱ ନେଇ ସହିଦ ହୋଇଥିଲା। ପ୍ରଥମେ ଆଗକୁ ଆସି ଆତଙ୍କବାଦୀଙ୍କୁ ଆକ୍ରମଣ କରି କେଣ୍ଟ୍ ନିଜ ସେନା ଦଳ ଓ ତା’ର ଦାୟିତ୍ୱରେ ରହିଥିବା ସେନା ପଦାଧିକାରୀଙ୍କ ଜୀବନ ରକ୍ଷା କରିବା ସହିତ ଦେଶର ସୁରକ୍ଷା ପାଇଁ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ପ୍ରାଣବଳି ଦେଇଥିଲା।
କେଣ୍ଟ୍ର ଆକ୍ରମଣ ମଧ୍ୟ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁର କାରଣ ହୋଇଥିଲା। ‘ଅପରେସନ୍ ସୁଜାଲୀଗାଲା’ ଆତଙ୍କବାଦୀ ନିପାତ ଅଭିଯାନରେ ସହିଦ ହୋଇଥିବା ୩୯ ଜଣ ଯବାନଙ୍କ ମଧ୍ୟରେ କେଣ୍ଟ୍ ବି ନିଜ ନାମକୁ ଅମର କରିଛି। ପୂର୍ବରୁ ଦେଶ ପାଇଁ ସହିଦ ହୋଇଥିବା ସେନାବାହିନୀର ଅନ୍ୟ ଲଢୁଆ ବୀର ସନ୍ଧାନୀ ଶ୍ବାନ ସୈନିକ ତାଲିକାରେ ମାନସୀ ଓ ଏକ୍ସଲ୍ ନିଜର ନାମକୁ ଅମର କରିଛନ୍ତି। ମାନସୀ ୨୦୦୫ ମସିହାରେ କଶ୍ମୀରରେ ଏକ ଆତଙ୍କବାଦୀ ଗୋଷ୍ଠୀର ଅନୁପ୍ରବେଶକୁ ଠାବକରି ସେମାନଙ୍କୁ ଆଗୁଆ ଆକ୍ରମଣ କରି ସହିଦ ହୋଇଥିଲା। ମାନସୀ ପାଇଁ ଅନେକ ଯବାନଙ୍କ ଜୀବନ ସୁରକ୍ଷିତ ରହିଥିଲା। ଏଭଳି ବୀରତ୍ୱ ପାଇଁ ମାନସୀକୁ ମଧ୍ୟ ମରଣତ୍ତୋର ଶୌର୍ଯ୍ୟ ସମ୍ମାନ ଦିଆଯାଇଥିଲା। ଏକ୍ସଲ୍ ୨୦୨୨ ମସିହାରେ ଜଣେ ଆତଙ୍କବାଦୀକୁ ଚିହ୍ନିପାରି ଆକ୍ରମଣ କରିବାକୁ ଉଦ୍ୟତ ହେବାବେଳେ ଆତଙ୍କବାଦୀର ଗୁଳିରେ ସହିଦ ହୋଇଥିଲା। ସେହିପରି ୨୦୧୬ ନାଗ୍ରୋଟା ସେନା କେନ୍ଦ୍ର ଆକ୍ରମଣ ଅନୁସନ୍ଧାନରେ ମୁଖ୍ୟ ଭୂମିକା ନିର୍ବାହ କରି ଶ୍ବାନ ସୈନିକ ଡିନୋ ଉଚ୍ଚ ପ୍ରସଂଶିତ ହୋଇଥିଲା।
ସାମରିକ ସେବାରେ ନିଯୁକ୍ତି ପାଇଥିବା ଶ୍ବାନ ସୈନିକମାନଙ୍କୁ ଏନ୍.ସି.ଓ. (ନନ୍ କମିସନ୍ ଅଫିସର୍) ଏବଂ ସେମାନେ ତାଲିମ ନେଉଥିବା (ହ୍ୟାଣ୍ଡେଲର୍) ସେନା ପଦାଧିକାରୀଙ୍କଠାରୁ ଉପର ପଦବିରେ ନିଯୁକ୍ତି ମିଳିଥାଏ। ଅବସରପ୍ରାପ୍ତ ବୀର ଶ୍ବାନ ସୈନିକମାନଙ୍କୁ ମିରଟରେ ଥିବା ଅବସରକାଳୀନ ଗୃହରେ ରଖାଯିବାର ବ୍ୟବସ୍ଥା ଅଛି।