ମହିଳାମାନଙ୍କ ପାଇଁ ସ୍ତନ କର୍କଟ ଏକପ୍ରକାର ମାରାତ୍ମକ ‌େରାଗ। ହେଲେ ଏହାର ବି ଚିକିତ୍ସା ସମ୍ଭବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ସ୍ତନ କର୍କଟ‌ରେ ଘାତକ ବୋଲାଉଥିବା ଟ୍ରିପଲ୍‌-ନେଗେଟିଭ୍‌ ବ୍ରେଷ୍ଟ କ୍ୟାନ୍‌ସର୍‌ (ଟିଏନ୍‌ବିସି)ର ଚିକିତ୍ସା ପାଇଁ କୁଇନ୍‌ସଲାଣ୍ଡ୍‌ର ଅଷ୍ଟ୍ରେ‌ଲିୟାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ବାୟୋଇଂଜିନିୟରିଂ ଆଣ୍ଡ ନାନୋଟେକ୍ନୋଲଜି (ଏଆଇବିଏନ୍‌)ର ଦଳେ ଗବେଷକ ଏକ ଅଭିନବ ଲୌହ ନାନୋପା‌ର୍ଟିକଲ୍‌ ବା ‘ନାନୋ-ଆଜୁଭାଣ୍ଟସ୍‌’ ବିକଶିତ କରୁଛନ୍ତି, ଯାହା ଆକାରରେ ଏତେ ଛୋଟ ଯେ ହଜାର ହଜାର ନାନୋ ପାର୍ଟିକଲ୍‌ସ ଗୋଟିଏ କେଶ ଫାଇବର୍‌ରେ ଲଗାଯାଇପାରିବ ବୋଲି ଉକ୍ତ ରିପୋର୍ଟରୁ ଜଣାଯାଇଛି।

Advertisment

ଅନ୍ୟ ସ୍ତନ କର୍କଟରେ ଇମ୍ୟୁନୋଥେରାପିର ପ୍ରତିଶ୍ରୁତି ସତ୍ତ୍ୱେ, ଟ୍ରିପଲ୍‌-ନେଗେଟିଭ୍‌ ସ୍ତନ କର୍କଟ ବିରୋଧରେ ଏହାର ପ୍ରଭାବ ଅତ୍ୟନ୍ତ ସୀମିତ, ଯାହାକି କମ୍‌ ଫଳପ୍ରଦ ସାବ୍ୟସ୍ତ ‌େହାଇଥାଏ। ଏହାର ବିକଳ୍ପ ଖୋଜାଚାଲିଛି ବୋଲି ଏଆଇବିଏନ୍‌ ପ୍ରଫେସର୍‌ ୟୁ ଚେଙ୍ଗଜୋଙ୍ଗ କହନ୍ତି। ତାଙ୍କ ଅନୁସାରେ, ଟ୍ୟୁମର୍‌ ସୂକ୍ଷ୍ମ ପରିବେଶ ମଧ୍ୟରେ ଟି-କୋଷ ସହିତ କର୍କଟ କୋଷକୁ ଚିହ୍ନିବା ଓ ପ୍ରତିହତ କରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ବ୍ୟବହୃତ ଧଳା ରକ୍ତ କୋଷର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ପାଇଁ ନାନୋପାର୍ଟିକଲ୍‌ସ ଡିଜାଇନ୍‌ କରାଯାଇଛି।  

ଜାତୀୟ ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା ପରିଷଦ ଦ୍ୱାରା ୩ ନିୟୁତ ଅଷ୍ଟ୍ରେଲୀୟ ଡଲାର୍‌ ($୧.୮୯ ନିୟୁତ) ଦ୍ବାରା ଅନୁଦାନପ୍ରାପ୍ତ ଏହି ୫ ବର୍ଷୀୟ ଗବେଷଣା ପ୍ରକଳ୍ପ  ସ୍ତନ କର୍କଟ ଚିକିତ୍ସା ପ୍ରଣାଳୀକୁ ପ୍ରଭାବୀ ଢଙ୍ଗରେ ବିକଶିତ କରିବାକୁ ଲକ୍ଷ୍ୟ ରଖିଛି। କେବଳ ଟିଏନ୍‌ବିସି ପାଇଁ ନୁହେଁ, ବରଂ ଡିମ୍ବାଶୟ କର୍କଟ ଭଳି ଅନ୍ୟାନ୍ୟ ଜଟିଳ କର୍କଟ ରୋଗର କ୍ଲିନିକାଲ୍‌ ପ୍ରୟୋଗ ପାଇଁ ପଥ ପ୍ରଶସ୍ତ କରିପାରିବ ବୋଲି ଆଶା ରହିଛି ବୋଲି ଗବେଷକମାନେ ଦାବି କରିଛନ୍ତି।