ମା’ କ୍ଷୀର ସତରେ କ’ଣ ଶିଶୁ ପାଇଁ ଅପରିହାର୍ଯ୍ୟ?
ଶିଶୁଜନ୍ମର ପୁଲକରେ ଝରିଆସେ ମା’ କ୍ଷୀରର ସ୍ବତଃସ୍ଫୂର୍ତ୍ତ ଅମୃତଧାରା। ପ୍ରକୃତିର ଅନୁପମ ଶ୍ରେଷ୍ଠ ଉପହାରସମ ମା’ କ୍ଷୀର ଶିଶୁର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଅପରିହାର୍ଯ୍ୟ। ସ୍ତନ୍ୟପାନ ଦ୍ବାରା ଶିଶୁର ଶାରୀରିକ, ମାନସିକ, ବୌଦ୍ଧିକ, ଆବେଗିକ ଓ ଆଧ୍ୟାତ୍ମିକ ବିକାଶର ମୂଳଦୁଆ ପଡ଼େ, ତାକୁ ନିରାମୟ ରଖେ। ତେଣୁ ଏଥିରେ ସନ୍ଦେହ ନାହିଁ ଯେ ଏହା ଶିଶୁ ପାଇଁ ଅପରିହାର୍ଯ୍ୟ।
ଏବେ ବିଶ୍ବରେ ସ୍ତନ୍ୟପାନର ସ୍ଥିତି କ’ଣ ରହିଛି?
ସ୍ତନ୍ୟପାନ ପ୍ରତି ଏବେ ବି ଘୋର ଅନାସ୍ଥାଭାବ ପରିଲକ୍ଷିତ ହେଉଛି। ପ୍ରଥମ ୬ ମାସ ଶିଶୁକୁ କେବଳ ମା’ କ୍ଷୀର ଖୁଆଇବାର ଶତ ପ୍ରତିଶତ ହାର ହାସଲ କରିବାର ଲକ୍ଷ୍ୟ ଏଯାଏ ସୁଦୂର ପରାହତ। ପରିସଂଖ୍ୟାନ କହେ, ଏହିପରି ସୌଭାଗ୍ୟଶାଳୀ ଶିଶୁଙ୍କ ସଂଖ୍ୟା ୧୦୦ରେ ମାତ୍ର ୨୫। ସରକାରୀ ପ୍ରୋତ୍ସାହନ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ପରିଣାମସ୍ବରୂପ ହସ୍ପିଟାଲ୍ରେ ପ୍ରସବ ସଂଖ୍ୟା ବଢ଼ିଛି ନିଶ୍ଚୟ, ହେଲେ ନୂତନ ଭାବେ ମା’ ହୋଇଥିବା ମହିଳାମାନଙ୍କ ମଧ୍ୟରୁ ୮୦ ଭାଗ ମା’ କ୍ଷୀର ଦେବା ଆରମ୍ଭ କରନ୍ତି। ତାହା ପୁଣି ଆଂଶିକ ଭାବରେ। ଅର୍ଦ୍ଧାଧିକ ମା’ ଏହି ଅମୃତଧାରାକୁ ବଜାୟ ରଖିପାରନ୍ତି ନାହିଁ। ଏହି ପରିସ୍ଥିତିକୁ ସୁଧାରିବା ‘ବିଶ୍ବ ମାତୃ ସ୍ତନ୍ୟପାନ ସପ୍ତାହ’ ପାଳନର ଉଦ୍ଦେଶ୍ୟ।
‘ବିଶ୍ବ ମାତୃ ସ୍ତନ୍ୟପାନ ସପ୍ତାହ’ କେବେଠାରୁ ଓ କାହିଁକି ପାଳିତ ହେଉଛି?
ମା’ କ୍ଷୀରର ଉପାଦେୟତା ସମ୍ବନ୍ଧରେ ସମାଜର ସବୁ ବର୍ଗର ଲୋକଙ୍କୁ ସଚେତନ କରିବା, ସେମାନଙ୍କ ମଧ୍ୟରେ ଥିବା ସାମାଜିକ, ସାଂସ୍କୃତିକ, ଧାର୍ମିକ, ନୈତିକ ତଥା ଆର୍ଥିକ ପ୍ରତିବନ୍ଧକକୁ ନେଇ ଗଢ଼ି ଉଠୁଥିବା ଭ୍ରାନ୍ତ ଧାରଣାକୁ ଦୂରୀଭୂତ କରିବା ଏବଂ ସର୍ବୋପରି ପରିବାର, ଗୋଷ୍ଠୀ ତଥା କର୍ମସ୍ଥଳୀରେ ମାତୃ ସ୍ତନ୍ୟପାନ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମ୍ପୃକ୍ତ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନର ନିଃସର୍ତ୍ତ ସମର୍ଥନ ହାସଲ କରିବା ଲକ୍ଷ୍ୟ ନେଇ ୧୯୯୨ ମସିହାରୁ ଅଗଷ୍ଟ ପ୍ରଥମ ସପ୍ତାହକୁ ‘ବିଶ୍ବ ମାତୃ ସ୍ତନ୍ୟପାନ ସପ୍ତାହ’ ଭାବେ ପାଳନ କରାଯାଉଛି।
ମା’ କ୍ଷୀର ଶିଶୁ ପାଇଁ କିଭଳି ଉପକାରୀ?
ମା’ କ୍ଷୀର ଶିଶୁର ଏକ ଆବଶ୍ୟକତା ନୁହେଁ, ଏହା ଶିଶୁର ଜନ୍ମଗତ ଅଧିକାର। ଶିଶୁର ଯଥାର୍ଥ ଶାରୀରିକ ବିକାଶ ପାଇଁ ଏହା ସର୍ବାଦୌ ପ୍ରୟୋଜନ। ମା’ କ୍ଷୀରରେ ନିହିତ ‘ଲାକ୍ଟୋଫେରିନ୍’ ଶିଶୁର ଖାଦ୍ୟ ହଜମରେ ସାହାଯ୍ୟ କରେ। ଗାମା ଗ୍ଲୋବ୍ୟୁଲିନ୍ ମା’ର ଆଦ୍ୟ କ୍ଷୀର ତଥା କଷକ୍ଷୀରରେ ବହୁଳ ମାତ୍ରାରେ ଥିବାରୁ ଶିଶୁଟି ବହୁ ସାଧାରଣ ରୋଗ ସାଙ୍ଗକୁ ଡାଇରିଆ, ନିମୋନିଆ ଭଳି ମାରାତ୍ମକ ରୋଗରୁ ସୁରକ୍ଷିତ ରହେ। ଜନ୍ମରୁ ପ୍ରଥମ ୬ ମାସ ଯାଏ ମସ୍ତିଷ୍କର ଦ୍ରୁତ ବିକାଶ ଘଟି ପ୍ରାୟ ଦୁଇ-ତୃତୀୟାଂଶ ସ୍ନାୟବିକ ପରିପକ୍ବତା ଆସିଥାଏ। ମାନବିକ ବୁଦ୍ଧି, ଚିନ୍ତା ଓ ଚେତନାର ବିକାଶ ଏହି ଅବଧିର ସ୍ନାୟବିକ ସଂଗଠନ ଉପରେ ନିର୍ଭର କରେ।
ସ୍ତନ୍ୟପାନ କେବଳ ଶିଶୁ ପାଇଁ ଉପକାରୀ ନା ଏହା ମା’ ପାଇଁ ବି ଲାଭଦାୟକ?
ସ୍ତନ୍ୟପାନ କରାଇବା ଦ୍ବାରା ମା’ ଓ ଶିଶୁର ଭାବଗତ ସମ୍ପର୍କ ଦୃଢ଼ୀଭୂତ ହୁଏ। ମା’ ଦେହରେ ଅଯଥା ଚର୍ବି ଜମେ ନାହିଁ। ଯାହାଫଳରେ ମା’ର ଶାରୀରିକ ସୌନ୍ଦର୍ଯ୍ୟ ଅତୁଟ ରହେ। କ୍ଷୀର ଖୁଆଉଥିବା ମହିଳାଙ୍କର ସ୍ତନ କର୍କଟ, ଡିମ୍ବାଶୟ କର୍କଟ ଓ ଗର୍ଭାଶୟ କର୍କଟର ଆଶଙ୍କା ଯଥେଷ୍ଟ କମିଯାଏ।
ଡାକ୍ତର ପ୍ରଶାନ୍ତ କୁମାର ପାତ୍ର
ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ
ରାଉରକେଲା ସରକାରୀ ଚିକିତ୍ସାଳୟ (ଆର୍ଜିଏଚ୍)
ମୋ: ୯୪୩୭୧୧୧୨୫୮