କୁହାଯାଏ ରକ୍ତଦାନ ମହତ ଦାନ। ବାସ୍ତବରେ ଏହାର ବିକଳ୍ପ ନାହିଁ। ସେହିପରି ଅନ୍ୟ ଏକ ନିର୍ବିକଳ୍ପ ମୂଲ୍ୟବାନ ଜୈବିକ ତରଳ ହେଉଛି ମାଆ କ୍ଷୀର। ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଟେକ୍ସାସ୍ର ଜଣେ ମହିଳା କ୍ଷୀରଦାନରେ ବିଶ୍ବ ରେକର୍ଡ ସ୍ଥାପନ କରି ଏହି ବାର୍ତ୍ତା ପ୍ରସାର କରିଛନ୍ତି। ସେ ମା’ କ୍ଷୀର ଲୋଡୁଥିବା ଶିଶୁମାନଙ୍କୁ ୨,୬୪୫.୫୮ ଲିଟର କ୍ଷୀର ମାଗଣାରେ ଦେଇସାରିଲେଣି। ଏହି ୩୬ ବର୍ଷୀୟା ମହିଳାଙ୍କ ନାମ ଆଲିସେ ଓଗ୍ଲେଟ୍ରି। ୧୪ ବର୍ଷ ତଳେ ପ୍ରଥମ ସନ୍ତାନକୁ ଜନ୍ମ ଦେବା ପରେ ଆଲିସେ ଅନୁଭବ କଲେ ଯେ ପୁଅର ଆବଶ୍ୟକତା ଠାରୁ ଖୁବ୍ ଅଧିକ କ୍ଷୀର ଉତ୍ପନ୍ନ ହେଉଛି। ତାହାକୁ ଫିଙ୍ଗିଦେବା ପରିବର୍ତ୍ତେ ସେ ଜଣେ ନର୍ସଙ୍କ ପାଖରୁ ତାହାକୁ ସଂଗ୍ରହ କରିବାର କୌଶଳ ଶିଖିଲେ ଏବଂ ନର୍ଥ ଟେକ୍ସାସ୍ର ମଦର୍ସ ମିଲ୍କ ବ୍ୟାଙ୍କ୍କୁ କ୍ଷୀର ଦାନ କରିବା ଆରମ୍ଭ କଲେ। ଉକ୍ତ ମିଲ୍କ ବ୍ୟାଙ୍କ୍ର ତଥ୍ୟ ଅନୁଯାୟୀ ଗୋଟିଏ ଲିଟର କ୍ଷୀର ପିଇ ୧୧ ଅପରିପକ୍ବ ନବଜାତ ଶିଶୁ ବଞ୍ଚି ରହିପାରିବେ। ସେହି ହିସାବରେ ଆଲିସେ ଦାନ କରିଥିବା କ୍ଷୀର ୩,୫୦,୦୦୦ ନବଜାତ ଶିଶୁଙ୍କୁ ସାହାଯ୍ୟ କରିସାରିଲାଣି।
ସେ ଏହି ନୂଆ ରେକର୍ଡ କରିବା ଅବସରରେ ‘ଗିନିସ୍ ବିଶ୍ବ ରେକର୍ଡ’କୁ ଦେଇଥିବା ସାକ୍ଷାତ୍କାରରେ କହିଛନ୍ତି, ‘ମୋ ହୃଦୟ ବହୁତ ବଡ଼।
ମୋ ପାଖରେ ବହୁତ ଟଙ୍କା ନାହିଁ, ତେଣୁ ଭଲ କାମ ପାଇଁ ମୁଁ ନିୟମିତ ଆର୍ଥିକ ଦାନ କରିବା ସମ୍ଭବ ନୁହେଁ, କାରଣ ମୋତେ ପରିବାର ଚଳାଇବାକୁ ପଡ଼େ। ତେଣୁ କ୍ଷୀର ଦାନ ଜରିଆରେ ଅନ୍ୟ ମାଆ ଓ ତାଙ୍କ ନବଜାତ ଶିଶୁଙ୍କୁ ସାହାଯ୍ୟ କରି ମୋତେ ସର୍ବାଧିକ ଆତ୍ମସନ୍ତୋଷ ମିଳେ।’ ଆଲିସେ ଆଗକୁ ଅନ୍ୟ ମହିଳାମାନଙ୍କୁ କ୍ଷୀରଦାନର ସକାରାତ୍ମକ ଦିଗ ସମ୍ପର୍କରେ ସଚେତନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ ଅତିରିକ୍ତ କ୍ଷୀର ଉତ୍ପନ୍ନ କରିବା କାରଣରୁ ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇ ନାହିଁ। ନିୟମିତ ପାଣି ପିଇବା, ପୁଷ୍ଟିକର ଆହାର ଗ୍ରହଣ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହନ୍ତି।