୧୯୧୬ର କଥା। ଯୁକ୍ତରାଷ୍ଟ୍ର ଆମେରିକାର ୟୁଟ୍ହା ଅନ୍ତର୍ଗତ ଭର୍ନିଏଲ୍ରେ ଥିବା ଏକ ବ୍ୟାଙ୍କ୍ କର୍ତ୍ତୃପକ୍ଷ, ଏକ ସ୍ଥାୟୀ କୋଠାଘର ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ, ଭର୍ନିଏଲ୍ରେ ଇଟା ମିଳୁ ନ ଥିଲା। ଇଟା ମିଳୁଥିବା ନିକଟବର୍ତ୍ତୀ ସହର ସଲ୍ଟ ଲେକ୍ ସିଟି ଥିଲା ପ୍ରାୟ ୪୦୭ ମାଇଲ୍ ଦୂରରେ। ସେଠାରୁ ଇଟା ଆଣିବା ଥିଲା ଏକ କଷ୍ଟକର ଓ ଖର୍ଚବହୁଳ ବ୍ୟାପାର। କାରଣ ସେତେ ବେଳେ ଭର୍ନିଏଲ୍ ରେଳପଥ ସହ ସ˚ଯୁକ୍ତ ହୋଇ ନ ଥିଲା। କୋଠା ତିଆରି ନିମନ୍ତେ ଯେତିକି ଇଟା ଦରକାର, ତାହାକୁ ଆଣିବା ପାଇଁ ସ୍ଥାନୀୟ ଏକ ସଡ଼କ ପରିବହନ ସ˚ସ୍ଥା ଦାବି କଲା କୋଡ଼ିଏ ହଜାର ପାଉଣ୍ତ୍। ଏତେ ଟଙ୍କା ବ୍ୟୟ କରିବାକୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଚାହୁଁ ନ ଥିଲେ। ସେମାନେ ଡାକ ଯୋଗେ ଇଟା ଆଣିବା ପାଇଁ ଯୋଜନା କଲେ। ତାହା ଦ୍ବାରା ବ୍ୟୟ ଢେର୍ କମ୍ ହେବ ବୋଲି ସେମାନେ ଜାଣିଥିଲେ।
ପ୍ରଚଳିତ ଡାକ ଆଇନରେ ଇଟା ଆସିବାରେ କିଛି ପ୍ରତିବନ୍ଧ ନ ଥିଲା। ପାର୍ସଲ୍ ପଚାଶ ପାଉଣ୍ତ୍ରୁ ଅଧିକ ହେବନାହିଁ ବୋଲି ଯାହା ନିୟମଟିଏ ଥିଲା। ଏଣୁ ସେମାନେ ଦଶ-ଟିକିଆ ପ୍ୟାକେଟ୍ରେ ଇଟା ମଗାଇଲେ। ଏତେ ପରିମାଣର ପ୍ୟାକେଟ୍ ଡାକ ଯୋଗେ ଆସିଲା ଯେ, ଡାକ କର୍ମଚାରୀମାନେ ଅନ୍ୟ କାମ କରିପାରିଲେନାହିଁ। ତଦନ୍ତ ହେବାରୁ ଡାକରେ ଇଟା ପଠାଯାଉଥିବା ଜଣାପଡ଼ିଲା। ଡାକ ବିଭାଗୀୟ ଉଚ୍ଚ-କର୍ତ୍ତୃପକ୍ଷ ଆଇନ ଦେଖି ନିର୍ଦେଶ ଦେଲେ ଯେ, ଜଣେ ପ୍ରାପକଙ୍କ ନିକଟକୁ ଗୋଟିଏ ଦିନରେ ସର୍ବାଧିକ ଦୁଇ ଶହ ପାଉଣ୍ତ୍ ମାଲ ପଠାଯାଇପାରିବ। ଏହା ଦେଖି ବ୍ୟାଙ୍କ୍ କର୍ତ୍ତୃପକ୍ଷ ସମଗ୍ର ଭର୍ନିଏଲ୍ବାସୀଙ୍କୁ ପ୍ରାପକ ବନାଇଦେଲେ। ଡାକ ବିଭାଗ କାନ-ମୁଣ୍ତ ଆଉଁଶି ଚୁପ୍ ରହିବା ଛଡ଼ା ଅନ୍ୟ ଗତି ନ ଥିଲା।