କନ୍ୟା ଦେଉଥିଲା ପରୀକ୍ଷା, ବାହାରେ ଜଗି ରହିଥିଲେ ବରଯାତ୍ରୀ: କହିଲେ ଆଗେ ପାଠପଢ଼ା ତା’ପରେ ଯାଇ ବିବାହ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲା କାଲିଟୋଲା ଗ୍ରାମରେ ବୁଧବାର ବିବାହ ପରେ କନ୍ୟା ଶାଶୁଘରକୁ ଯିବ ନାହିଁ ବୋଲି ମନା କରି ଦେଇଥିବାର ଏକ ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ କନ୍ୟା ଓ ବର ଉଭୟଙ୍କ ପରିବାରରେ ଭାଲେଣି ପଡ଼ି ଯାଇଥିଲା। କିନ୍ତୁ କିଛି ସମୟ ପରେ କନ୍ୟା କାହିଁକି ଶାଶୁ ଘରକୁ ବିଦା ହେବ ପାଇଁ ବୋଲି ମନା କରୁଛି ତାହାର କାରଣ ଜଣାପଡ଼ିଥିଲା ସମସ୍ତ ଦୀର୍ଘ ନିଶ୍ୱାସ ଛାଡି ଆଶ୍ୱସ୍ତି ଅନୁଭବ କରିଥିଲେ।

ଏଭଳି ଏକ ମାମଲା ବାନ୍ଦାର ବବେରୁ ଥାନା ଅଞ୍ଚଳର କାଜିଟୋଲା ଗ୍ରାମରେ ଘଟିଛି। ଅର୍ଚ୍ଚନା ଯାଦବ ନାମକ ଯୁବତୀଙ୍କ ବିବାହ ପରେ ବୁଧବାର ତାଙ୍କର ବିଦାଇ ପାଇଁ ପ୍ରସ୍ତୁତି ଚାଲିଥିଲା। ସେହି ସମୟରେ ସେ ଶାଶୁଘରକୁ ଯିବେ ନାହିଁ ବୋଲି ମନା କରିଦେଇଥିଲେ। ଅର୍ଚ୍ଚନାଙ୍କ ଏଭଳି ନିଷ୍ପତ୍ତି ପରେ କିଛି ସମୟ ପାଇଁ ଦୁଇ ପରିବାର ମଧ୍ୟରେ ଚହଳ ପଡ଼ି ଯାଇଥିଲା। ଅର୍ଚ୍ଚନା ଏଭଳି ନିଷ୍ପତ୍ତି ନେବାର କାରଣ ସେ ବୋର୍ଡ ପରୀକ୍ଷା ଦେବାକୁ ଚାହୁଁଥିଲେ ବୋଲି ଜାଣିବା ପରେ ଦୁଇ ପରିବାର ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା। ଏହାପରେ ବର ଅନୁପ ଓ ଭାଇ ରଜନିଶ ଓ ଅନ୍ୟ କେତେକ ଲୋକ ମିଶି ଅର୍ଚ୍ଚନାଙ୍କୁ କାରରେ ଧରି ପରୀକ୍ଷା କେନ୍ଦ୍ର ଜ୍ୱାଲା ପ୍ରସାଦ ଶର୍ମା ଇଣ୍ଟର କଲେଜ ବବେରୁରେ ପହଞ୍ଚିଥିଲେ।

ପରୀକ୍ଷା କେନ୍ଦ୍ର ବ୍ୟବସ୍ଥାପକ ଡାକ୍ତର ଅନିଲ କୁମାର ସିଂହ କହିଛନ୍ତି, ଯେମିତି ହିଁ ପରୀକ୍ଷା କେନ୍ଦ୍ରରେ ଅର୍ଚ୍ଚନା ପହଞ୍ଚିଛନ୍ତି, ତାଙ୍କୁ ତୁରନ୍ତ ନେଇ ତାଙ୍କ ସ୍ଥାନରେ ବସାଇ ଦିଆଯାଇଥିଲା। ପରୀକ୍ଷା ଦେବା ପରେ ଅର୍ଚ୍ଚନା ତାଙ୍କ ଘରକୁ ଯାଇଥିଲା। ତା’ପରେ ଶାଶୁଘର ଫତେହପୁର ଜିଲ୍ଲାର ଖାଗାକୁ ଅର୍ଚ୍ଚନା ବିଦା ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର