ନୂଆଦିଲ୍ଲୀ: ଡେଷ୍ଟିନେସନ ୱେଡିଙ୍ଗ ସାଧାରଣ କଥା ହୋଇଗଲାଣି। ଆଜିକାଲି ଲୋକେ ବିବାହ ପୂର୍ବରୁ ବିଭିନ୍ନ ଡେଷ୍ଟିନେସନ ସ୍ଥାନକୁ ଯାଇ ଫଟୋ ଉଠାଉଥିବା ବେଳେ ବିବାହ ବି ଏମିତି ଡେଷ୍ଟିନେସନ ସ୍ଥାନକୁ ଯାଇ କରୁଛନ୍ତି। ଏଭଳି ବିବାହର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏକ କମ୍ପାନି ପାଦେ ଆଗକୁ ବଢ଼ିଛି। ସେ ପ୍ରତି କପୁଲ ପିଛା ଏକ କୋଟି ଟଙ୍କା ଖର୍ଚ୍ଚ କରି ମହାକାଶରେ ବିବାହ ସୁବିଧା ଉପଲବ୍ଧ କରାଇବ ବୋଲି ନିକଟରେ ସୂଚନା ଦେଇଛି।
ସ୍ପେସ ପର୍ସପେକ୍ଟିଭ ନାମରେ ଜଣାଶୁଣା ଥିବା କମ୍ପାନି ଘୋଷଣା କରିଛି କି, ସେ କପୁଲମାନଙ୍କୁ ମହାକାଶରେ ବିବାହ କରିବାର ସୁଯୋଗ ଦେବ। ଅର୍ଥାତ ସେ ଏମିତି ଏକ କ୍ୟାପସୁଲ ତିଆରି କରିଛି ଯାହାକି ମଣିଷକୁ ପୃଥିବୀ ଠାରୁ ୧,୦୦,୦୦୦ ଫୁଟ ଉଚ୍ଚକୁ ଉଠାଇ ପୁଣି ତଳକୁ ନେଇ ଆସି ପାରିବ। ଏହି କ୍ୟାପସୁଲକୁ ୨୦୨୪ରେ ଲଞ୍ଚ କରାଯିବ ବୋଲି କୁହାଯାଉଛି। ଲଞ୍ଚ ହେବାପୂର୍ବରୁ ଏହାର ୧,୦୦୦ଟିକେଟ ବିକ୍ରି ହୋଇସାରିଲାଣି।
ଏହି କ୍ୟାପସୁଲରେ ପାଇଲଟ ସମେତ ଆଠଜଣଙ୍କ ପାଇଁ ବସିବା ସୁବିଧା ସହିତ ୱାଇ-ଫାଇ ବ୍ୟବସ୍ଥା ବି ରହିବ। ଏଥିସହିତ ଏହି କ୍ୟାପସୁଲ ଭିତରେ ବର-ବଧୂଙ୍କ ପାଇଁ ବିବାହ ବେଦୀ ସମେତ ଖାଇବା ଓ ପିଇବାର ବି ବନ୍ଦୋବସ୍ତ କରାଯିବ। କେବଳ ଏତିକି ନୁହେଁ ଏହି କ୍ୟାପସୁଲରେ ଡେଷ୍ଟିନେସନକୁ ଯାତ୍ରା କରିବା ପାଇଁ ୬ଘଣ୍ଟାର ସମୟ ଲାଗିବ। ତେଣୁ ଯାତ୍ରୀଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ବି ରହିଛି।