ଫତେହପୁର: ଉତ୍ତରପ୍ରଦେଶର ଫତେହପୁର ଜିଲ୍ଳାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ କନ୍ୟା ନିଜ ବିବାହ ଦିନ ବିବାହ ମଣ୍ଡପରୁ ଅଳଙ୍କାର ଓ ଟଙ୍କା ନେଇ ଫେରାର୍‌ ହୋଇଯାଇଥିବା ସୂଚନା ରହିଛି। ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରି କନ୍ୟାଙ୍କୁ ଖୋଜିବା ଆରମ୍ଭ କରିଛି। ଏପର୍ଯ୍ୟନ୍ତ କନ୍ୟ‌ାଙ୍କର କୌଣସି ଖୋଜ୍‌ ଖବର ମିଳିନାହିଁ।

Advertisment

ବରଙ୍କ ପରିବାର ଲୋକ ହରିଆଣାର କରନାଲ ଜିଲ୍ଲାର ଜୁଣ୍ଡଲା ଗେଟ୍‌ ଅଞ୍ଚଳରେ ରହନ୍ତି। ବାହାଘର ପାଇଁ ସେମାନେ ବିନ୍ଦକି ଆସିଥିଲେ। ସୂଚନାରୁ ପ୍ରକାଶ ଯେ କରନାଲର ବାସିନ୍ଦା ପ୍ରମୋଦ ଓ ବିନ୍ଦକି ବାସିନ୍ଦା ଯୁବତୀଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆରୁ ପ୍ରେମ ହୋଇଥିଲା।

ଦୁହଁଙ୍କ ମଧ୍ୟରେ ଭଲପାଇବା ଏତେ ଆଗକୁ ଯାଇଥିଲା ଯେ ଯୁବତୀ ଜଣକ ବିବାହ ପାଇଁ ପ୍ରମୋଦ ଓ ତାଙ୍କ ପରିବାର ଲୋକଙ୍କୁ ବିନ୍ଦକ ଡାକିଥିଲେ। ସେଠାରେ ପ୍ରେମୀ ଯୁଗଳ ବିବାହର ସବୁ ରୀତି ପୂରା କରିଥିଲେ। ଦୁଇ ପରିବାର ମଧ୍ୟରେ ଖୁସିର ମାହୋଲ୍‌ ଥିଲା। ସମସ୍ତେ କନ୍ୟା ବିଦାର ପ୍ରସ୍ତୁତିରେ ଲାଗିଥିଲେ। ମାତ୍ର ମୌକା ଦେଖି ଫେରାର୍‌ ହୋଇ ଯାଇଥିଲେ କନ୍ୟା।

ଜାଣିବାକୁ ମିଳିଛି ଯେ କନ୍ୟା ଜଣକ ସମସ୍ତଙ୍କ ଆଖିରେ ଧୂଳି ଦେଇ ପାଖାପାଖି ୨ ଲକ୍ଷ ଟଙ୍କାର ଅଳଙ୍କାର ଓ ନଗଦ ୭୫ ଟଙ୍କା ନେଇ ଫେରାର୍‌ ହୋଇ ଯାଇଛନ୍ତି। ଏନେଇ ବରପକ୍ଷ ଲୋକ କନ୍ୟାପକ୍ଷଙ୍କ ନାମରେ ପୁଲିସରେ ଏକ ମାମଲା ରୁଜୁ କରିବା ପରେ ପୁଲିସ୍‌ ମାମଲାର ଯାଞ୍ଚ୍‌ ଆରମ୍ଭ କରିଛି।