ନୂଆଦିଲ୍ଲୀ: ଯୁବପିଢ଼ିମାନେ ନିଜନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ନୂଆନୂଆ ଉପାୟମାନ ଆପଣାଇଥାଆନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶର ବୁରହାନପୁରରେ ଜଣେ ଯୁବତୀ ଘୋଡା ଚଢ଼ି ଶାଶୁଘରେ ପହଞ୍ଚିଥିଲେ। ଏହି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ବୁରହାନପୁରରେ ଏହି ସ୍ବତନ୍ତ୍ର ବିବାହ ଦେଖିବାକୁ ମିଳିଥିଲା। ଏଠାରେ ଜଣେ ବଧୂ ଘୋଡାରେ ବସି ଏନଆରଆଇ ବରଙ୍କ ଘରକୁ ବିବାହ ପ୍ରସ୍ତାବ ଦେବାକୁ ଯାଇଥିଲେ। ବଧୂଙ୍କୁ ବର ତାଙ୍କ ଘରେ ଦେଖିବା ପରେ ବିବାହ ପ୍ରସ୍ତାବ ସ୍ବୀକାର କରି ଏକ ଖଣ୍ଡା ଉପହାରରେ ଦେଇଥି‌ଲେ।

ତେବେ ଏହି ପରମ୍ପରା କେବଳ ବୁରହାନପୁର ଗୁଜୁରାଟୀ ମୋଢ଼ ବଣିକ ସମାଜରେ ଦେଖିବାକୁ ମିଳିଥାଏ। ଏହି ପ୍ରଥା ରାଜାମହାରାଜା ସମୟରୁ ଚାଲି ଆସୁଛି। ଆଧୁନିକ ଯୁଗରେ ଚକଚକ୍ୟରେ ପ୍ରାଚୀନ ପ୍ରଥା ଲୋପ ପାଇ ଯିବାର ଦେଖିବାକୁ ମିଳୁଛି। କିନ୍ତୁ ବୁରହାନପୁର ଗୁଜରାଟୀ ମୋଢ଼ ବଣିକ ସମାଜରେ ତାଙ୍କର ଏହି ସ୍ବତନ୍ତ୍ର ପରମ୍ପରାକୁ ଜୀବିତ ରଖିଛନ୍ତି।

ଗୁଜରାଟୀ ବଣିକ ମୋଢ଼ ସମାଜରେ ଗୋପାଳ ଦେବକର କହିଛନ୍ତି, ‘ଆମ ସମାଜରେ ପ୍ରାଚୀନ ପରମ୍ପରା ଅଛି। ଯେଉଁଥିରେ କନ୍ୟା ମୁଣ୍ଡରେ ପଗଡ଼ି ବାନ୍ଧି ଘୋଡ଼ା ଚଢ଼ି ବିବାହ ପୂର୍ବରୁ ବିବାହ ପ୍ରସ୍ତାବ ନେଇ ବରଙ୍କ ଘରେ ପହଞ୍ଚିଥାଆନ୍ତି। ବର କନ୍ୟାଙ୍କ ପ୍ରସ୍ତାବକୁ ସ୍ବୀକାର କରି ଖଣ୍ଡା ପ୍ରଦାନ କରି ବରଯାତ୍ରୀ ଧରି ଆସି ଥାଆନ୍ତି। ଏହି ପରମ୍ପରା ଧୀରେଧୀରେ ମଉଳି ଆସୁଥିବା ବେଳେ ପୁଣି ଯୁବପିଢ଼ି ଏଥିପ୍ରତି ଆଗ୍ରହ ଦେଖାଇଛନ୍ତି। ଯାହାକି ଏକ ଭଲ ସଙ୍କେତ।’