ଉନାଓ: ବଲିଉଡ୍ ଚଳଚ୍ଚିତ୍ର ‘ବାଲା’ ପରି ବାସ୍ତବ ଜୀବନରେ ଏକ ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ଜଣେ ବର ଚନ୍ଦା ବୋଲି ବିବାହ ଅଧାରୁ ଜଣାପଡ଼ିବା ପରେ କନ୍ୟା ଜଣକ ବିବାହ ଭାଙ୍ଗି ଦେଇଛନ୍ତି। ଘଟଣାଟି ହେଉଛି ଉତ୍ତରପ୍ରଦେଶର ଉନାଓର।
ଜାଣିବାକୁ ମିଳିଛି ଯେ ଉନାଓ ଜିଲ୍ଲାସ୍ଥିତ ସଫିପୁର କୋତୱାଲି ଅଞ୍ଚଳରେ ଏକ ଗାଁର ଝିଅ ଅନ୍ତରା(ଛଦ୍ମନାମ)ଙ୍କ ବିବାହ ରିସ୍ତା କାନପୁରର ରହୁଲ(ଛଦ୍ମନାମ)ଙ୍କ ସହ ସ୍ଥିର ହୋଇଥିଲା। ଦେଖା ଚାଁ ଓ ନିର୍ବନ୍ଧ ବେଳେ ରାହୁଲ ତାଙ୍କ ମୁଣ୍ଡରେ ୱିଗ୍(ନକଲି କେଶ) ଲଗାଇ କନ୍ୟା ପକ୍ଷ ଲୋକଙ୍କ ସାମ୍ନାକୁ ଯାଇଥିବାରୁ ସେ ଚନ୍ଦା ବୋଲି କାହାକୁ ସାମାନ୍ୟ ଆଭାସ ମିଳିନଥିଲା।
ଦୁଇ ପରିବାରର ସହମତି କ୍ରମେ ମେ ୨୦ ତାରିଖରେ ବିବାହ ତାରିଖ ସ୍ଥିର ହେଲା। ଏହି ଅବସରରେ ବରଯାତ୍ରୀ ନେଇ ବିବାହ ମଣ୍ଡପରେ ପହଞ୍ଚିଲେ ବର। କନ୍ୟା ପକ୍ଷ ଲୋକ ବି ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା କଲେ। କିଛି ସମୟ ମଧ୍ୟରେ ବର-କନ୍ୟାଙ୍କ ବିବାହ ବି ଆରମ୍ଭ ହୋଇଗଲା।
ଏହାପରେ ବର-କନ୍ୟାଙ୍କର ଜୟମାଳା ରୀତି ବି ସଂପନ୍ନ ହେଲା। ସେହି ସମୟରେ ବରଙ୍କର ଅଚାନକ ମୁଣ୍ଡ ବୁଲାଇବାରୁ ସେ ତଳେ ପଡ଼ିଗଲେ। ସେ ସେଠାରେ ଅଚେତ ହୋଇପଡ଼ିଲେ। ସେଠାରେ ଉପସ୍ଥିତ ଥିବା ଲୋକ ବରଙ୍କୁ ସମ୍ଭାଳିକି ତାଙ୍କର ଚେତା ଫେରାଇ ଆଣିଲେ। ମାତ୍ର ଠିକ୍ ସମୟରେ ବରଙ୍କ ମୁଣ୍ଡରୁ ୱିଗ୍ ଖସିପଡ଼ିଲା। ବର ବନ୍ଦା ବୋଲି ଦେଖି ସେଠାରେ ଉପସ୍ଥିତ ସମସ୍ତେ ଚକିତ ହୋଇଗଲେ। କନ୍ୟା ଜଣକ ରାଗରେ ଆସି ବିବାହ କରିବାକୁ ମନା କରିଦେଲେ। ଯିଏ ଯେତେ ବୁଝାଇଲେ ବି ସେ ଜଣେ ଧୋକେବାଜ୍କୁ ବିବାହ କରିବେ ନାହିଁ ବୋଲି ଜିଦ୍ ଧରି ବସିଲେ।
ଶେଷରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଲା। ଦୁଇ ପକ୍ଷର ଆପୋସ ବୁଝାମଣାରେ କନ୍ୟା ପକ୍ଷ ଖର୍ଚ୍ଚ କରିଥିବା ୬ ଲକ୍ଷ ଟଙ୍କା ଦେବାକୁ ବରପକ୍ଷ ଲୋକ ରାଜି ହୋଇ ବରଯାତ୍ରୀ ନେଇ ଫେରିଗଲେ। ସେମାନଙ୍କ ବିବାହ ଅଟକିଲା ଓ ବର ନାମରେ କନ୍ୟା ପକ୍ଷ ଲୋକ କୌଣସି କେସ୍ କରିଲେ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Women-Rejects-During-Marriage-Due-to-Man-Bald_Thumbnail.jpg)