ସ୍ତ୍ରୀଙ୍କ ଠାରୁ ଏଭଳି କଥା ଶୁଣି ପ୍ରେମିକ ସହିତ ବାହାଘର କରାଇ ଦେଲେ ସ୍ବାମୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପଲାମୁରୁ ଏକ ହୃଦୟସ୍ପର୍ଶୀ ପ୍ରେମକ‌ାହାଣୀ ସାମ୍ନାକୁ ଆସିଛି। ଏଠାରେ ଜଣେ ବର ବାହାଘରର ୨୦ଦିନ ପରେ ନିଜର ସ୍ତ୍ରୀଙ୍କୁ ତାଙ୍କର ୧୦ବର୍ଷର ପୁରୁଣା ପ୍ରେମିକ ସହିତ ବାହାଘର କରାଇ ଦେଇଛନ୍ତି। ଏହି ଘଟଣାଟି ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

କ‌ାରଣ ସ୍ତ୍ରୀର ପ୍ରେମିକ ଥିବା ଜାଣିବା ପରେ ସ୍ବାମୀମାନେ ତାଙ୍କୁ ଘରୁ ବାହାର କରିବା ସହିତ ଛାଡ଼ପତ୍ର ଯାଏଁ କଥା ଚାଲି ଯାଇଥାଏ। କିନ୍ତୁ ନିକଟରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରେମିକ ଥିବା ଜାଣିବା ପରେ ସେ ବିବ୍ରତ ହୋଇ ନଥିଲେ। ବରଂ ସବୁକଥାକୁ ବୁଝି ପ୍ରେମିକଙ୍କୁ ଡାକି ସ୍ତ୍ରୀଙ୍କୁ ତାଙ୍କ ହାତରେ ଟେକି ଦେଇଥିଲେ।

ଏହି ଘଟଣାଟି ପଲାମୁ ଜିଲ୍ଲାର ବିଚକିଲା ଗ୍ରାମରେ ଘଟିଛି। ୨୦ଦିନ ପୂର୍ବରୁ ମନୋଜ ସିଂହଙ୍କ ବିବାହ ପ୍ରିୟଙ୍କାଙ୍କ ସହିତ ହୋଇଥିଲା। କିନ୍ତୁ ପ୍ରିୟଙ୍କା ଗତ ୧୦ବର୍ଷ ହେବ ତାଙ୍କ ପ୍ରେମିକ ବିଶ୍ବକର୍ମାଙ୍କ ସହିତ ସମ୍ପର୍କରେ ଥିଲେ। ଘରେ କିନ୍ତୁ ବିଶ୍ବକର୍ମାଙ୍କ ସହିତ ପ୍ରିୟଙ୍କା ବିବାହ ପାଇଁ ରାଜି ନହୋଇ ଝିଅର ଅନ୍ୟତ୍ର ବିବାହ କରାଇଦେଇଥିଲେ ପରିବାରଲୋକ।

ପ୍ରିୟଙ୍କା ବିବାହ ପରେ ଶାଶୁଘରୁ‌ ପ୍ରେମିକ ସହିତ ଫେରାର ହେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅସଫଳ ରହିଥିଲେ। କାରଣ ଫେରାର ହେବା ସମୟରେ ଗ୍ରାମବାସୀ ପ୍ରିୟଙ୍କା ଓ ତାଙ୍କ ପ୍ରେମିକଙ୍କୁ ଧରି ପକାଇଥିଲେ। ଏହାପରେ ପ୍ରିୟଙ୍କାଙ୍କ ସ୍ବାମୀଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ।

ଘଟଣାସ୍ଥଳରେ ସ୍ବାମୀ ପହଞ୍ଚିବା ପରେ ପ୍ରିୟଙ୍କା ଓ ତାଙ୍କ ପ୍ରେମିକ କହିଥି‌ଲେ, ‘ଆମେ ଦୁହେଁ ପରସ୍ପରକୁ ୧୦ବର୍ଷ ହେବ ଭଲ ପାଇ ଆସୁଛି। ଜାତି ଅଲଗା ଥିବାରୁ ଆମର ବିବାହ ହୋଇ ପାରିଲା ନାହିଁ। ପ୍ରିୟଙ୍କାଙ୍କ ଏହି ବିବାହ ଜୋରଜବରଦସ୍ତି କରାଇ ଦିଆଯାଇଥିଲା।

ସେହିପରି ପ୍ରିୟଙ୍କା ତାଙ୍କ ସ୍ବାମୀଙ୍କୁ କହିଥିଲେ, ‘ମୁଁ ତୁମକୁ ସମ୍ମାନ କରେ। କିନ୍ତୁ ପରିବାର ଚାପରେ କିଛି କହିବାର ସୁଯୋଗ ପାଇ ନଥିଲି। ତେଣୁ ପ୍ରେମିକଙ୍କ ସହିତ ଫେରାର ହେବାକୁ ଠିକ ଭାବି ଥିଲି। କାରଣ ଆଗକୁ ଯଦି ତୁମ ସହିତ ସଂସାର କରିଥାଆନ୍ତି। ଜାଣିଛି ଆମେ ଦୁହେଁ କେବେ ଖୁସିରେ ରହି ପାରି ନଥାଆନ୍ତେ।’

ଏହାପରେ ମନୋଜ ସିଂହ ସ୍ତ୍ରୀ ପ୍ରିୟଙ୍କାଙ୍କୁ କହିଥିଲେ, ‘ ଏଣିକି ତୁମେ ତମ ପ୍ରେମିକ ସହ ଖୁସିରେ ରହି ପାରିବ। ମୁଁ ଏଥିପାଇଁ କୌଣସି ବାଧା ଦେବି ନାହିଁ। କାରଣ ଏଭଳି ବାସ୍ତବ ଭଲପାଇବାକୁ ଅଲଗା କଲେ ମୋତେ ପାପ ଲାଗିବ।’

ସମ୍ବନ୍ଧିତ ଖବର