ଭୋପାଳ: ମଧ୍ୟପ୍ରଦେଶର ଉଜୈନ୍ର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବିବାହ ସମୟରେ ବିଜୁଳି କଟିଯିବା କାରଣରୁ ଦୁଇ କନ୍ୟାଙ୍କର ବର ବଦଳି ଯାଇଥିବା ପରି ଅଭାବନୀୟ ଘଟଣା ଘଟିଯାଇଛି। ଯେବେ ବିଜୁଳି ଆସିଲା ତ ସଂପର୍କୀୟମାନେ ଦେଖିବା ପରେ ଚକିତ ହୋଇଗଲେ। ତେବେ ଫୈରେ ସମୟରେ ହୋଇଥିବା ଭୁଲ୍କୁ ବିଜୁଳି ଆସିବା ପରେ ପୁରୋହିତ ଠିକ୍ କରି ଦେଇଥିବା ଜାଣିବାକୁ ମିଳିଛି।
ମଧ୍ୟପ୍ରଦେଶର ଉଜୈନ୍ ଜିଲ୍ଲାର ହିଙ୍ଗୋରିଆ ଥାନାର ଅସଲାନା ଗାଁରେ ରମେଶଲାଲଙ୍କର ୩ ଝିଅ ଓ ଜଣେ ପୁଅଙ୍କର ବିବାହ ହେଉଥିଲା। ରବିବାର ଦିନ ତାଙ୍କ ୨ ଝିଅ ନିକିତା ଓ କରିଶ୍ମାଙ୍କ ସହ ଦଙ୍ଗବାଡ଼ାର ଭୋଳା ଓ ଗଣେଶଙ୍କର ବିବାହ ହେବାର ଥିଲା। ଦୁଇ ଜଣ ଯୁବକ ଗୋଟାଏ ଗ୍ରାମର ହେଲେ ବି ଭିନ୍ନ ଭିନ୍ନ ପରିବାରର। ବରଯାତ୍ରୀ ଆସିବା ପରେ ରାତି ପ୍ରାୟ ୧୧.୩୦ରେ ସମୟରେ ମାତା ପୂଜା ହେବାକୁ ଥାଏ। ମାତା ପୂଜା ସମୟରେ ବିଜୁଳି କଟିଯିବାରୁ ବର ଓ କନ୍ୟା ବଦଳ ହୋଇ ଯାଇଥିଲେ। ଦୁଇ ବର ନିଜ କନ୍ୟାଙ୍କ ସ୍ଥାନରେ ଅନ୍ୟ କନ୍ୟାଙ୍କ ହାତ ଧରି ପୂଜା କରିଥିଲେ।
ରାତି ପ୍ରାୟ ୧୨.୩୦ରେ ବିଜୁଳି ଆସିଲା ତ ବର-କନ୍ୟା ଓ ସେମାନଙ୍କ ପରିବାର ଲୋକ ଚକିତ ହୋଇଗଲେ। ପରେ ଏହି ଭୁଲ୍କୁ ସକାଳ ୫ଟା ହେବାକୁ ଥିବା ଫୈରେ ସମୟରେ ଠିକ୍ କରି ଦିଆଯାଇଥିଲା। ସେହି ସମୟରେ ଠିକ୍ କନ୍ୟା ସହ ଠିକ୍ ବରଙ୍କର ବିବାହ କରାଯାଇଥିଲା।