ପେରୁର କସୱାଚାକା ଅଞ୍ଚଳରେ ଇନ୍କାନ ସାମ୍ରାଜ୍ୟ ବେଳର ଘାସର ହାତବୁଣା ପୋଲଟି ରହିଛି। ପ୍ରାୟ ୫୦୦ ବର୍ଷ ପୂର୍ବେ ନଦୀର ପ୍ରଖର ସ୍ରୋତ ଏବଂ ଘାଟିଗୁଡ଼ିକୁ ଅତିକ୍ରମ କରିବାପାଇଁ ସ୍ଥାନୀୟ ‘କ୍ବେହୁଏ’ ଆଦିବାସୀଙ୍କ ଦ୍ବାରା ଏଭଳି ଅନେକ ପୋଲ ନିର୍ମାଣ କରାଯାଇଥିଲା। ମାତ୍ର ସମୟ ସହିତ ଏହି ପୋଲଗୁଡ଼ିକ ନଷ୍ଟ ହେବାକୁ ଲାଗିଲା। ପୋଲ ନିର୍ମାଣରେ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଅଂଶଗ୍ରହଣ କରୁଥିଲେ। କ୍ବେହୁଏ ମହିଳାମାନେ ସରୁ ଘାସ ଦଉଡ଼ି ତିଆରି କରି ପୁରୁଷମାନଙ୍କୁ ଦେଉଥିଲେ ଓ ପୁରୁଷମାନେ ଏହାକୁ ନେଇ ମୋଟା ଦଉଡ଼ିରେ ପରିଣତ କରି ପୋଲକୁ ଶକ୍ତ ଏବଂ ମଜଭୁତ କରୁଥିଲେ। ପୁରାତନ କାଳରେ ଏହି ପୋଲଗୁଡ଼ିକୁ ଯଦି କେହି କ୍ଷତି ପହଞ୍ଚାଉଥିଲା ବା ବିକୃତ କରିବାକୁ ଚେଷ୍ଟା କରୁଥିଲା ତେବେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦିଆଯାଉଥିଲା।
/sambad/media/post_attachments/wp-content/uploads/2022/03/8dr4e0929oo71-300x200.jpg)
ଏବେ ସମସ୍ତ ପୋଲ ନଷ୍ଟ ହୋଇଯାଇଥିବା ବେଳେ ଏକମାତ୍ର ପୋଲ ତିଷ୍ଠି ରହିଛି। ୧୧୮ ଫୁଟ୍ ଦୀର୍ଘ ପୋଲଟି ଆପ୍ୟୁରିମାକ ନଦୀର ପ୍ରାୟ ୬୦ ଫୁଟ ଉଚ୍ଚରେ ନିର୍ମିତ। କ୍ବେହୁଏ ଜନଜାତିର ଲୋକମାନେ ଏହି ପୋଲକୁ ସ୍ଥାନୀୟ ଅଞ୍ଚଳର ଲୋକକଳାରେ ସ୍ଥାନ ଦେଇଛନ୍ତି। ପ୍ରତି ବର୍ଷ ଜୁନ ମାସରେ କ୍ବେହୁଏ ଆଦିବାସୀମାନେ ଏହି ପୋଲ ନିକଟରେ ଏକତ୍ରିତ ହୋଇ ପୋଲଟିକୁ ନୂଆ କରି ତିଆରି କରନ୍ତି। ଏହା ପରେ ପୂର୍ବ ପୁରୁଷଙ୍କୁ ସମ୍ମାନ ଜଣାଇବା ସହ ପୃଥିବୀ ମାତା, ପାହାଡ଼ ଦେବତା ଏବଂ ପୁରାତନ କୁଶଳୀ କାରିଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଥାନ୍ତି। ଶେଷରେ ପାରମ୍ପରିକ ନୃତ୍ୟଗୀତର ତାଳେତାଳେ ସ୍ବାଦିଷ୍ଠ ଖାଦ୍ୟପେୟରେ ଆୟୋଜନ ହୋଇଥାଏ।