ଚୀନ୍ ଗବେଷକମାନେ ଏକ ଅଠା ବିକଶିତ କରିଛନ୍ତି, ଯାହା ମାତ୍ର ତିନି ମିନିଟ୍ରେ ଭଗ୍ନ ହାଡ଼ ଯୋଡ଼ିପାରିବ ବୋଲି ସେମାନେ ଦାବି କରିଛନ୍ତି। ଗ୍ଲୋବାଲ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଗତ ବୁଧବାର (ସେପ୍ଟେମ୍ବର ୧୦) ଚୀନ୍ର ଝେଜିଆଙ୍ଗ ପ୍ରଦେଶରେ ଏକ ଗବେଷକ ଦଳ ‘ବୋନ୍ ୦୨’ ନାମକ ଏହି ହାଡ଼ ଅଠାକୁ ଉନ୍ମୋଚନ କରିଥିଲେ। ହାଡ଼ ସୁସ୍ଥ ହେବା ପରେ ଉକ୍ତ ଅଠା ଶରୀର ଦ୍ୱାରା ପ୍ରାକୃତିକ ଭାବରେ ଶୋଷିତ ହୋଇପାରିବ। ଉଭୟ ସୁରକ୍ଷା ଓ ପ୍ରଭାବ ମାନଦଣ୍ଡକୁ ବଜାୟ ରଖି ‘ବୋନ୍ ୦୨’ ସଫଳତାର ସହ କାର୍ଯ୍ୟ କରିପାରିଥିବା କଥା ବିଜ୍ଞାନାଗାର ପରୀକ୍ଷଣରୁ ସ୍ପଷ୍ଟ ହୋଇଛି।
ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଷ୍ଟିଲ୍ ପ୍ଲେଟ୍ ଓ ସ୍କ୍ରୁ ପ୍ରତିରୋପଣ ପାଇଁ ଏକ ସମୟସାପେକ୍ଷ ଅସ୍ତ୍ରୋପଚାରର ଆବଶ୍ୟକ ହେଉଥିବା ବେଳେ ‘ବୋନ୍ ୦୨’ ଅଠା ଗୋଟିଏ ପରୀକ୍ଷଣରେ ଅସ୍ଥିଯୋଡ଼ା ପ୍ରକ୍ରିୟାକୁ ୧୮୦ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ସମ୍ପାଦନ କରିଥିଲା। ‘ବୋନ୍ ୦୨’ ଅଠାକୁ ୧୫୦ରୁ ଅଧିକ ରୋଗୀଙ୍କଠାରେ ସଫଳତାର ସହିତ ପରୀକ୍ଷଣ କରାଯାଇଛି। ଏହା ମାନବ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଓ ସଂକ୍ରମଣର ବିପଦକୁ ମଧ୍ୟ ହ୍ରାସ କରିପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।