ଝାଡୁ ପ୍ରସ୍ତୁତ କରି ଏବେ ସ୍ୱାବଲମ୍ବୀ ହୋଇପାରିଛନ୍ତି ଏହି ଗାଁର ୧୫୦ ପରିବାର

ବସ୍ତା: ଝାଡୁ ! ରୋଜଗାରର ପ୍ରମୁଖ ମାଧ୍ୟମ । ରାତି ପାହିଲେ, ସଂଜ ନଇଁବା ଆଗରୁ ଘରେ ଖୋଜାପଡେ ଝାଡୁ । ଅନେକ ସମୟରେ ଆପଣ ଦେଖିଥିବେ ଗାଁ ଗହଳିରେ ଝାଡୁ ମୁଣ୍ଡାଇ ବିକ୍ରି ପାଇଁ ଆସିଥାନ୍ତି ବ୍ୟବସାୟୀ । ହେଲେ ଏହି ଝାଡୁ ଏବେ ବାଲେଶ୍ୱରରୁ ରାଜ୍ୟ ବାହାରକୁ ବିକ୍ରି ପାଇଁ ଯାଉଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଝିଞ୍ଜିପୁରା ଓ ଡୁବୁଳିଆ ଗାଁର ପ୍ରାୟ ୧୫୦ ପରିବାର ଏହି ଝାଡୁ ପ୍ରସ୍ତୁତ କରି ଭଲ ଦି ପଇସା ରୋଜଗାର କରୁଛନ୍ତି । ଡୁବୁଳିଆ ଗାଁର ମହାଲକ୍ଷୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଝିଞ୍ଜିପୁରାର କରୁଣାକର ପରିଡା, ଦାଶରଥି ଦାଶ, ନାରାୟଣ ବେହେରା, ଭାଗବତ ବେହେରାଙ୍କ ସହ ହରିହର ରାୟଙ୍କ କାରଖାନାରେ ପ୍ରସ୍ତୁତ ଝାଡୁ ରାଜ୍ୟ ବାହାରକୁ ପଠାଯାଉଛି ।

ପଡୋଶୀ ପଶ୍ଚିମବଙ୍ଗ ସମେତ ବିହାର, ଝାଡ଼ଖଣ୍ଡ, ଦିଲ୍ଲୀ, ହରିଆଣା, ଗୁଜୁରାଟ, ମୁମ୍ବାଇକୁ ପଠାଯାଉଛି ଏହି ଝାଡୁ । ଏହି ଝାଡୁ ଏଠାକାର ଲୋକଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ଦେବା ସହ ରୋଜଗାରର ପ୍ରମୁଖ ମାଧ୍ୟମ ପାଲଟିଛି | ଝାଡୁ ବାନ୍ଧୁଥିବା କାରିଗର ମାସକୁ ୨୦ ହଜାର ଟଙ୍କା ରୋଜଗାର କରୁଥିବାବେଳେ ଝାଡୁ ବିକ୍ରି କରି ଏସଏଚଜି ଗ୍ରୁପ୍ ମାସକୁ ପ୍ରାୟ ୯୦ ହଜାର ଟଙ୍କା ଲାଭ କରୁଛନ୍ତି । ଏହି ଝାଡୁ ତିଆରି କରିବା ପାଇଁ ବାଲେଶ୍ୱରର ବାଲିଆପାଳ, ପୁରୀର ସାକ୍ଷୀଗୋପାଳ ଓ ଭଦ୍ରକରୁ କଞ୍ଚାମାଲ ଆସିଥାଏ । ଏକ କେଜି କୁଂଚିର ଦାମ୍ ୨୫ରୁ ୩୦ ଟଙ୍କା ହୋଇଥିବା ବେଳେ ସେଥିରୁ ୨ଟି ଝାଡୁ ପ୍ରସ୍ତୁତ ହୋଇଥାଏ । ଗୋଟିଏ ଝାଡୁ ପ୍ରସ୍ତୁତ କରିବା ପାଇଁ ୧୮ରୁ ୨୦ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୫ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରାଯାଏ ।

ପରେ ବ୍ୟବସାୟୀ ଝାଡୁଗୁଡିକୁ ୩୦ରୁ ୩୫ଟଙ୍କାରେ ବିକ୍ରି କରନ୍ତି । ଝାଡୁ ତିଆରି କରି ଭଲ ଦି ପଇସା ରୋଜଗାର କରିବା ସହ ଏମାନେ ସ୍ୱାବଲମ୍ବୀ ହୋଇଛନ୍ତି ।

ସମ୍ବନ୍ଧିତ ଖବର