ଚାରିଭାଇ ମିଶି ଭଉଣୀଙ୍କୁ ଏକ କିଲୋଗ୍ରାମ ସୁନା ସମେତ ଦେଲେ ୮.୩୧ କୋଟି ଟଙ୍କାର ଯୌତୁକ

ନୂଆଦିଲ୍ଲୀ: ଯୌତୁକ ନିଷେଧ ଆଇନ ଅନୁଯାୟୀ ଭାରତରେ ଯୌତୁକ ଦେବା ଏକ ଦଣ୍ଡନୀୟ ଅପରାଧ । ଏହି ଆଇନ ଅନୁଯାୟୀ ଯଦି କେହି ‌ଯୌତୁକ ଦେବାକୁ ଦାବି କରୁଥିବା ବେଳେ ଧରାପଡ଼ନ୍ତି ତେବେ ତାଙ୍କୁ ଅତି କମରେ ୭ ବର୍ଷ ପାଇଁ ଜେଲଦଣ୍ଡ ହୋଇପାରେ। ଏଭଳି କଠୋର ନିୟମ ସତ୍ତ୍ୱେ ଭାରତରେ ଏମିତି କିଛି ଗ୍ରାମାଞ୍ଚଳ ରହିଛି ଯେଉଁଠାରେ ‌‌‌ଯୌତୁକ ପ୍ରଥା ଏବେ ବି ପ୍ରଚଳିତ ଅଛି।

ଏହି କ୍ରମରେ ‌ଯୌତୁକକୁ ନେଇ ଏକ ଘଟଣା ସ‌ାମ୍ନ‌ାକୁ ଆସିଛି। ରାଜସ୍ଥାନର ନାଗୌର ଜିଲ୍ଲାର ଢ଼ିଧିଙ୍ଗସରା ଗାଁରେ ବସବାସ କରୁଥିବା ଚାରି ଭାଇ ନିଜ ଭଉଣୀଙ୍କ ବିବାହ ପାଇଁ ୮.୩୧ କୋଟି ଟଙ୍କାର ‌ଯୌତୁକ ଦେଇଥିବା ଜଣାପଡ଼ିଛି। ଏହି ଖବର ଏବେ ଚର୍ଚ୍ଚାର ପରିସରରେ ରହିଛି। ଚାରି ଭାଇ – ଅର୍ଜୁନ ରାମ ମହରିଆ, ଭାଗୀରଥ ମହରିଆ, ଉମ୍ମେଦ‌ ଜି ମହରିଆ ଓ ପ୍ରହ୍ଲାଦ ମହରିଆ  ମାର୍ଚ୍ଚ ୨୬ରେ ନିଜ ଭଉଣୀ ଭାନୱାରି ଦେବୀଙ୍କ ବିବାହ ପାଇଁ ବିପୁଳ ପରିମାଣର ଅର୍ଥ ଦାନ କରିଛନ୍ତି।

ଅନେକ ଲୋକ ‌ଭାଇମାନେ ଭଉଣୀଙ୍କୁ ଦେଇଥିବା ଏହି ଅର୍ଥରାଶିର ମୂଲ୍ୟକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭଉଣୀଙ୍କୁ ଯୌତୁକ ବାବଦରେ ଚାରିଭାଇ ନଗଦ ୨.୨୧ କୋଟି ଟଙ୍କା, ୪ କୋଟି ଟଙ୍କାର ୧୦୦ ବିଘା ଜମି, ୫୦ ଲକ୍ଷ ଟଙ୍କା ମୂଲ୍ୟର ୧ବିଘା ଜମି,  ୭୧ ଲକ୍ଷ ଟଙ୍କା ମୂଲ୍ୟର ୧ କିଲୋଗ୍ରାମରୁ ଅଧିକ ସୁନା ଦେଇଛନ୍ତି।

ଏଥିସହ  ରହିଛି ୧୪ କିଲୋଗ୍ରାମ ରୂପା, ଯାହାର ମୂଲ୍ୟ ୯.୮ ଲକ୍ଷ ଟଙ୍କା ହେବ । ଅବଶିଷ୍ଟ  ୮୦୦ ରୁପା ମୁଦ୍ରା ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। କେବଳ ଏତିକି ନୁହେଁ,  ୭ ଲକ୍ଷ ଟଙ୍କା ମୂଲ୍ୟର ଏକ ଟ୍ରାକ୍ଟର ମଧ୍ୟ ଯୌତୁକରେ ଅନ୍ତର୍ଭୁକ୍ତ ରହିଛି।

ଏଥିସହିତ ଭାନୱାରି ଦେବୀଙ୍କ ଚାରିଭାଇ ଅର୍ଜୁନ ରାମ ମହରିଆ, ଭାଗୀରଥ ମହରିଆ, ଉମ୍ମେଦ‌ ଜି ମହରିଆ ଓ ପ୍ରହ୍ଲାଦ ମହରିଆ ତାଙ୍କ ଭଉଣୀ ଜ୍ବାଇଁଙ୍କୁ ଅନେକ ଗାଡ଼ି ଉପହାର ଆକାରରେ ଦେଇଛନ୍ତି।

ସମ୍ବନ୍ଧିତ ଖବର