‘ମୋ ପରେ ଭାଇମାନେ ସେବା ସମ୍ଭାଳିବେ’: ବିଜୟ କୁମାର ମହାପାତ୍ର, ମୁଖ୍ୟ ବିଶ୍ବକର୍ମା, ନନ୍ଦିଘୋଷ ରଥ

ଅକ୍ଷୟ ତୃତୀୟା ପୂର୍ବରୁ ଚନ୍ଦନଯାତ୍ରା ଅବସରରେ ଆମର ମହାପ୍ରଭୁଙ୍କ ସେବା ଆରମ୍ଭ ହୁଏ। ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ, ଯେଉଁ ୧୦ଜଣ ଶାଢ଼ିବନ୍ଧା ମହାରଣା ସେବକ ରହିଥାନ୍ତି, ସେମାନେ ଅକ୍ଷୟ ତୃତୀୟାର ୪ ଦିନ ପୂର୍ବରୁ ଚନ୍ଦନଯାତ୍ରା ପାଇଁ ଚାପ ତିଆରି କରିଥାନ୍ତି। ଚାପ ସରିବା ପରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୁଏ। ଝୁଲଣ ଯାତ୍ରାରେ ବି ଝୁଲଣ କାମ କରିଥାଉ। ଦାରୁ ଅନ୍ବେଷଣ ସମୟରେ ବି ଦାରୁ ଚିହ୍ନଟ ସହ ବିଗ୍ରହ ବି ନିର୍ମାଣ କରିଥାଉ। ମୋ ସହ ଶାଢ଼ିବନ୍ଧା ବିଶ୍ବକର୍ମାମାନେ ଶ୍ରୀମନ୍ଦିର ଭିତରେ ରହି ଦଇତାପତିମାନଙ୍କ ନିର୍ଦ୍ଦେଶରେ ନବକଳେବର ସମୟରେ ବିଗ୍ରହ ନିର୍ମାଣ କରିଥାନ୍ତି। ରଥ କାମ ପୂର୍ବରୁ ରଥ ନିର୍ମାଣରେ ନିୟୋଜିତ ହେବାକୁ ଥିବା ମହାରଣାମାନଙ୍କୁ ମାହାର୍ଦ୍ଦ ଦେଇ ନିମନ୍ତ୍ରଣ କରିବାର ପରମ୍ପରା ରହିଛି। ମାହାର୍ଦ୍ଦ ପାଇଥିବା ମହାରଣାମାନେ ହିଁ ରଥ କାମରେ ନିୟୋଜିତ ହୋଇଥାନ୍ତି। ଦୁଃଖର କଥା, ମୋର କେହି ପୁଅ ନାହାଁନ୍ତି। ବାପାଙ୍କ ପରେ ୨୦୧୨ ମସିହାରୁ ମୁଁ ମୁଖ୍ୟ ବିଶ୍ବକର୍ମା ଦାୟିତ୍ବ ତୁଲାଉଥିଲି। ମୋର ଦୁଇଜଣ ସାନ ଭାଇ ରହିଛନ୍ତି। କିନ୍ତୁ ସେମାନେ ‌ଯେ କେତେଦୂର ଏହି କାର୍ଯ୍ୟକୁ ସମ୍ଭାଳିବେ, ନିଷ୍ଠାର ସହ ଦାୟିତ୍ବ ତୁଲାଇ ପାରିବେ, ତାହା ମୁଁ କହି ପାରିବିନି। ଏହି ସେବା ପାଇଁ ନିଷ୍ଠା ଓ ସହିଷ୍ଣୁତା ଭାବର ଯଥେଷ୍ଟ ଆବଶ୍ୟକ ରହିଛି। ଏଥିରେ ସାମାନ୍ୟ ଅଭାବ ରହିଲେ, ଏହି କାର୍ଯ୍ୟ କରିବା ଅସମ୍ଭବ। ଯେହେତୁ ମୋର ପୁଅ ନାହିଁ ଓ ଏହା ବଂଶଗତ ସେବା। ସେଇଥିପାଇଁ ମୋ ପରେ ମୋର ଦୁଇ ଭାଇ ଏହି କାର୍ଯ୍ୟକୁ ସମ୍ଭାଳିବେ ବୋଲି ମୁଁ ଆଶା କରୁଛି।

ମହାରଣା ସେବା କହିଲେ, ମହାରଣା, ସୂତାର ମହାରଣା ଓ ତଳି ମହାରଣା। ଆଗରୁ ଆମର ଦୁଇଟି ସେବା ରହିଥିଲା। ବାପା ମହାରଣା ଓ ସୂତାର ମହାରଣା ସେବା କରୁଥିଲେ। ‌ବାପା ସୂତାର ମହାରଣା ସେବା ଅନ୍ୟଙ୍କୁ ଦେଇଦେଲେ। ରଥ ନିର୍ମାଣ ପରେ ବର୍ଷସାରା ଯେଉଁ ସମୟ ମିଳେ, ସଂଗୀତରେ ବିତାଏ। ମହାପ୍ରଭୁ ମୋତେ ସଂଗୀତ କଳାର ଆଶୀର୍ବାଦ ଦେଇଛନ୍ତି। ସଂଗୀତ ଶିକ୍ଷକତା କରେ। ସରସ୍ବତୀ ଶିଶୁ ମନ୍ଦିର, ବ୍ଲେସ୍‌ଡ ସାକ୍ରାମେଣ୍ଟ ସ୍କୁଲରେ ଶିକ୍ଷକତା କରୁଥିଲି। ଏବେ କେବଳ ବ୍ଲେସ୍‌ଡ ସାକ୍ରାମେଣ୍ଟ ସ୍କୁଲରେ ଶିକ୍ଷକତା କରୁଛି। ରାତିରେ ମହାପ୍ରଭୁଙ୍କ ମାଜଣା ମଣ୍ଡପରେ ତାଙ୍କ ପାଇଁ ଗୀତ ବୋଲେ। ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଏହି ସେବା କରିବାର ମୋତେ ସୌଭାଗ୍ୟ ମିଳିଛି। ଏଣୁ ମୁଁ ମାଜଣା ମଣ୍ଡପରେ ଗୀତଗୋବିନ୍ଦ ସହ ଅନ୍ୟାନ୍ୟ ଭଜନ, ଜଣାଣ ଗାଏ। ଏହାବାଦ୍‌ ଦିନରେ ଶିକ୍ଷକତା ସହ ଅନ୍ୟ ଜାଗାରେ ସଂଗୀତ ଶିଖାଏ। କିନ୍ତୁ ଅକ୍ଷୟ ତୃତୀୟା ଆସି‌ଗଲେ, ସବୁ କାମ ବନ୍ଦ କରି ରଥ ନିର୍ମାଣରେ ଲାଗି ପଡ଼େ।

ଥରେ ରଥ ନିର୍ମାଣ ସମୟରେ ମୋ ବାପାଙ୍କର ହଠାତ୍‌ ଦେହ ଖରାପ ହୋଇାଗଲା। ଚଲାବୁଲା କରିବା ବି କଷ୍ଟସାଧ୍ୟ ହେଲା। ମୁଁ ସଂପୂର୍ଣ୍ଣ ଅସହାୟ ହୋଇପଡ଼ିଲି। ପ୍ରତିଦିନ ମହାପ୍ରଭୁଙ୍କ ଡାକେ, ପ୍ରଭୁ ରଥ କାମ ସରିବା ପର୍ଯ୍ୟନ୍ତ ମୋତେ ସମୟ ଦିଅ। ପରେ ଏହାର ପ୍ରତିକାର କରିବି। ମହାପ୍ରଭୁଙ୍କ କୃପାରୁ ହଠାତ୍‌ ବାପାଙ୍କ ଦେହ ଭଲ ହୋଇଗଲା। ମହାପ୍ରଭୁଙ୍କ କୃପାରୁ ରଥ ନିର୍ମାଣ, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ସରିଲା ପରେ ଅବିଶ୍ବସନୀୟ ଭାବେ ସୁସ୍ଥ ହୋଇ ଯାଇଥିବା ବାପାଙ୍କ ଦେହ ପୁଣି ଖରାପ ହେଲା। ଫଳରେ ବାପାଙ୍କର ଚିକିତ୍ସା କରାଇପାରିଲି।

ନିଜେ ବି ପ୍ରତି ମୁହୂର୍ତ୍ତରେ ମହାପ୍ରଭୁଙ୍କ କରୁଣା ଅଙ୍ଗେ ନିଭେଇଛି। ମୁଁ ଜଣେ ଉଚ୍ଚ ରକ୍ତଚାପ ରୋଗୀ। ଘରେ ଥିବା ସମୟରେ ପ୍ରତିଦିନ ରକ୍ତଚାପ ଔଷଧ ଖାଇବାକୁ ପଡ଼େ। ଦିନେ ଔଷଧ ନ ଖାଇଲେ ଦେହ ଅସୁସ୍ଥ ହୋଇପଡ଼େ। କିନ୍ତୁ ରଥଯାତ୍ରା ସମୟରେ ରଥଖଳାରେ ଅନେକ ସମୟ ଏମିତି ଅଛି, ଔଷଧ ଖାଇନି। କେବଳ ଏ ବର୍ଷ ନୁହେଁ, ପ୍ରତିବର୍ଷ ଏମିତି ହୁଏ। କିନ୍ତୁ ମହାପ୍ରଭୁଙ୍କ ଅପାର କରୁଣା, କୌଣସି ଦିନ ସେଭଳି କଷ୍ଟ ଅନୁଭବ ହୋଇନି କି ଦେହ ଅସୁସ୍ଥ ହୋଇନି।

ସମ୍ବନ୍ଧିତ ଖବର