୭୦ ବର୍ଷୀୟା ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଲେ ବିଏସ୍‌ଏଫ୍‌ ଯବାନ; ହଜିବାର ୨ ବର୍ଷ ପରେ ଘରକୁ ଫେରି ମନାଇଲେ ଖୁସି

ସିକିମ୍‌: ହଜି ଯାଇଥିବା ଲୋକ ଘରକୁ ଫେରିବା ଉଭୟ ସେ ଲୋକ ଓ ପରିବାର ଲୋକଙ୍କ ପାଇଁ ଏକ ଆଶୀର୍ବାଦ ପରି। ୭୦ ବର୍ଷୀୟା ବୃଦ୍ଧା ଜୟମା ଦୀର୍ଘ ୨ ବର୍ଷ ହେବ କେଉଁଆଡ଼େ ହଜି ଯାଇଥିବା ବେଳେ ଜଣେ ବିଏସ୍‌ଏପ୍‌ ଯବାନ ତାଙ୍କୁ ସହାୟତାର ହାତ ବଢ଼ାଇ ପରିବାର ଲୋକଙ୍କ ସହ ଭେଟ କରାଇ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ବୃଦ୍ଧା ଜଣକ ହଜି ଯିବା ପରେ ତାଙ୍କ ପରିବାର ଲୋକ ତାଙ୍କୁ ନିଜ ଗାଁ ଓ ପାଖ ପଡ଼ୋଶୀ ଗାଁଗୁଡ଼ିକରେ ଖୋଜିଥିଲେ ବି ପାଇନଥିଲେ।

ଆସାମର ସୁତାରଖଣ୍ଡିଠାରୁ ୩,୩୩୭ କିଲୋମିଟର୍‌ ଦୂରରୁ ବୃଦ୍ଧାଙ୍କୁ ଅକ୍ଟୋବର ୨୦ ତାରିଖରେ ପାଇଥିବା କଥା ତାଙ୍କ ଝିଅ ସୁନନ୍ଦା ପ୍ରକାଶ କରିଛନ୍ତି। ତେବେ ବୃଦ୍ଧା ଜଣକ କେଉଁ ଭଳି ଭାବେ ଓ କେଉଁ ପରିସ୍ଥିତିରେ ଘରଠାରୁ ଏତେ ଦୂରକୁ ଚାଲି ଯାଇଥିଲେ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ଜାଣିବାକୁ ମିଳିଛି ଯେ ଅକ୍ଟୋବର ୧୮ ତାରିଖରେ ବିଏସ୍‌ଏଫ୍‌ ଯବାନ ଜଣକ ବୃଦ୍ଧାଙ୍କୁ ଏକ ଏକୁଟିଆ ସ୍ଥାନରେ ଦେଖିବାକୁ ପାଇଥିଲେ। ବୃଦ୍ଧା ଜଣକ ଯେଉଁ ଭାଷାରେ କଥା ହେଉଥିଲେ ଯବାନ ବୁଝି ପାରିନଥିଲେ। ମାତ୍ର ସେ ଜାଣି ପାରିଥିଲେ ଯେ ଏହା ହେଉଛି ଦକ୍ଷିଣ ଭାରତୀୟ ଭାଷା। ତେଣୁ ସେ ନିଜର ଦକ୍ଷିଣ ଭାରତୀୟ ଜଣେ ସହକର୍ମୀଙ୍କୁ ଡାକିଥିଲେ। ସହକର୍ମୀ ଜଣଙ୍କ ବୃଦ୍ଧାଙ୍କ ଭାଷା ବୁଝିବାରୁ ଜାଣିବାକୁ ମିଳିଥିଲା ଯେ ତାଙ୍କ ଘର କର୍ଣ୍ଣାଟକର ହସନ ଜିଲ୍ଲାରେ।

ପରବର୍ତ୍ତୀ ମୁହୂର୍ତ୍ତରେ ବୃଦ୍ଧାଙ୍କର ଏକ ଭିଡିଓ କରାଯାଇଥିଲା। ସେହି ଭିଡିଓରେ ତାଙ୍କ ସଂପର୍କିତ ସମସ୍ତ ତଥ୍ୟ ଦିଆଯାଇଥିଲା। ତାହାକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ କରାଯିବାରୁ ବୃଦ୍ଧାଙ୍କ ପରିବାର ଲୋକଙ୍କ ସଂପର୍କରେ ଜାଣିବାକୁ ସହଜ ହୋଇଥିଲା।

ଅକ୍ଟୋବର ୨୦ ତାରିଖରେ ତାଙ୍କ ଅଞ୍ଚଳର ଜଣେ ବ୍ୟକ୍ତି ବୃଦ୍ଧାଙ୍କ ଭିଡିଓ ଦେଖି ତାଙ୍କୁ ଚିହ୍ନି ପାରିଥିଲେ। ଚିହ୍ନି ପାରିବା ପରେ ବୃଦ୍ଧାଙ୍କ ଝିଅକୁ ସୂଚନା ଦେଇଥିଲେ। ଫଳରେ ବୃଦ୍ଧାଙ୍କ ଝିଅ ସୁନନ୍ଦା ତାଙ୍କ ହଜି ଯାଇଥିବା ମାଆଙ୍କୁ ଫେରି ପାଇବାରେ ସମର୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର