ପିଣ୍ତ-ବ୍ରହ୍ମାଣ୍ତ: ବୁଦ୍ଧ ଅବତାର- ୫

ଧ୍ୟାନର ଚରମ ସ୍ଥିତିରେ ସିଦ୍ଧାର୍ଥ। ଦୃଷ୍ଟିପଥରେ ବୁଦ୍ଧତ୍ୱର ଆଭାସ। ଏହି ସମୟରେ ତାଙ୍କ ଆଗରେ ଉଭା ହେଲା ପରମ ଉପଲବ୍‌ଧିର ଶେଷ ଏବଂ ସର୍ବାଧିକ କଠିନ ପ୍ରତିବନ୍ଧକ, ମାର। ଏହା ହେଉଛି ଭୟ, ଭ୍ରାନ୍ତି ଓ ଲୋଭର ଶକ୍ତିଶାଳୀ ସମ୍ମିଶ୍ରଣ। ମାର ସମସ୍ତ ପ୍ରଚେଷ୍ଟା କଲା ତାଙ୍କୁ ବୁଦ୍ଧତ୍ୱ ପଥରୁ ବିଚ୍ୟୁତ କରିବାପାଇଁ। କିନ୍ତୁ ନିଜ ସାଧନାରୁ ବିଚ୍ୟୁତ ହେଲେ ନାହିଁ ସିଦ୍ଧାର୍ଥ। ସେ ଅନୁଭବ କରୁଥିଲେ, ମାର ପ୍ରଦର୍ଶିତ କରୁଥିବା ସମସ୍ତ ଭୟ, ଭ୍ରାନ୍ତି ଓ ଲୋଭର ଏକମାତ୍ର କାରଣ ହେଉଛି ପାର୍ଥକ୍ୟରୂପୀ ମାୟା। ସେ ଜାଣି ପାରିଥିଲେ, ପାର୍ଥକ୍ୟର ଅନୁଭବରେ ହିଁ ମାର ନିଜର ସ୍ଥିତି ବଜାୟ ରଖିପାରେ। ଆଉ ପାର୍ଥକ୍ୟରୁ ମୁକ୍ତି ହିଁ ବୁଦ୍ଧତ୍ୱ ବା ନିର୍ବାଣ। ପାର୍ଥକ୍ୟର ଅନୁଭବ ହିଁ ସମସ୍ତ ଦୁଃଖର କାରଣ। ସିଦ୍ଧାର୍ଥ ନିଜ ନିର୍ବାଣ ଅଭିମୁଖୀ ଧ୍ୟାନକୁ ମାର ଦ୍ୱାରା ଭାଙ୍ଗିବାକୁ ଦେଲେ ନାହିଁ। ମାର ପ୍ରତିହତ ହେଲା, ଆଉ ସିଦ୍ଧାର୍ଥ ବିରାଜମାନ କଲେ ପାର୍ଥକ୍ୟହୀନ ଚିରନ୍ତନ ଅନନ୍ତ ଏକାତ୍ମତା ବା ନିର୍ବାଣ ସ୍ଥିତିରେ।

ଭଗବାନ ବୁଦ୍ଧଙ୍କ ଜୀବନର ଏହି ମାର-ବିଜୟ ଉପାଖ୍ୟାନ ସମସ୍ତ ସାଧକଙ୍କ ପାଇଁ ପ୍ରଣିଧାନଯୋଗ୍ୟ। ଧ୍ୟାନ କରିବାକୁ ବସିଲା ମାତ୍ରେ, ଯେ କୌଣସି ସାଧକ ବିଭିନ୍ନ ପ୍ରକାର ମାନସିକ ପ୍ରତିବନ୍ଧକର ସମ୍ମୁଖୀନ ହୁଅନ୍ତି। ମନରେ ଆସେ, ଧ୍ୟାନରୁ ମିଳିବାକୁ ଥିବା କିଞ୍ଚିତ୍ ଏକାତ୍ମତାର ଶାନ୍ତିପାଇଁ ବହୁତ କିଛି ସାଂସାରିକ ସୁଖକୁ ଜଳାଞ୍ଜଳି ଦେବା କ’ଣ ଠିକ୍‌? ଧ୍ୟାନରେ ସମୟ ବ୍ୟୟ ନକଲେ ସେହି ସମୟରେ ହୁଏତ ଅନେକ କିଛି ଅନ୍ୟ ସୁଖ ମିଳିବ। ଧ୍ୟାନ କରିବା ଦ୍ୱାରା ନିଜ ଜୀବନର ପ୍ରଗତିରେ ବାଧା ସୃଷ୍ଟି ହେଉଛି; ଏହି ଭାବନା ମଧ୍ୟ ମନକୁ ଆସେ। ଅନେକ ସମୟରେ ମନ କହେ, ଧ୍ୟାନରୁ ଯେତିକି ଆନନ୍ଦ, ଶାନ୍ତି ଓ ସିଦ୍ଧି ମିଳିଲାଣି, ସେତିକିରେ ସନ୍ତୁଷ୍ଟ ହୋଇ ନଯିବା କାହିଁକି?

ଏହି ସବୁ ମାରରୂପୀ ଚିନ୍ତନ ସାଧକଙ୍କୁ ସାଧନାପଥରୁ ବିଚ୍ୟୁତ କରିବାପାଇଁ ଚେଷ୍ଟା କରନ୍ତି। ପ୍ରତ୍ୟେକ ଥର ଧ୍ୟାନରେ ବସିଲେ ଏହା ଘଟେ। କିନ୍ତୁ ଭଗବାନ ବୁଦ୍ଧଙ୍କ ମାରବିଜୟ ଦ୍ୱାରା ଅନୁପ୍ରାଣିତ ହୋଇ ଯଦି ଜଣେ ସାଧକ ଧ୍ୟାନସାଧନା ଜାରି ରଖେ, ତା’ହେଲେ ସେ ନିଶ୍ଚିତ ଭାବରେ ସବୁଥର କିଛି ନା କିଛି ଉଚ୍ଚ ସ୍ତରର ଅନୁଭବ ପାଏ। ପ୍ରତ୍ୟେକ ଧ୍ୟାନ ପ୍ରଚେଷ୍ଟା ଆରମ୍ଭ ହୁଏ ମାର ସହ ଲଢ଼େଇରୁ। ସାଧକଙ୍କ ପାଇଁ ଏହି ଲଢ଼େଇ ସେହିଯାଏ ଜାରି ରହେ, ଯେଉଁଯାଏ ସେ ପତନହୀନ ନିର୍ବାଣ ସ୍ଥିତିରେ ନ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର