ଆଜି ବୁଦ୍ଧ ପୂର୍ଣ୍ଣିମା। ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ଗୌତମ ବୁଦ୍ଧ ଜୀବନଦର୍ଶନ ଉପରେ ବହୁ କଥା କହି ଯାଇଥିବା ବେଳେ ଆଜି ଆମେ ଆଲୋଚନା କରିବା ସେ ବର୍ଣ୍ଣନା କରିଯାଇଥିବା ଏକ ଉତ୍ତମ କାହାଣୀ ବିଷୟରେ।
କାହାଣୀଟି ଏମିତି। ଜଣେ ବ୍ୟକ୍ତିଙ୍କର ୪ ଜଣ ପତ୍ନୀ ଥିଲେ। ବ୍ୟକ୍ତିଙ୍କ ମୃତ୍ୟୁ ସମୟ ପାଖେଇ ଆସିଲା। ସେ ପ୍ରଥମେ ଯାଇ ତାଙ୍କ ପ୍ରଥମ ପତ୍ନୀଙ୍କୁ କହିଲେ, ‘ମୁଁ ତୁମକୁ ଜୀବନରେ ସବୁଠାରୁ ଅଧିକ ପ୍ରେମ କରିଛି। କ’ଣ ତୁମେ ମୋ ସହ ମୋ ମୃତ୍ୟୁ ପରେ ସ୍ବର୍ଗକୁ ଯିବ?’ ପତ୍ନୀ ଉତ୍ତର ଦେଲେ, ‘ମୁଁ ଯାଇପାରିବି ନାହିଁ। ଆମ ମିଳନ ଏତିକି ଦିନ ପର୍ଯ୍ୟନ୍ତ ଥଲା। ଏବେ ତୁମର ବିଦାୟ ବେଳ ଆସି ଯାଇଛି।’
ବ୍ୟକ୍ତିଜଣକ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ପାଖକୁ ଗଲେ ଓ କହିଲେ, ‘ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ଗୁରୁତ୍ବ ମୁଁ ତୁମକୁ ଦେଇଛି। ତମେ ମୋ ସାଥିରେ ଯିବକି?’ ପତ୍ନୀ ଉତ୍ତର ଦେଲେ, ‘ତମେ ତୁମର ସ୍ବାର୍ଥ ପାଇଁ ମୋତେ ଗୁରୁତ୍ବ ଦେଇଛ। ମୁଁ ତୁମ ସହ ଯିବି ନାହିଁ।’
ବ୍ୟକ୍ତି ତା’ପରେ ତୃତୀୟ ପତ୍ନୀଙ୍କୁ କହିଲେ, ‘ମୁଁ ତୁମର ସବୁ ସୁଖ, ଦୁଃଖରେ ସାଥୀରେ ରହିଛି। ତମେ ତ ମୋ ସାଥୀରେ ଚାଲ।’ ତୃତୀୟ ପତ୍ନୀ ଉତ୍ତର ଦେଲେ, ‘ମୁୁଁ ଶ୍ମଶାନ ପର୍ଯ୍ୟନ୍ତ ଯାଇ ତୁମକୁ ବଳେଇ ଦେଇ ଆସିବି। ତା’ଠାରୁ ଅଧିକ ଦୂର ଯାଇପାରିବି ନାହିଁ।’
ବ୍ୟକ୍ତି ତାଙ୍କ ୪ର୍ଥ ପତ୍ନୀଙ୍କ କଥା ଭାବି ଟିକେ ସଙ୍କୋଚ କଲେ। ଭାବିଲେ ୪ର୍ଥ ପତ୍ନୀଙ୍କୁ ତ ମୁଁ ସବୁଠାରୁ ଅଧିକ ଅଣଦେଖା କରିଛି। ତାଙ୍କୁ କିପରି କହିବି ମୋ ସହ ଯିବାକୁ? ତଥାପି ବି ସେ ପଚାରିଲେ, ‘ତମେ ମୋଠାରୁ ଏତେ ଅପମାନ ସହିବା ପରେ ବି ମୋ ସହ ଯିବାକୁ ଚାହିଁବ କି?’ ୪ର୍ଥ ପତ୍ନୀ ହଁ ଭରିଲେ। ମୁଁ ସବୁବେଳେ ତୁମ ସାଥୀରେ ଥିଲି, ଅଛି ଓ ରହିବି ବୋଲି ଉତ୍ତର ଦେଲେ।
ବୁଦ୍ଧ ବାଖ୍ୟା କରିଥିବା ସେ ପ୍ରଥମ ପତ୍ନୀ ଜଣକ ହେଉଛି ଶରୀର, ଦ୍ବିତୀୟ ପତ୍ନୀ ହେଲା ବୃତ୍ତି, ତୃତୀୟ ପତ୍ନୀ ହେଲା ସଂପର୍କ ଓ ୪ର୍ଥ ପତ୍ନୀ ହେଲା ସତ୍କର୍ମ।