ମୁମ୍ବାଇ: ମହାରାଷ୍ଟ୍ରର ଥାନେଠାରେ କଳାଯାଦୁ ନାମରେ ୫୬ ଲକ୍ଷ ଟଙ୍କାର ଏକ ଠକେଇ ମାମଲା ସାମ୍ନାକୁ ଆସିଛି। ଏକ ଠକ ଦଳ କଳାଯାଦୁ କରି ୫୬ ଲକ୍ଷ ଟଙ୍କାକୁ ୫୦ କୋଟିରେ ବଦଳାଇ ଦେବ ବୋଲି ବିଶ୍ବାସ ଜନ୍ମାଇବା ପରେ ସେହି ଦଳ ଉପରେ ବିଶ୍ବାସ କରି ଜଣେ ବିଲ୍ଡର ସେମାନଙ୍କୁ ଟଙ୍କା ଦେଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଠକାମୀର ଶିକାର ହୋଇଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ପୁଲିସ୍ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ପୁଲିସ୍ ଅଧିକାରୀ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ୫ ଜଣ ଠକ ମିଶି ବିଲ୍ଡରଙ୍କୁ କଳାଯାଦୁ ବିଷୟରେ ବୁଝାଇ ତାଙ୍କଠାରୁ ଟଙ୍କା ଠକି ନେଇଛନ୍ତି। ମନପାଡ଼ା ପୁଲିସ୍ ତଦନ୍ତ କରି ଜାଣିବାକୁ ପାଇଛି ଯେ ୫ ଜଣ ଅଭିଯୁକ୍ତ ବିଲ୍ଡରଙ୍କୁ କହିଥିଲେ କି ସେମାନେ ୫୬ ଲକ୍ଷ ଟଙ୍କା ନେଇ ପୂଜାସ୍ଥଳକୁ ଯିବେ। ସେଠାରେ ସେମାନେ କିଛି ଜରୁରୀ କାର୍ଯ୍ୟ ପୂରା କରିବେ। ସବୁ କ୍ରିୟା ହେବା ପରେ ଯାଇ ୫୬ ଲକ୍ଷ ଟଙ୍କା ୫୦ କୋଟିରେ ବଦଳିଯିବ।
ବିଲ୍ଡର ଜଣକ ସେମାନଙ୍କ କଥାରେ ଆସିଗଲେ ଓ ସେମାନଙ୍କୁ ନିଜର ସମସ୍ତ ପୁଞ୍ଜି ଝାଡ଼ିଝୁଡ଼ି ଦେଇଦେଲେ। ମାତ୍ର ଉକ୍ତ ୫ ଜଣ ଟଙ୍କା ନେଇ ଏବେ କେଉଁ ଆଡ଼େ ଫେରାର୍ ହୋଇ ଯାଇଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ଯେତେବେଳେ ବିଲ୍ଡର୍ ସେମାନଙ୍କୁ ଖୋଜିଲେ ଆଉ ପାଇଲେ ନାହିଁ। ପୁଲିସ୍ ଅଭିଯୋଗ ପାଇବା ପରେ ୫ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।