ଭାରତୀୟ ସେନାର ଉପମୁଖ୍ୟ ଦାୟିତ୍ବ ନିର୍ବାହ କରୁଥିବା ଲେଫ୍ଟନାଣ୍ଟ୍ ଜେନେରାଲ୍ ରାହୁଲ ଆର୍. ସିଂହ ଅପରେସନ୍ ସିନ୍ଦୂରର ସଫଳତା ପଛରେ ଅନ୍ତର୍ନିହିତ ଥିବା କାରଣଗୁଡ଼ିକୁ ସାମ୍ନାକୁ ଆଣିଛନ୍ତି। ଅପରେସନ୍ ସିନ୍ଦୂର ଯୁଦ୍ଧକ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାରରେ ସେନାର ଦକ୍ଷତା ପ୍ରତିପାଦିତ କରିବା ସହ ସୀମା ଆରପଟୁ ସମ୍ମୁଖୀନ ହେଉଥିବା ଆହ୍ବାନର ମୁକାବିଲା ଲାଗି ମାନସିକସ୍ତରରେ ପ୍ରସ୍ତୁତ କରାଇଛି। ଏହି ପାକ୍ ବିପକ୍ଷ ଅଭିଯାନ ‘ଗୋଟିଏ ସୀମା ଓ ତିନି ଶତ୍ରୁ’ ତତ୍ତ୍ବକୁ ଲୋକଲୋଚନକୁ ଆଣିଛି। ଏସବୁ ପ୍ରସଙ୍ଗରେ ଲେଫ୍ଟନାଣ୍ଟ୍ ଜେନେରାଲ୍ ସିଂହଙ୍କ ସହିତ ଆଲୋଚନା କରିଛନ୍ତି ଆମର
ବରିଷ୍ଠ ପ୍ରତିନିଧି ବିଭୂତି ପତି
ଲେଫ୍ଟନାଣ୍ଟ୍ ଜେନେରାଲ୍ ରାହୁଲ୍ ଆର୍ ସିଂହ ସମ୍ମାନଜନକ ଖଡ୍ଗା କୋର୍ ଜେନେରାଲ୍ ଅଫିସର୍ କମାଣ୍ଡିଂ (ଜିଓସି) ଦାୟିତ୍ୱ ଅତ୍ୟନ୍ତ ସଫଳତାର ସହିତ ନିର୍ବାହ କରିବା ପରେ ତାଙ୍କୁ ସ୍ଥଳସେନାର ଉପ-ସେନାମୁଖ୍ୟ ପଦବିରେ ନିଯୁକ୍ତି ମିଳିଛି। ‘ଅପରେସନ୍ ସିନ୍ଦୂର’ ସମୟରେ ତାଙ୍କର ଉଚ୍ଚମାନର କାର୍ଯ୍ୟଶୈଳୀ ପ୍ରଶଂସିତ ହୋଇଥିଲା। ଖଡ଼କ୍ୱାସ୍ଲାସ୍ଥିତ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନ୍ଡିଏ), ୱେଲିଙ୍ଗ୍ଟନ୍ସ୍ଥିତ ଡିଫେନ୍ସ ସର୍ଭିସ୍ ଷ୍ଟାଫ୍ କଲେଜ (ଡିଏସ୍ଏସ୍ସି), ସିକନ୍ଦରାବାଦସ୍ଥିତ କଲେଜ ଅଫ୍ ଡିଫେନ୍ସ ମ୍ୟାନେଜ୍ମେଣ୍ଟ୍ ଏବଂ ନୂଆଦିଲ୍ଲୀର ନ୍ୟାସ୍ନାଲ୍ ଡିଫେନ୍ସ କଲେଜର (ଏନ୍ଡିସି) ପୂର୍ବତନ ଛାତ୍ର ରାହୁଲ୍ ଆର୍ ସିଂହ ୩୪ ବର୍ଷରୁ ଅଧିକ ସେନାରେ କାର୍ଯ୍ୟକରିବାର ଅଭିଜ୍ଞତା ହାସଲ କରିଛନ୍ତି। ସେ ଉଭୟ ଶାନ୍ତି ଏବଂ ଯୁଦ୍ଧ ସମୟରେ ପ୍ରମୁଖ କମାଣ୍ଡ୍ ଭାବେ ଦକ୍ଷତାରେ ସହ ସେନା ପରିଚାଳନା କରିବାର ଗୌରବ ହାସଲ କରିଛନ୍ତି। ସେ ଏନ୍ଡିଏ ସ୍କୁଲ୍ ଅଫ୍ ଆର୍ଟିଲେରିରେ ପ୍ରଶିକ୍ଷକ, ଇଥିଓପିଆରେ ଭାରତୀୟ ସେନା ତାଲିମ ଦଳର ଟିମ୍ ଲିଡର୍ ଏବଂ ଆଙ୍ଗୋଲାରେ ଜାତିସଂଘ ମିସନ୍ର ବରିଷ୍ଠ ସେନା ପଦାଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଅମ୍ବାଲାସ୍ଥିତ ଖଡ୍ଗା କୋର୍ ‘ଜିଓସି’ ପଦବିରେ ନିଯୁକ୍ତି ପୂର୍ବରୁ ରାହୁଲ୍ ଆର୍ ସିଂହ ସେନା ମୁଖ୍ୟାଳୟରେ ଅପରେସନ୍ ଲଜିଷ୍ଟିକ୍ସ ଓ ଷ୍ଟ୍ରାଟେଜିକ୍ ମୁଭ୍ମେଣ୍ଟ୍ର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ।
ଇତିମଧ୍ୟରେ ‘ଅପରେସନ୍ ସିନ୍ଦୂର’କୁ ପ୍ରାୟ ଅଢ଼େଇମାସ ବିତିଗଲାଣି। ତଥାପି ଏହାକୁ ନେଇ ବିଭିନ୍ନ ମଞ୍ଚରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ତେବେ ସେ ସମୟରେ ପାକିସ୍ତାନ ପ୍ରତି ତୁର୍କୀ ଓ ଚୀନ୍ର ପରୋକ୍ଷ ସହାୟତାକୁ ଆପଣ କିଭଳି ଆକଳନ କରନ୍ତି?
ଚୀନ୍ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପରୀକ୍ଷଣର ଏକ ଜୀବନ୍ତ ପରୀକ୍ଷାଗାରରେ ପରିଣତ କରିଛି। ଏହା ଫଳରେ ଚୀନ୍ ବିଶ୍ବର ଅନ୍ୟ ଅସ୍ତ୍ର ବ୍ୟବସ୍ଥା ବିପକ୍ଷରେ ନିଜ ଅସ୍ତ୍ରଶସ୍ତ୍ରଗୁଡ଼ିକ କେତେଦୂର ଫଳପ୍ରଦ ହେଉଛି, ତାହା ମୂଲ୍ୟାୟନ କରିବାର ସୁଯୋଗ ପାଇଛି। ଆବଶ୍ୟକ ସହଯୋଗ ପ୍ରଦାନକରି ତୁର୍କୀ ମଧ୍ୟ ଏ କ୍ଷେତ୍ରରେ ପାକିସ୍ତାନକୁ ନିଜ ସ୍ବାର୍ଥସାଧନ ପାଇଁ ବ୍ୟବହାର କରିଛି। କେବଳ ସେତିକି ନୁହେଁ, ଚୀନ୍ ଗୁଇନ୍ଦା ସୂଚନା ଯୋଗାଇ ପାକିସ୍ତାନକୁ ପ୍ରତ୍ୟକ୍ଷ ସହାୟତା କରିଥିଲା। ତେବେ ଚୀନ୍ର କ୍ଷେପଣାସ୍ତ୍ର ଓ ଲଢୁଆ ବିମାନ ଏବଂ ତୁର୍କୀର ଡ୍ରୋନ୍ଗୁଡ଼ିକୁ ଭାରତ ସଫଳତାର ସହ ମୁକାବିଲା କରିଥିଲା। ସେଗୁଡ଼ିକ ପ୍ରଭାବହୀନ ପ୍ରମାଣିତ ହୋଇଥିଲେ। ଏହା ସେ ଦୁଇ ଦେଶ ଲାଗି ଶିକ୍ଷା ହୋଇଥିବ ବୋଲି ମୋର ବିଶ୍ବାସ।
ଭାରତ ଦ୍ବାରା ଆଦାନପ୍ରଦାନ କରାଯାଉଥିବା ଏନ୍କ୍ରିପ୍ଟେଡ୍ ବାର୍ତ୍ତାକୁ ଚୀନ୍ ତା’ର ଇ.ଏଲ୍.ଆଇ.ଏନ୍.ଟି. (ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସ୍ ସିଗ୍ନାଲ୍ ଇଣ୍ଟେଲିଜେନ୍ସ୍) ପ୍ରଣାଳୀ ବ୍ୟବହାର କରି ପଢ଼ିପାରିଥିଲା। ଯାହା ଫଳରେ ଏହି ଗୋପନୀୟ ବାର୍ତ୍ତା ଚୀନ୍ ମାଧ୍ୟମରେ ପାକିସ୍ତାନ ନିକଟରେ ପହଞ୍ଚିଥିଲା। ଏହାସତ୍ତ୍ବେ ସେମାନଙ୍କର ଅଘୋଷିତ ସାମରିକ ମିତ୍ରତା ଭାରତ ବିପକ୍ଷରେ ଫଳପ୍ରସୂ ସାବ୍ୟସ୍ତ ହୋଇ ନଥିଲା। ଚୀନ୍ ଓ ପାକିସ୍ତାନର ସାମରିକ ସହଭାଗିତାକୁ ନେଇ ଆପଣଙ୍କର ମତ କ’ଣ? ଏହା କେତେ ସଫଳ?
ଚୀନ୍ ଓ ପାକିସ୍ତାନ ସାମରିକ ସହଭାଗିତା ଏପରି ସ୍ତରରେ ପହଞ୍ଚିଛି ଯେ ଚୀନ୍ ଏବେ ଭାରତର ପଛଦ୍ବାର ଶତ୍ରୁ ରୂପେ ବିବେଚିତ ହେଉଛି। ଏହାବ୍ୟତୀତ ଅପରେସନ୍ ସିନ୍ଦୂର ସମୟେର ତୁର୍କୀ ପାକିସ୍ତାନକୁ ସହଯୋଗ କରିବା ଫଳରେ ଭାରତ ତା’ର ପଶ୍ଚିମ ସୀମାରେ ଏକା ସାଙ୍ଗରେ ତିନିଟି ପ୍ରତିପକ୍ଷ (ଚୀନ୍, ପାକିସ୍ତାନ ଓ ତୁର୍କୀ)ର ମୁକାବିଲା କରିଥିଲା। ଅନ୍ୟ ପକ୍ଷରେ ପାକିସ୍ତାନ ଚୀନ୍ ଓ ତୁର୍କୀର ସାମରିକ ଉପକରଣ ଓ ପ୍ରଣାଳୀ ଉପରେ ନିର୍ଭରଶୀଳ ହୋଇ ବିଫଳତା ପାଇଛି। ତୁର୍କୀର ଡ୍ରୋନ୍ ସହିତ ଚୀନ୍ର ପି.ଏଲ୍-୧୫ କ୍ଷେପଣାସ୍ତ୍ର, ଜେ-୧୦ ଓ ଜେ.ଏଫ୍-୧୭ ଲଢୁଆ ବିମାନ ଏବଂ ଏଚ୍. କ୍ୟୁ. ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିଶେଷ ସଫଳତା ଦେଇନାହିଁ। ଫଳରେ ପାକିସ୍ତାନ ଚୀନ୍ ସହ ସାମରିକ ସହଭାଗିତାର ଭବିଷ୍ୟତ ଉପରେ ଚିନ୍ତା କରିବା ଆରମ୍ଭ କରିଛି। ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ଚୀନ୍ ଠାରୁ ନିଜକୁ ଦୂରେଇ ସାମରିକ ସହଭାଗିତା ପାଇଁ ଆମେରିକା ଆଡ଼କୁ ମୁହଁାଇଛି।
ଭାରତ ମଧ୍ୟ କୌଣସି ସାମରିକ ଉପକରଣରେ ଚୀନ୍ ନିର୍ମିତ ଯନ୍ତ୍ରାଂଶ ବ୍ୟବହାର କରିବ ନାହିଁ ବୋଲି ଜଣାପଡ଼ିଛି। ଏହାର ସତ୍ୟତା କେତେ?
ହଁ, ଭାରତୀୟ ସେନା ଡିଜାଇନ୍ ବ୍ୟୁରୋର ଏ.ଡି.ଜି. ମେଜର୍ ଜେନେରାଲ୍ ସି. ଏସ୍. ମାନ୍ ଘୋଷଣା କରିଛନ୍ତି ଯେ ଚୀନ୍ରୁ ଅଣାଯାଇଥିବା କୌଣସି ଯନ୍ତ୍ରାଂଶ ଭାରତର କୌଣସି ସାମରିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ। ଅଭିଯାନ ସମୟରେ ବିପଦ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ବିଶେଷକରି ଡ୍ରୋନ୍ ବ୍ୟବସ୍ଥାରେ ଆମେ କଠୋର ଯାଞ୍ଚ ଓ ପ୍ରୋେଟାକଲ୍ କାର୍ଯ୍ୟକାରୀ କରୁଛୁ। ସିନ୍ଦୂରର ସଫଳତା ପରେ ଆଗାମୀକାଲିର ଯୁଦ୍ଧରେ ଆମେ ଅଗ୍ରଣୀ ରହିବାର ଆହ୍ବାନକୁ ଅଧିକ ସଫଳ କରିପାରିବୁ ବୋଲି ମୁଁ ଆଶା କରୁଛି।
ଭାରତୀୟ ସେନା ପକ୍ଷରୁ ଅତୀତରେ ହୋଇଥିବା ସାମରିକ ଅଭିଯାନଗୁଡ଼ିକ ଠାରୁ ଅପରେସନ୍ ସିନ୍ଦୂର କିପରି ସ୍ବତନ୍ତ୍ର?
ଅପରେସନ୍ ସିନ୍ଦୂରର ମୁକାବିଲା ଲାଗି ପାକିସ୍ତାନ ତା’ର ଅସ୍ତ୍ରାଗାରର ୮୧% ବ୍ୟବହାର କରିଥିଲା। ସୂତ୍ର ଅନୁଯାୟୀ, ଏହି ସଂଘର୍ଷକୁ ଏକ ବାସ୍ତବ ଅସ୍ତ୍ର ପରୀକ୍ଷଣ କ୍ଷେତ୍ର ରୂପେ ବ୍ୟବହାର କରିଥିଲା। ଅପରେସନ୍ ସିନ୍ଦୂର ଏକ ପାରମ୍ପରିକ ଅଭିଯାନ ନ ଥିଲା, ଏହା ପଞ୍ଚମ ପିଢ଼ିର ବହୁ-କ୍ଷେତ୍ରୀୟ ସଂଘର୍ଷ ପାଇଁ ଏକ ପରୀକ୍ଷା ଥିଲା। ଚୀନ୍ ଦ୍ବାରା ରଚିତ, ପାକିସ୍ତାନ ଦ୍ବାରା ପରିଚାଳିତ ଓ ତୁର୍କୀ ଦ୍ବାରା ସମର୍ଥିତ ଚକ୍ରବ୍ୟୂହକୁ ଭାରତ ଅନାୟସରେ ବିଧ୍ବସ୍ତ କରିଛି। ତିନିଦେଶର ଛାୟାଯୁଦ୍ଧକୁ ଭାରତ ନିଜ ବଳରେ ବିଫଳ କରିଦେଇଛି। ଭାରତର ଏହି ରଣନୈତିକ ସଫଳତା ନୂତନ ପିଢ଼ିର ସାମରିକ ଅଭିଯାନର ଅଭିଜ୍ଞତା ସହ ଶତ୍ରୁପକ୍ଷର ମୁକାବିଲାରେ ଅତ୍ୟାଧୁନିକ ପ୍ରଯୁକ୍ତିର ସଫଳ ପ୍ରୟୋଗ ଶିକ୍ଷା କରିଛି। ଅପରେସନ୍ ସିନ୍ଦୂରରେ ଭାରତ ନିଜର ମାନବୀୟ ସମ୍ବଳର କ୍ଷତି ହ୍ରାସ କରିପାରିଛି।
ଅପରେସନ୍ ସିନ୍ଦୂର ସମୟରେ କେଉଁ କେଉଁ ଅତ୍ୟାଧୁନିକ ପ୍ରଯୁକ୍ତି ପ୍ରୟୋଗ ହୋଇଥିଲା?
ଭବିଷ୍ୟତର ଯୁଦ୍ଧ କେବଳ ସେନ୍ସର୍ ଦ୍ବାରା ପରିଚାଳିତ ହେବ, ଟ୍ୟାଙ୍କ୍ ଦ୍ବାରା ନୁହେଁ। ଅପରେସନ୍ ସିନ୍ଦୂର ଆମକୁ ଏହି ଶିକ୍ଷା ଦେଇଛି। ଆଗାମୀ ଦିନରେ ଭାରତ ସେନ୍ସର୍ ଲଢ଼େଇ ପାଇଁ ସମର୍ଥ ବୋଲି ପ୍ରମାଣିତ ହୋଇଛି। ଇଲେକ୍ଟ୍ରୋନିକ୍ ଯୁଦ୍ଧରେ ଭାରତର ପ୍ରୋଜେକ୍ଟ୍ କୌଟିଲ୍ୟର ଜାମର୍ଗୁଡ଼ିକ ଚୀନ୍-ପାକିସ୍ତାନ ଆଇ.ଏସ୍.ଆର୍. ଯୋଗାଯୋଗକୁ ସଫଳତାର ସହ ବ୍ୟାହତ କରିଛନ୍ତି। ଶତ୍ରୁପକ୍ଷର ଡ୍ରୋନ୍ଗୁଡ଼ିକୁ ଲକ୍ଷ୍ୟଭେଦରେ ବିଫଳ କରିଛନ୍ତି ତଥା ତୋପଗୁଡ଼ିକର ଲକ୍ଷ୍ୟ ନିର୍ଦ୍ଧାରଣକୁ ସଠିକ୍ କରିଛନ୍ତି। ସ୍କାଏ ଷ୍ଟ୍ରାଇକର୍ ଡ୍ରୋନ୍, ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଓ ସ୍କାଲ୍ପ-ଇ.ଜି. କ୍ରୁଇଜ୍ କ୍ଷେପଣାସ୍ତ୍ର ଦ୍ବାରା ନିରାପଦ ଦୂରତ୍ବରୁ ଆକ୍ରମଣ ସମ୍ଭବ ହୋଇଛି। ଆଇ.ଏସ୍.ଆର୍. ଦ୍ବାରା ତଥ୍ୟ ଚୋରି ହୋଇଯିବା ଆଶଙ୍କା ଏଡ଼ାଇବା ସକାଶେ କେଉଁ ଲକ୍ଷ୍ୟଭେଦ କରାଯିବ ସେ ସଂପର୍କିତ ନିଷ୍ପତ୍ତି ଗ୍ରହଣକୁ ୬୦ ମିନିଟ୍ରୁ କମ୍କୁ ହ୍ରାସ କରାଯାଇଥିଲା। ଯୁଦ୍ଧର ଏହି ବୈଷୟିକ ବିଭାଗରେ ଭାରତ ସଫଳ ପ୍ରଦର୍ଶନ କରିଛି। ଏହା ପ୍ରଥମଥର ଲାଗି ଅପରେସନ୍ ସିନ୍ଦୂରରେ ପରୀକ୍ଷିତ ହୋଇଛି।
ଅପରେସନ୍ ସିନ୍ଦୂରର ସଫଳତା ପଛରେ କୂଟନୈତିକ ଦକ୍ଷତା କେତେ ସହାୟକ ହୋଇଛି?
ଅପରେସନ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍ ଏବଂ ଉପସାଗରୀୟ ସହଯୋଗୀମାନଙ୍କୁ ଅଭିଯାନ ସଂପର୍କରେ ଅବଗତ ରଖି ସେମାନଙ୍କର କୂଟନୈତିକ ସମର୍ଥନ ହାସଲ କରିଥିଲେ। ଏଥିସହ ଚୀନ୍ କିପରି ଗୁପ୍ତରେ ଭାରତ ବିରୋଧରେ ଛାୟାଯୁଦ୍ଧ କରୁଛି ସେ ସଂପର୍କରେ ଅବଗତ କରାଇଥିଲେ। ଏହି କୂଟନୈତିକ ସଫଳତା ଅଭିଯାନକୁ ସଫଳ କରିବାରେ ବହୁ ଭାବେ ସହାୟକ ହୋଇଥିଲା।
ଅପରେସନ୍ ସିନ୍ଦୂରରେ ଭାରତୀୟ ସେନାର କେଉଁ ରଣନୀତି ସଫଳତା ଲାଗି ବାଟ କଢ଼ାଇଥିଲା?
ଶତ୍ରୁପକ୍ଷର ଶକ୍ତି ଓ ସାମର୍ଥ୍ୟକୁ ପ୍ରଥମେ ପୁଙ୍ଖାନୁପୁଙ୍ଖ ପର୍ଯ୍ୟବେକ୍ଷଣ କରିବା ଏବଂ ପ୍ରଥମେ ଆକ୍ରମଣ କରିବା ଦ୍ବାରା ଭାରତ ଏହି ସାମରିକ ଅଭିଯାନରେ ଅଗ୍ରଣୀ ହୋଇ ରହିଥିଲା। ଭାରତ ଅାଗୁଆ ରହିବା କ୍ଷେତ୍ରରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଦ୍ରୁତ କୌଶଳ ପରିବର୍ତ୍ତନ ସାମର୍ଥ୍ୟ (ରାପିଡ୍ ଟାକ୍ଟିକାଲ୍ ଆବିଲିଟି)। ସ୍ବଳ୍ପ ସମୟ ମଧ୍ୟରେ ଭାରତ ଡ୍ରୋନ୍ ପରିଚାଳିତ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇପାରିବା, ଇଲେକ୍ଟ୍ରୋନିକ୍ ଯୁଦ୍ଧ ଏବଂ ମାତ୍ର ୪୮ ଘଣ୍ଟା ମଧ୍ୟରେ ଥିଏଟର୍-ସ୍ତରୀୟ କମାଣ୍ଡକୁ ରୂପାନ୍ତରିତ ହୋଇପାରିବାର କ୍ଷମତା ପ୍ରତିପକ୍ଷର ଅଗ୍ରଗତିକୁ ବାଧା ଦେଇ ଆମକୁ ସଫଳ କରିଥିଲା।