ପୁରୀ: ନାରାୟଣୀ ବନ୍ତରେ ପୂଜା ପାଉଥିବା ଐତିହ୍ୟ ପୀଠ ଦେବୀ ନାରାୟଣୀ ପରମ ବୈଷ୍ଣବୀ ଭାବେ ଆବିର୍ଭୂତ। ମା'ଙ୍କ ପ୍ରତିଷ୍ଠା ପଛରେ ଯେଉଁ ଅନାଲୋଚିତ କାହାଣୀ ରହିଛି ତାହା କାଳକାଳ ଧରି ୯ଟି ମୌଜାର ବାସିନ୍ଦାଙ୍କ ଗୌରବକୁ ଅକ୍ଷୁର୍ଣ୍ଣ ରଖିଛି। ଶାରଦୀୟ ପୂଜା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଦେବୀ ପୀଠର ରୋଚକ ଇତ୍ତିବୃତ୍ତ ଯେତିକି ମୁଗ୍ଧ କରେ ସେତିକି ରୋମାଞ୍ଚିତ କରେ। ଐତିହ୍ୟ ବିଶାରଦ ଡ.ସୁରେନ୍ଦ୍ର କୁମାର ମିଶ୍ରଙ୍କ କହିବା ମୁତାବକ, ପୁରୀରୁ କୋଣାର୍କ ଦିଗରେ ୧୫ କିଲୋମିଟର ପଥ ଅତିକ୍ରମ ପରେ ଦକ୍ଷିଣ ପାର୍ଶ୍ବରେ ଜଙ୍ଗଲମୟ ପରିବେଶରେ ପ୍ରାଚୀନ କାଳରୁ ମା’ ପୂଜା ପାଇଆସୁଥିଲେ। ୧୫୬୭ ମସିହାରେ କଳାପାହାଡ଼ କୋଣାର୍କ ସୂର୍ଯ୍ୟମନ୍ଦିର ଆକ୍ରମଣ ପରେ ପୁରୀକୁ ଅଭିଯାନ ଆରମ୍ଭ କରିଥିଲା। ଏହି ଖବର ଜାଣିପାରି ବେଲଦଳ, ସମଗରା, ନାଗାପାଟଣା, ଗୋପାଳପୁର, ବେଲେଶ୍ବରପାଟଣା, ରେଣ୍ଡୁଅ, ରାମେଶ୍ବରପାଟଣା, ବାଲିପାଟଣା, ବାଲିଗୁଆଳିର ଲଢ଼ୁଆ ବୀର ପାଇକମାନେ କଳାପାହାଡ଼ର ସେନା ଉପରେ ଅତର୍କିତ ଆକ୍ରମଣ କରିଥିଲେ।
ସେହି ସମୟରେ ପାଇକ ବାହିନୀର ଆରଧ୍ୟା ଶ୍ରୀନାରାୟଣୀଙ୍କ ପ୍ରାଚୀନ ମନ୍ଦିରକୁ କଳାପାହାଡ଼ ଭାଙ୍ଗି ଦେଇଥିଲା। ଭଗ୍ନ ମନ୍ଦିରର ପଥର ଖଣ୍ଡ ସବୁ ଏବେ ବି ବାଲିବନ୍ତ ଉପରେ ପଡ଼ିରହିଛି। ଶ୍ରୀ ମିଶ୍ରଙ୍କ କହିବା ମୁତାବକ, ସେବେଠାରୁ ଦେବୀଙ୍କ ବିଗ୍ରହ ବାଲି ତଳେ ପୋତି ହୋଇ ରହିଥିଲା। ତେବେ ୯ଖଣ୍ଡ ମୌଜାର ବୟୋଜ୍ୟେଷ୍ଠ ଲୋକେ ଆଗ୍ରହ ପ୍ରକାଶ କରି ବିଗ୍ରହଙ୍କୁ ବାଲି ତଳୁ ଉଦ୍ଧାର କରିଥିଲେ। ବନ୍ତ ଉପରେ ଥିବା ଏକ ପିଣ୍ଡି ଉପରେ ଦେବୀଙ୍କୁ ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଶ୍ରୀନାରାୟଣୀ ଫାଉଣ୍ଡେସନ ଗଢ଼ା ଯାଇ ପୀଠର ଉନ୍ନତି କରାଯାଇଛି। ବନ୍ତକୁ ରାସ୍ତା ନିର୍ମାଣ ଓ ଆଲୋକ ବ୍ୟବସ୍ଥା ପରେ ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନ ବୃଦ୍ଧି ପାଇଛି। ୯ଟି ମୌଜାର ଭକ୍ତମାନେ ପାଳି କରି ଦେବୀଙ୍କ ନିକଟରେ ଭୋଗ କରୁଛନ୍ତି। କୌତୁହଳ ଏହି ଯେ ଶ୍ରୀମନ୍ଦିରଠାରୁ ବ୍ରହ୍ମଗିରି ଦିଗରେ ଥିବା ଦେବୀ ହରଚଣ୍ଡୀ ଓ କୋଣାର୍କ ଦିଗରେ ଥିବା ଦେବୀ ନାରାୟଣୀ ବନ୍ତର ଦୂରତା ପ୍ରାୟତଃ ସମାନ। ଜନଶ୍ରୁତି ଅଛି ଯେ ଶ୍ରୀମନ୍ଦିର ସହିତ ଦେବୀ ହରଚଣ୍ଡୀଙ୍କ ଭଳି ଦେବୀ ନାରାୟଣୀ ମଧ୍ୟ ସାମିଲ୍ ଥିଲେ। ତେଣୁ ତାହା କିପରି ପୁନଃ ପ୍ରଚଳିତ ହେବ ସେନେଇ ପ୍ରତିଷ୍ଠାନ ପକ୍ଷରୁ ଉଦ୍ୟମ ଜାରି ରହିଛି।