‘ଜୀବେ ଦୟା’ ନ୍ୟାୟରେ ଆମେ ବିଭିନ୍ନ ପଶୁପକ୍ଷୀଙ୍କୁ ଶ୍ରଦ୍ଧା କରିବାର ଅନେକ ନଜିର ରହିଛି। ତେବେ ନିଜେ ସୁବିଧାରେ ଥାଇ ଅନ୍ୟ ପ୍ରତି ଦୟା ଦେଖାଇବାକୁ ମନ ବଳିଥାଏ। ମାତ୍ର ଏକ ଗହଳିପୂର୍ଣ୍ଣ ବସ୍ରେ ଯାତ୍ରୀମାନେ ବସିବାକୁ ଜାଗା ପାଉନଥିବା ବେଳେ ଭିତରେ ଦୁଇଟି ସିଟ୍ କବ୍ଜା କରି ଗାଢ଼ ନିଦରେ ଶୋଇଥିବା ଏକ କୁକୁରକୁ କେହି ବାଧା ନଦେବା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏଭଳି ଏକ ଭିଡିଓ ସଭିଙ୍କୁ ଖୁବ୍ ଆମୋଦିତ କରୁଛି। ଏହି ଭିଡିଓରେ ଏକ ଯାତ୍ରୀବାହୀ ବସ୍ ଭିତରର ଦୃଶ୍ୟ ରହିଛି ଯେଉଁଥିରେ ଅନେକ ଯାତ୍ରୀ ବସିବାକୁ ସିଟ୍ଟିଏ ନପାଇ ସେମିତି ଛିଡ଼ା ହୋଇଥିବା
ଦେଖାଯାଇଛି। ଏପରିକି ସିଟ୍ଟିଏ ପାଇଁ ବ୍ୟାକୁଳ ହୋଇ କେହି କେହି ପାଖ ସିଟ୍ରେ ବସିଥିବା ଅନ୍ୟ ସହଯାତ୍ରୀ କେଉଁଠି ଓହ୍ଲାଇବେ ବୋଲି ତଲାସ କରୁଛନ୍ତି। ଅପରପକ୍ଷେ, ବସ୍ର ଏକ ଦୁଇଟିକିଆ ସିଟ୍କୁ ମାଡ଼ି ବସି କୁକୁରଟିଏ ସୁଖନିଦ୍ରା ଯାଇଥିବା ସମସ୍ତେ ଦେଖୁଛନ୍ତି। ତେବେ ସାଧାରଣତଃ କୁକୁର ଜାତି କମ୍ ଶୋଇବା ପାଇଁ ଖ୍ୟାତ ଥିବା ବେଳେ ଯାତ୍ରୀବହୁଳ ବସ୍ ଭିତରେ କୁକୁରଟିର ଏଭଳି ଆଚରଣ ଦେଖି ଯାତ୍ରୀମାନଙ୍କ ମନରେ ଦୟା ଆସିଛି। କେହି ବି ତାକୁ ଉଠାଇ ନିଜେ ବସିବାକୁ ଚେଷ୍ଟା କରୁନାହାନ୍ତି। ଯାତ୍ରୀମାନଙ୍କର ଏପରି ଦୟାକୁ ଦେଖି ଅନେକ ପଶୁପ୍ରେମୀ ସାଧୁବାଦ ଜଣାଇଛନ୍ତି। ନିର୍ଦ୍ଦୟ ପୃଥିବୀରେ ତଥାପି ଦୟାଶୀଳତା ବଞ୍ଚିରହିଛି ବୋଲି ଏହାକୁ ଏକ ପ୍ରମାଣ ରୂପେ ଲୋକେ ପ୍ରସାର କରୁଛନ୍ତି।