ବିଦାୟ ଅଭୟ !

ଅସିତ ମହାନ୍ତି

ତୁମ ସହିତ କେବେଠୁ ପରିଚୟ ? ସେଇ ୧୯୭୫ ମସିହା ବେଳୁ। ଆମେ ଥିଲେ ବିଜେବି କଲେଜରେ ଓଡ଼ିଆ ସମ୍ମାନର ଛାତ୍ର। ମୁଁ ସବୁବେଳେ ଟିକିଏ ଚୁପ୍ ଚାପ୍। କିନ୍ତୁ ତୁମେ ଆଗଚଲା। ସେଥିପାଇଁ ତୁମର ପ୍ରତିଭାର ପରିଚୟ ସମସ୍ତଙ୍କ ପାଖରେ ଆଗ ପହଞ୍ଚି ଯାଉଥିଲା। ଅନର୍ସ ଶ୍ରେଣୀର ସେମିନାର ହେଉ ବା ବିଭିନ୍ନ ପ୍ରତିଯୋଗିତାର ସାର୍ଟିଫିକେଟ- ସବୁବେଳେ ତୁମକୁ ହିଁ ଖୋଜା ପଡୁଥିଲା। କାରଣ, ତୁମର ଅକ୍ଷର ତ ସୁନ୍ଦର, ପୁଣି ସେତେବେଳେ ରଙ୍ଗବେରଙ୍ଗର ଗୋଛାଏ ସ୍କେଚ୍ ପେନ୍ କେବଳ ତୁମର ହିଁ ଥିଲା।

ସେତେବେଳେ ବିଜେବି କଲେଜରେ ଗୋଟିଏ ଆନ୍ତଃ ମହାବିଦ୍ୟାଳୟ ସାହିତ୍ୟ ପ୍ରତିଯୋଗିତା ହୋଇଥିଲା ଏବଂ ସେଥିରେ ତୁମେ କବିତାରେ ଓ ମୁଁ ଗପରେ ପ୍ରଥମ ପୁରସ୍କାର ପାଇଥିଲେ। କିନ୍ତୁ ତୁମେ ମୋତେ କହିଥିଲ, “ମୁଁ ଗପ ଦେଇ ନଥିଲି; ନହେଲେ ମୁଁ ବି ଗପରେ ପ୍ରଥମ ହୋଇଥା’ନ୍ତି।” ତାହା ଶୁଣି ମୁଁ ହସି ଦେଇଥିଲି।

ସେହି ପ୍ରତିଯୋଗିତାର ସାର୍ଟିଫିକେଟ ସବୁ କିନ୍ତୁ ତୁମେ ହିଁ ଲେଖିଥିଲ। ନିଜ ହାତଲେଖା ସାର୍ଟିଫିକେଟ ପାଇବାର ସୌଭାଗ୍ୟ କେବଳ ତୁମର ହୋଇଥିଲା; ଆଉ ଆମେ ପାଇଥିଲୁ ତୁମ ହାତଲେଖା ସାର୍ଟିଫିକେଟ। ସେ ସବୁରେ କିନ୍ତୁ ଦସ୍ତଖତ ଥିଲା ସୁରେନ୍ଦ୍ର ମହାନ୍ତିଙ୍କର। କାରଣ, ସେ ଥିଲେ ସେହି ପୁରସ୍କାର ବିତରଣ ସଭାର ଅତିଥି।

ସେତେବେଳେ ତୁମେ ରହୁଥିଲ ରିଜିଓନାଲ କଲେଜ ହଷ୍ଟେଲରେ। ସେ ରୁମ୍ କୁ ସେତେବେଳେ ମୁଁ ଯାଇଛି। ପରିଷ୍କାର, ପରିଚ୍ଛନ୍ନ। ପରିଷ୍କାର ଟେବୁଲ୍ କ୍ଲଥ୍ ଉପରେ ଶ୍ରୀମା, ଶ୍ରୀ ଅରବିନ୍ଦଙ୍କର ଛୋଟ ଫଟୋ।

ପରେ କିନ୍ତୁ ଜଣାପଡ଼ିଲା ଯେ ତୁମେ ଏକାବେଳକେ ରିଜିଓନାଲ କଲେଜ ଓ ବିଜେବି କଲେଜରେ ନାଆଁ ଲେଖାଇ ପଢୁଛ। ତେଣୁ ତୁମକୁ ଆମଠୁ ବିଦାୟ ନେବାକୁ ପଡ଼ିଲା। ଶେଷଦିନ ଯାଏ କିନ୍ତୁ ତୁମ ସହ ସଂପର୍କ ଅତୁଟ ଥିଲା।

ଶ୍ରୀମା, ଶ୍ରୀଅରବିନ୍ଦଙ୍କ ମାର୍ଗପ୍ରତି ଆନୁଗତ୍ୟ ପରବର୍ତ୍ତୀ କାଳରେ ତୁମକୁ ଅନେକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ସହ ଯୋଡ଼ି ଦେଇ ଥିଲା। ସେଥିରୁ ଗୋଟିଏ ଥିଲା ଧରିତ୍ରୀ। ସେଠି ତୁମେ ଲେଖାଲେଖି ଆରମ୍ଭ କରିଥିଲ। ସମବାୟ ପତ୍ରିକା ‘କଲ୍ୟାଣୀ’ ସହ ବି ଜଡ଼ିତ ହୋଇଥିଲ ‘ଡେପୁଟି ଏଡିଟର’ ଭାବରେ। ‘ଅଧୁନା’ ପତ୍ରିକା ସହ ବି ସଂପୃକ୍ତ ହୋଇଥିଲ। ତୁମର ଗୋଟିଏ ବିଶେଷତ୍ଵ ଥିଲା, ଯାହା ସହ ତୁମେ ଜଡ଼ିତ ହେଉଥିଲ, ତାକୁ ନବକଳେବର ଦେଇପାରୁଥିଲ। ‘କଲ୍ୟାଣୀ’ରେ ଅବଶ୍ୟ ସେ ପ୍ରତିଭା ବେଶୀ ବିକଶିତ ହୋଇପାରି ନଥିଲା, କିନ୍ତୁ ‘ଅଧୁନା’ରେ ତୁମର ଛାପ ସ୍ପଷ୍ଟ ହୋଇଥିଲା। ପରେ, ତାହା ଶୀର୍ଷ ଛୁଇଁଥିଲା ‘ସଚିତ୍ର ବିଜୟା’ରେ।

ତୁମର ନିଶ୍ଚେ ମନେ ଥିବ ଅଭୟ, ମୁଁ ‘ସମାବେଶ’ରେ ଥିବାବେଳେ ତୁମେ ମୋତେ ଥରେ କହିଥିଲ, ତୁମେ ଦିଲ୍ଲୀ ଯାଉଚ । ସେ ବର୍ଷ ‘ଜ୍ଞାନପୀଠ’ ପୁରସ୍କାର ପାଇଥିଲେ ଅମୃତା ପ୍ରୀତମ୍। ମୁଁ କହିଥିଲି, ଯାଉଚ ଯଦି ଅମୃତାଙ୍କର ଗୋଟିଏ ସାକ୍ଷାତକାର ଆଣିବ; ମୁଁ ‘ସମାବେଶ’ରେ ଛାପିବି। ତୁମେ ବି ନିର୍ଦ୍ଧାରିତ ଭାବରେ ତାହା ଆଣି ଦେଇଥିଲ ଓ ତାହା ଛାପା ବି ହୋଇଥିଲା। ତାହାର ଶୀର୍ଷକ ମୁଁ ଦେଇଥିଲି, “କବିତା : ଅମୃତା, ପ୍ରେମ : ପ୍ରୀତମ୍” । ତାଙ୍କର କେତୋଟି ଛୋଟ କବିତାର ଅନୁବାଦ ବି ତୁମେ ତାହା ସହିତ ଦେଇଥିଲ। ତାହା ଥିଲା ତୁମର ଆଦ୍ୟ ଜୀବନର ଗୋଟିଏ ଫିଚର୍।

‘ସଚିତ୍ର ବିଜୟା’ର ସେଇ ଚର୍ଚ୍ଚିତ ଦିନଗୁଡ଼ିକର ଅନେକ ବର୍ଷ ପରେ, ତୁମକୁ ପୁଣି ଭେଟିଥିଲି, ପୁରୁଣା ବିଧାନ ସୌଧ ପାଖର ‘ଟାଲେଣ୍ଟ ରିସର୍ଚ୍ଚ ସେଣ୍ଟର’ ଆଶ୍ରମରେ। ତୁମେ ସେତେବେଳକୁ ଅପେକ୍ଷାକୃତ ରୁଗ୍ଣ। ତୁମେ କିନ୍ତୁ ସେତେବେଳେ ‘ଜୀବନ’ ନାମକ ଏକ ଅନୁଷ୍ଠାନ ଗଢି ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣ ଓ ଔଷଧୀୟ ବୃକ୍ଷ ଉଦ୍ୟାନ ଆଦି କାମରେ ବ୍ୟସ୍ତ ରହୁଥିଲ। କିନ୍ତୁ ତୁମର ଅଭିଯୋଗ ବି ତୀବ୍ର ଥିଲା, ‘ବିଜୟା’ରୁ ତୁମର ବିଦାୟକୁ ନେଇ। ମନେ ହୋଇଥିଲା, ସେଇ ଯେ ଗ୍ଳାନି, ତାହା ତୁମକୁ ଶେଷଯାଏ ଖାଇଚାଲିଥିଲା।

ପରେ, ଦୀର୍ଘଦିନ ଧରି, ତୁମେ ନିଖୋଜ ହୋଇଯାଇଥିଲ। ତୁମର ସନ୍ଧାନ ମିଳିବା ବେଳକୁ ତୁମେ ଟଙ୍କପାଣି ରୋଡ଼ର ଏକ ଜରାଶ୍ରମରେ। ଯିଏ ଦିନେ ଆମ ସାହିତ୍ୟ, ସଂସ୍କୃତି କ୍ଷେତ୍ରର ଥିଲା ସବୁଠୁ ଚର୍ଚ୍ଚିତ ବ୍ୟକ୍ତିତ୍ବ, ତାକୁ ଜରାଶ୍ରମରେ ଆବିଷ୍କାର କରିବା ଥିଲା କି ଯେ ଦୁଃସହ ଯନ୍ତ୍ରଣା, ତାହା କିନ୍ତୁ ବୁଝିବା ସ୍ଥିତିରେ ତୁମେ ସେଦିନ ନଥିଲ।

ସେଦିନ ମୋ ତରଫରୁ ମୁଁ ତୁମକୁ ପ୍ରତିଶ୍ରୁତି ଦେଇଥିଲି, ତୁମର ଅସଂକଳିତ ଲେଖାଗୁଡ଼ିକୁ ନେଇ ବହିଟିଏ କରିବି। ଫେସବୁକ୍ ରୁ ତାହା ଜାଣି, ସ୍ବପ୍ନା ମିଶ୍ର ଓ ଜାନକୀଶ ବଡ଼ପଣ୍ଡା କିଛି କିଛି ପୁରୁଣା ‘ବିଜୟା’ ବି ଆଣି ଯୋଗାଇ ଦେଇଥିଲେ। କିନ୍ତୁ ଶେଷ ଯାଏ ମୁଁ ତାହା କରିପାରିଲି ନାହିଁ, ତୁମେ ବି ଆଉ ବେଶୀଦିନ ତାହାକୁ ଅପେକ୍ଷା ନକରି ଚାଲିଗଲ।

ଏଣୁ, ଯଦି ନିକଟ ଭବିଷ୍ୟତରେ ସେ କାମଟି କରିପାରେ, ତାହା ବୋଧେ ହେବ ତୁମପାଇଁ ଶେଷ ଓ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଏବେ ସେଇଦିନଟିକୁ ହିଁ ମୁଁ ଅପେକ୍ଷା କରୁଛି।

ସେ ଯାଏ, ବିଦାୟ ଅଭୟ ! ବିଦାୟ !! ବିଦାୟ !!!

ସମ୍ବନ୍ଧିତ ଖବର