ବିଦାୟ ଶ୍ରୀଦେବୀ : ଷୋଳ ଶ୍ରାବଣର ମହାନାୟିକା

ମୁମ୍ବାଇ : କୋଟି କୋଟି ଦର୍ଶକଙ୍କ ହୃଦୟର ରାଣୀ ଶ୍ରୀଦେବୀଙ୍କ ପରଲୋକ ସହିତ ବଲିଉଡ୍‌ରେ ଏକ ଯୁଗର ଅବସାନ ଘଟିଛି। ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ନିଜ ଫିଲ୍ମ କ୍ୟାରିୟରରେ ଶ୍ରୀଦେବୀଙ୍କୁ ଅପାର ସଫଳତା ମିଳିଥିଲା। ତାଙ୍କୁ କୁହାଯାଉଥିଲା ବଲିଉଡର ଶ୍ରୀ ଓ ଦେବୀ। ସେ ଥିଲେ ହିନ୍ଦୀ ସିନେମାର ପ୍ରଥମ ମହିଳା ସୁପରଷ୍ଟାର୍‌। କାରଣ ତାଙ୍କ ଆଗମନ ପୂର୍ବରୁ ବଲିଉଡ୍‌ରେ କେବଳ ପୁରୁଷ ସୁପରଷ୍ଟାର୍‌ଙ୍କ ରାଜୁତି ଥିଲା। ତେବେ ଶ୍ରୀଦେବୀ ନୃତ୍ୟ ଓ ଅଭିନୟର ଏଭଳି ପରାକାଷ୍ଠା ଦେଖାଇଲେ ଯେ ତାଙ୍କ ନାମ ହିଁ ସଫଳତାର ଗ୍ୟାରେଣ୍ଟି ଭାବେ ବିବେଚିତ ହେବାକୁ ଲାଗିଲା। ଏକାସଂଗରେ ତାମିଲ, ତେଲୁଗୁ, କନ୍ନଡ଼, ହିନ୍ଦୀ ଓ ମାଲାୟଲମ ଫିଲ୍ମରେ ଅଭିନୟ କରି ସବୁଠି ଶ୍ରେଷ୍ଠତ୍ୱ ହାସଲ କରିଥିଲେ। ଦର୍ଶକଙ୍କୁ ଭେଟିଦେଇଥିଲେ ୪୦ରୁ ଅଧିକ ହିଟ୍‌ ଫିଲ୍ମ। ଏହି କିମ୍ବଦନ୍ତୀ ଅଭିନେତ୍ରୀଙ୍କୁ ହଲିଉଡରୁ ମଧ୍ୟ ସେତେବେଳେ ଅଫର୍‌ ମିଳିଥିଲା।

ବ୍ୟକ୍ତିଗତ ଜୀବନରେ ଲାଜକୁଳି ଶ୍ରୀଦେବୀ କ୍ୟାମେରା ସାମ୍ନାରେ କିନ୍ତୁ ଥିଲେ ସଂପୂର୍ଣ୍ଣ ଅଲଗା। ଶ୍ରୀଦେବୀଙ୍କ ନୃତ୍ୟ ଶୈଳୀ ତାଙ୍କୁ ଅଧିକ ଲୋକପ୍ରିୟ କରାଇଥିଲା । ମାତ୍ର ୪ ବର୍ଷ ବୟସରେ ତାମିଲ ଚଳଚ୍ଚିତ୍ର ‘ଥୁନାଇବନ୍‌’ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ଏହା ପରେ ସେ ବହୁ ତାମିଲ, ତେଲୁଗୁ, ମାଲାୟଲମ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ବଲିଉଡ୍‌ରେ ୧୯୭୫ରେ ଫିଲ୍ମ ‘ଜୁଲି’ରେ ଜଣେ ଶିଶୁ କଳାକାର ଭାବେ ସେ କାମ କରିଥିଲେ। ଏହାପରେ ସେ ପୁଣି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରିବା ପାଇଁ ଯାଇଥିଲେ। ପରେ ବଲିଉଡ୍‌ରେ ନାୟିକା ଭାବେ ସେ ନଜର ଆସିଥିଳେ ‘ସୋଲଓ୍ଵାଁ ସାଓ୍ଵନ୍‌’ ଫିଲ୍କରେ। ତେବେ ଏହି ଷୋଳ ଶ୍ରାବଣର ନାୟିକା ୧୯୮୩ରେ ଜିତେନ୍ଦ୍ରଙ୍କ ସହ ‘ହିମ୍ମତଓ୍ଵାଲା’ ଚଳଚ୍ଚିତ୍ରରେ ଅଭିନୟ କରି ଗୋଟାଇଥିଲେ ଅପାର ସଫଳତା। ‘ସଦ୍‌ମା’ ଚଳଚ୍ଚିତ୍ର ଥିଲା ତାଙ୍କ ଅଭିନୟ ପାରଦର୍ଶିତାର ଅନ୍ୟ ଏକ ମାଇଲଖୁଣ୍ଟ। ଏହି ଚଳଚ୍ଚିତ୍ରରେ ସେ ସାମୟିକ ଭାବେ ସ୍ମରଣ ଶକ୍ତି ହରାଇଥିବା ଜଣେ ଯୁବତୀଙ୍କ ନିଖୁଣ ଅଭିନୟ କରିଥିଲେ।

ଏହାପରେ ଫିଲ୍ମ ମଓ୍ଵାଲି (୧୯୮୩), ତୋହ୍‌ଫା (୧୯୮୪), ମିଷ୍ଟର ଇଣ୍ଡିଆ (୧୯୮୭) ଏବଂ ଚାନ୍ଦନୀ (୧୯୮୯) ଭଳି ଫିଲ୍ମର ବିପୁଳ ସଫଳତା ଶ୍ରୀଦେବୀଙ୍କୁ ବଲିଉଡର ତତ୍‌କାଳୀନ ସଫଳତମ ଅଭିନେତ୍ରୀ ଭାବେ ସ୍ଥାପିତ କରିଥିଲା। ଲୋକଙ୍କ ହୃଦୟରେ ରାଜ କରୁଥିବା ଶ୍ରୀଦେବୀ ଚାଲ୍‌ବାଜ୍‌ (୧୯୮୯), ଲମ୍‌ହେ(୧୯୯୧) ଏବଂ ଗୁମ୍‌ରାହ (୧୯୯୩) ଫିଲ୍ମ ମାଧ୍ୟମରେ ନିଜ ଅଭିନୟ ପରାକାଷ୍ଠାର ପରିଚୟ ଦେଇଥିଲେ। ତାଙ୍କର ଏହି ଅନନ୍ୟ ପ୍ରତିଭା ପାଇଁ ତାଙ୍କର ଉପରେ ପୁରସ୍କାରର ବର୍ଷା ହୋଇଥିଲା। ଫିଲ୍ମଫେୟାର ପୁରସ୍କାରଠାରୁ ଆରମ୍ଭ କରି ସିନେଜଗତର ପ୍ରାୟ ସବୁ ବଡ଼ ପୁରସ୍କାର ହାତେଇବାରେ ସେ ସଫଳ ହୋଇଥିଲେ। ଅଭିନୟ ପ୍ରତିଭା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମଧ୍ୟ ମିଳିଥିଲା। ଏଥିସହ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କେରଳ ଓ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମଧ୍ୟ ସେ ସମ୍ମାନୀତ ହୋଇଥିଲେ।

ସମ୍ବନ୍ଧିତ ଖବର