ମୋବାଇଲ୍ ଫୋନ୍ଗୁଡ଼ିକୁ ଚାର୍ଜ କରିବା ପାଇଁ ସଦ୍ୟତମ ଜ୍ଞାନକୌଶଳ ସମ୍ବଳିତ ‘ସି ପୋର୍ଟ’ ବ୍ୟବସ୍ଥାକୁ ୟୁରୋପୀୟ ସଂଘ ବାଧ୍ୟତାମୂଳକ କରିବା ପରେ ଭାରତ ମଧ୍ୟ ଅନୁରୂପ ବ୍ୟବସ୍ଥା ଆପଣେଇବ ବୋଲି ଜଣାଯାଇଛି। ଆସନ୍ତା ବର୍ଷ ଜୁନ୍ ମାସରୁ ଦେଶର ଫୋନ୍ ନିର୍ମାତାମାନେ ସେମାନଙ୍କର ଫୋନ୍ ଓ ଟାବଲେଟଗୁଡ଼ିକରେ କେବଳ ‘ସି ପୋର୍ଟ’ ଚାର୍ଜିଂ ବ୍ୟବସ୍ଥା ରଖିବାକୁ ସରକାର ସମୟ ଧାର୍ଯ୍ୟ କରିଛନ୍ତି। ତଦନୁଯାୟୀ, ଅନୁରୂପ କେବଲ୍ ମଧ୍ୟ ଯୋଗାଇବାକୁ କୁହାଯାଇଛି। ସେହିପରି ୨୦୨୬ ଶେଷ ସୁଦ୍ଧା ଲାପଟପଗୁଡ଼ିକରେ ମଧ୍ୟ ଅନୁରୂପ ଚାର୍ଜିଂ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବ। ତେବେ ବର୍ତ୍ତମାନ ପାଇଁ ହେଡ୍ଫୋନ୍ ଓ ଇଅରଫୋନ୍ ପାଇଁ ଏହା ଲାଗୁ ହେବନାହିଁ। ଦେଶର ଇ-ବର୍ଜ୍ୟ ପରିମାଣ କମାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ସମ୍ପ୍ରତି ଏହି ଇ-ବର୍ଜ୍ୟ ଏକ ବୈଶ୍ବିକ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ତାହାର କ୍ରମବର୍ଦ୍ଧିଷ୍ଣୁ ପ୍ରସାରଣରେ ରୋକ ଲଗାଇବା ପାଇଁ ବିଭିନ୍ନ ଦେଶ ପକ୍ଷରୁ ଏପରି ଦୃଢ଼ କଟକଣାମାନ ଲାଗୁ କରାଯାଉଛି।
ତେବେ ଆଶ୍ବସ୍ତିର ବିଷୟ, ଆପଲ୍ କମ୍ପାନି ସମେତ ଅନ୍ୟ ପ୍ରମୁଖ ଫୋନ୍ ନିର୍ମାତାମାନେ ସେମାନଙ୍କ ଫୋନ୍ଗୁଡ଼ିକରେ ପୂର୍ବରୁ ଏହି ‘ସି ପୋର୍ଟ’ ଚାର୍ଜିଂ ବ୍ୟବସ୍ଥା ଖଞ୍ଜି ସାରିଛନ୍ତି। ତେଣୁ ସରକାରଙ୍କ ଏହି ନୂତନ କଟକଣା ସେମାନଙ୍କ ଉପରେ ବିଶେଷ କିଛି ପ୍ରଭାବ ପକାଇବ ନାହିଁ। ଅପରପକ୍ଷେ, ଅଳ୍ପ ମୂଲ୍ୟର ସାଧାରଣ ଫୋନ୍ ବ୍ୟବହାର କରୁଥିବା ନିମ୍ନବର୍ଗର ଗ୍ରାହକଙ୍କ ପାଇଁ ଏହା ସାମୟିକ ଭାବେ କଷ୍ଟକର ହେବ ନିଶ୍ଚୟ। ତେଣୁ ସମସ୍ତଙ୍କ ପାଇଁ ଏକ ପ୍ରକାରର ଚାର୍ଜିଂ ବ୍ୟବସ୍ଥା କରାଇବା ଦ୍ବାରା ବ୍ୟବହାରକାରୀମାନେ ଗୋଟିଏ ପ୍ରକାର ଚାର୍ଜର୍ରେ ସମସ୍ତ ଫୋନ୍ ସମେତ ଟାବ୍ଲେଟ୍, ଲାପ୍ଟପ୍ ଆଦି ଚାର୍ଜିଂ କରିପାରିବେ। ସୁତରାଂ, ପରୋକ୍ଷରେ ଏହା ଇ-ବର୍ଜ୍ୟ ପରିମାଣ କମାଇବ ବୋଲି ଆଶା କରାଯାଉଛି।