ଭୁବନେଶ୍ବର : ଠିକାଦାରମାନଙ୍କୁ ଅନୁଚିତ ଫାଇଦା ପ୍ରଦାନ କରିବା ଏବଂ ଅତ୍ୟଧିକ ଅର୍ଥ ଦିଆଯାଇଥିବା ବିଷୟରେ ସିଏଜି ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଡୋଜରର ମାଟି ବିଛାଇବା କ୍ଷମତାକୁ ତ୍ରୁଟିପୂର୍ଣ୍ଣ ଭାବେ ଅନୁସରଣ କରିବା ଏବଂ ମାଟିକୁ ସଙ୍କୋଚନ କରିବା କାର୍ଯ୍ୟରେ ସିପ୍ ଫୁଟ୍ ରୋଲର ବଦଳରେ ଭାଇବ୍ରେଟୋରି ରୋଲର ବ୍ୟବହାର କରିବା ଫଳରେ ଠିକଦାରଙ୍କୁ ୭.୧୦ କୋଟି ଟଙ୍କାର ଅନୁଚିତ ଫାଇଦା ମିଳିଥିଲା। ସେହିପରି, ଯାଜପୁର ଜଳସେଚନ ବିଭାଜନର ୧୪ଟି କାର୍ଯ୍ୟର ଅଟକଳ ଓ ରାଜିନାମାରେ ମନୁଷ୍ୟ ଦ୍ବାରା ମାଟି ଖନନର ବ୍ୟବସ୍ଥା କରାଯାଇଥିଲା। ଏଥିରେ ଦ୍ବାରା ଖନନ ମୂଲ୍ୟ ବୃଦ୍ଧି ହେବା ସହ ଠିକାଦାରଙ୍କୁ ୬.୯୦ କୋଟି ଟଙ୍କାର ଅନୁଚିତ ଫାଇଦା ମିଳିଥିଲା। ଏହି ଦୁଇଟି ମାମଲାରେ ଠିକାଦାରଙ୍କୁ ମୋଟ ୧୪ କୋଟି ଟଙ୍କାର ଅନୁଚିତ ଫାଇଦା ମିଳିଥିଲା। ବିଶ୍ବବ୍ୟାଙ୍କ ପ୍ରକଳ୍ପରେ ଏକ ସୁଉଚ୍ଚ ପୋଲ ଓ ଏହାର ପ୍ରବେଶ ମାର୍ଗ ନିର୍ମାଣ କରିବାର ଥିଲା। ୨୭୩ ମିଟରର ପ୍ରବେଶ ମାର୍ଗ କାର୍ଯ୍ୟ ସମ୍ପନ୍ନ ହୋଇନଥିଲା। କିନ୍ତୁ ଏଥିପାଇଁ ଚୁକ୍ତିନାମା ଅନୁଯାୟୀ ମୂଲ୍ୟରେ କୌଣସି ହ୍ରାସ କରାଯାଇନଥିଲା। ନିର୍ବାହୀ ଯନ୍ତ୍ରୀ ଉକ୍ତ କାର୍ଯ୍ୟରେ ମୂଲ୍ୟ ହ୍ରାସ ନକରି ସମୁଦାୟ ୭.୧୨ କୋଟି ଟଙ୍କା ଠିକାଦାରଙ୍କୁ ଦେଇଥିଲେ। ଫଳ ସ୍ବରୂପ ଠିକାଦାରଙ୍କୁ ଅତିରିକ୍ତ ୪.୮୬ କୋଟି ଟଙ୍କା ମିଳିଥିଲା।
ଜଙ୍ଗଲ ଓ ପରିବେଶ ବିଭାଗର ନଥିପତ୍ର ଯାଞ୍ଚ କରିବା ବେଳେ ଜଣାପଡ଼ିଥିଲା ଯେ ବଣାଇ ବନଖଣ୍ଡ ଅଧିକାରୀ ୨୦୧୭-୧୮ରେ ଜବତ ହୋଇଥିବା ଗଡ଼ିକାଠ ଓ ଖୁଣ୍ଟିଗୁଡ଼ିକର ନିକାଶ ଲାଗି ସମୟାନୁସାରେ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଥିଲେ। ସେଥିପାଇଁ ୧,୪୯ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇପାରିନଥିଲା। ସେହିପରି ଜଳସମ୍ପଦ ବିଭାଗର ନଥିପତ୍ର ଯାଞ୍ଚ ବେଳେ ଜଣାପଡ଼ିଛି ଯେ ହାଡ଼ୁଆ ଜଳସେଚନ ପ୍ରକଳ୍ପର ଆୟାକଟ ବୃହତ ଉଠାଜଳସେଚନ ପ୍ରକଳ୍ପ ଦ୍ବାରା ମାଡ଼ି ଯାଇଥିବା ଯୋଗୁଁ କଟକ ଜିଲ୍ଲାର ନରସିଂହପୁର ବ୍ଲକ୍ରେ ଏହି ପ୍ରକଳ୍ପରେ ହୋଇଥିବା ୬୪.୬୮ କୋଟି ଟଙ୍କାର ବ୍ୟୟ ନିସ୍ଫଳ ହୋଇଥିଲା। ସେହିପରି, ଡିସେମ୍ବର ୨୦୧୨ରେ ଦେଓ ଜଳସେଚନ ପ୍ରକଳ୍ପରେ ମାଟି ନିର୍ମିତ ଡ୍ୟାମ ହିତ ଜଳ ନିର୍ଗମ ପଥର ନିର୍ମାଣ ପାଇଁ ଓଡ଼ିଶା ନିର୍ମାଣ ନିଗମକୁ ୪୯.୯୭ କୋଟି ଟଙ୍କା ଦିଆଯାଇଥିଲା। ପ୍ରଦାନ କରାଯାଇଥିବା କଠିନ ଶିଳାର ମୂଲ୍ୟ ଓ ପରିବହନ ଖର୍ଚ୍ଚ ବାବଦକୁ ଠିକାଦାରଙ୍କ ଠାରୁ ୧୦.୧୭ କୋଟି ଟଙ୍କା ଆଦାୟ କରିବା ପରିବର୍ତେ ନିର୍ବାହୀ ଯନ୍ତ୍ରୀ ପରିବହନ ଖର୍ଚ୍ଚକୁ ବାଦ ଦେଇ କେବଳ ୨.୧୨ କୋଟି ଟଙ୍କା ଠିକାଦାରଙ୍କ ଠାରୁ ଆଦାୟ କରିଥିଲେ। ଫଳରେ ୮.୦୫ କୋଟି ଟଙ୍କାର ସ୍ବଳ୍ପ ଆଦାୟ ହୋଇଥିଲା। ଜଳସେଚନ ଉତ୍ସରୁ ଏକ ଶିଳ୍ପାନୁଷ୍ଠାନ ଠାରୁ ନିର୍ବାହୀ ଯନ୍ତ୍ରୀ ଲାଇସେନ୍ସ ଦେୟ ବାବଦରେ ୪.୫୭ କୋଟି ଟଙ୍କା କମ୍ ଆଦାୟ କରଥିଲେ। ୧୭ଟି ଶିଳ୍ପାନୁଷ୍ଠାନ ଲାଇସେନ୍ସ ଦେୟ ପ୍ରଦାନ ନକରି ଅପ୍ରାଧିକୃତ ଭାବେ ସରକାରୀ ଉତ୍ସରୁ ଜଳ ଉତ୍ତୋଳନ କରୁଥଇିଲେ। ଏହି ଶିଳ୍ପାନୁଷ୍ଠାନମାନଙ୍କ ଦ୍ବାରା ୨୦୧୭ ଏପ୍ରିଲ୍ରୁ ୨୦୧୮ ଡିସେମ୍ବରରେ ୮୩.୯୨ ଲକ୍ଷ ଘନ ମିଟର ଭୂତଳ ଜଳ ଉତ୍ତୋଳନ ନିମନ୍ତେ ଧାର୍ଯ୍ୟ ଦେୟ ନବସାଇବା କାରଣରୁ ୬.୭୭ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ସିଏଜିଙ୍କ ରିପୋର୍ଟରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/CAG-Press-Meet.jpg)