ସମ୍ପ୍ରତି ସମଗ୍ର ବିଶ୍ବ ପାଇଁ ଜଳବାୟୁ ପରିବର୍ତ୍ତନ ସର୍ବାଧିକ ଆଲୋଚ୍ୟ ପ୍ରସଙ୍ଗ ପାଲଟିଛି। ତେବେ ଭାରତୀୟ ଅର୍ଥନୀତି ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ିବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ଉପପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥନ୍ ସତର୍କ କରାଇଦେଇଛନ୍ତି। ପାଣିପାଗ ପରିବର୍ତ୍ତନ ଯୋଗୁଁ ବୃଷ୍ଟିପାତରେ ଅସ୍ଥିରତା ଦେଖାଯିବାରୁ ବିଶେଷ କରି ଗ୍ରାମାଞ୍ଚଳରେ ଶସ୍ୟ ଅମଳ ସହ ଲୋକଙ୍କ ରୋଜଗାର ପ୍ରଭାବିତ ହେଉଛି। ତାଙ୍କ କହିବାନୁସାରେ, ବିଶ୍ବର ହାରାହାରି ତାପମାତ୍ରା ବୃଦ୍ଧି ଅପେକ୍ଷା ଏସିଆ ମହାଦେଶରେ ତାହା ସର୍ବାଧିକ। ବିଶେଷ କରି ଭାରତରେ ୧୯୫୦ ମସିହାରୁ ୨୦୧୮ ମସିହା ମଧ୍ୟରେ ତାପମାତ୍ରା ଅଧ ଡିଗ୍ରି ସେଲସିଅସ୍ ବଢ଼ିଛି।
ଆଗାମୀ ଦଶନ୍ଧି ମଧ୍ୟରେ ବିଶ୍ବ ଜଳବାୟୁ ବିପର୍ଯ୍ୟୟ ଏକ ବିରାଟ ଆର୍ଥିକ ଆହ୍ବାନ ସୃଷ୍ଟି କରିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ୧୯୮୦ ମସିହା ପରଠାରୁ ଜଳବାୟୁ ପରିବର୍ତ୍ତନର କୁପରିଣତି ଯୋଗୁଁ ବର୍ଷକୁ ଜିଡିପିର ଅଧା ପ୍ରତିଶତ ପଏଣ୍ଟ୍ କ୍ଷତି ହୋଇଆସୁଛି ଏବଂ ଆଗାମୀ ଦଶନ୍ଧି ଭିତରେ ତାହା ୦.୩ ପ୍ରତିଶତ ପଏଣ୍ଟ୍ ହେବ ବୋଲି ଆକଳନ କରାଯାଉଛି। ଏହାର ଏକ ସମ୍ଭାବ୍ୟ ସ୍ଥାୟୀ ସମାଧାନ ହେଉଛି ପାରମ୍ପରିକ ଶକ୍ତିରୁ ଅକ୍ଷୟ ଶକ୍ତି ଆଡ଼କୁ ଯିବା। ଏଥିପାଇଁ ପ୍ରଭୂତ ଅର୍ଥରାଶିର ଆବଶ୍ୟକତା ଥିବା ବେଳେ ରାଷ୍ଟ୍ରମାନେ ସେଥିପାଇଁ ଆଗେଇ ଆସିବା ଉଚିତ। ତେବେ ଏପରି ସବୁଜ ଶକ୍ତି ରୂପାନ୍ତରଣ ପାଇଁ ଘରୋଇ କ୍ଷେତ୍ରରୁ ହିଁ ୯୦ ପ୍ରତିଶତ ଅର୍ଥଲଗାଣ ହେବା ଆବଶ୍ୟକ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।