ପ୍ରଜ୍ଞା ନିବେଦିତା ନାୟକ

Advertisment

ଓଡ଼ିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ପ୍ରତିବର୍ଷ ୮୦୦୦ ନୂଆ କର୍କଟ ରୋଗୀ ସାମିଲ୍‌ ହେଉଛନ୍ତି। ଆଉ ଏ ମଧ୍ୟରୁ ୧୫୦-୨୦୦ ହେଉଛନ୍ତି ଶିଶୁ। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ୍‌ (ଆଇସିଏମ୍‌ଆର୍‌) ପ୍ରଦତ୍ତ ତଥ୍ୟ ଅନୁଯାୟୀ, ୨୦୧୩ରେ ରାଜ୍ୟରେ କର୍କଟ ରୋଗାକ୍ରାନ୍ତଙ୍କ ସଂଖ୍ୟା ୪୩,୨୧୦ ଥିବାବେଳେ ୨୦୨୨ରେ ୫୨,୯୬୦କୁ ବୃଦ୍ଧି ପାଇଥିଲା। ପୁଣି ଏହି ୧୦ ବର୍ଷ ମଧ୍ୟରେ କର୍କଟ ରୋଗଜନିତ ମୃତ୍ୟୁ ସଂଖ୍ୟା ୨୩,୮୮୬ରୁ ୨୯,୨୮୭କୁ ବଢ଼ିଛି। ମୋଟାମୋଟି କର୍କଟ ରୋଗ କାୟାବିସ୍ତାର କରିଚାଲିଛି। ତେବେ ଡାକ୍ତରମାନଙ୍କ କହିବା ଅନୁଯାୟୀ, ଯଦି ପ୍ରାଥମିକ ପର୍ଯ୍ୟାୟରେ କର୍କଟ ରୋଗ ଚିହ୍ନଟ ହୋଇଯାଏ, ଏହାର ଚିକିତ୍ସା ସମ୍ଭବ ଓ ରୋଗୀ ସୁସ୍ଥ ଜୀବନ ଅତିବାହିତ କରିପାରିବ। କର୍କଟ ରୋଗ ଚିକିତ୍ସା ବ୍ୟୟବହୁଳ ହେଉଥିବାରୁ ଦୁର୍ବଳ ଆର୍ଥିକ ସ୍ଥିତିଥିବା ରୋଗୀ ପ୍ରକୃଷ୍ଟ ଚିକିତ୍ସା କରାଇବାରୁ ବଞ୍ଚିତ ହେଉଛନ୍ତି। ଏକ ଅଧ୍ୟୟନ ଅନୁସାରେ ଭାରତରେ କର୍କଟ ରୋଗ ଚିକିତ୍ସା‌ ପାଇଁ ସର୍ବନିମ୍ନ ୪-୫ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୨୫-୩୦ ଲକ୍ଷ ଟଙ୍କା ଆବଶ୍ୟକ। ଏହା ରୋଗର ପ୍ରକାର, ପର୍ଯ୍ୟାୟ ଏବଂ ରୋଗୀଙ୍କ ଶାରୀରିକ ଅବସ୍ଥା ଓ ଚିକିତ୍ସା ପଦ୍ଧତି ଉପରେ ନିର୍ଭର କରିଥାଏ।

ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ସଠିକ୍‌ ଚିକିତ୍ସା ନପାଇ ପ୍ରାଣତ୍ୟାଗ କରୁଥିବା ବେଳେ ଅନେକେ ଉପଲବ୍ଧ ସରକାରୀ ସୁବିଧା ସୁଯୋଗ ନପାଇ ଜୀବନ ହରାଉଛନ୍ତି। ଆପଣଙ୍କ ପରିବାରର ଯଦି କେହି କର୍କଟ ରୋଗରେ ପୀଡ଼ିତ ହୋଇଥାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତଥା ବିଭିନ୍ନ ବେସରକାରୀ ସଂସ୍ଥାଙ୍କ ଦ୍ବାରା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ନିମ୍ନରେ କର୍କଟ ଚିକିତ୍ସା ପାଇଁ ଉପଲବ୍ଧ ଆର୍ଥିକ ସହାୟତା ସଂପର୍କରେ ସୂଚିତ କରାଯାଇଛି।

u ଦେଶର ପ୍ରମୁଖ କର୍କଟ ଚିକିତ୍ସା ସହାୟତା ପାଣ୍ଠି ମଧ୍ୟରେ ରାଷ୍ଟ୍ରୀୟ ଆରୋଗ୍ୟ ନିଧି (ଆର୍‌ଏଏନ୍‌) ଅଧୀନରେ ୨୦୦୯ରେ ପ୍ରତିଷ୍ଠିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କର୍କଟ ରୋଗୀ ପାଣ୍ଠି (ଏଚ୍‌ଏମ୍‌ସିପିଏଫ୍‌) ଅନ୍ତର୍ଭୁକ୍ତ। ଏହା ମାଧ୍ୟମରେ ଆର୍ଥିକ ଦୁର୍ବଳ ଶ୍ରେଣୀର କର୍କଟ ରୋଗୀମାନଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସାହାଯ୍ୟ ଏବଂ ୨୭ଟି ଆଞ୍ଚଳିକ କ୍ୟାନ୍‌ସର୍‌ ସେଣ୍ଟର୍‌ (ଆର୍‌ସିସି)ରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି।

u ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବେଚନାମୂଳକ ଅନୁଦାନ (ଏଚ୍‌ଏମ୍‌ଡିଜି)
ଯୋଜନା ଅଧୀନରେ ରୋଗୀଙ୍କ ପରିବାରର ବାର୍ଷିକ ଆୟ ୧,୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଥିଲେ ତାଙ୍କୁ ଆର୍ଥିକ ସହାୟତା ମିଳିଥାଏ। ସରକାରୀ ଡାକ୍ତରଖାନାରେ କର୍କଟ ରୋଗ ଚିକିତ୍ସା ଖର୍ଚ୍ଚର ଏକ ଅଂଶ ପୈଠ କରିବା ପାଇଁ ଏହି ଅନୁଦାନ ବ୍ୟବହାର କରାଯାଇପାରିବ।

u ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (ପିଏମ୍‌ଏନ୍‌ଆର୍‌ଏଫ୍‌)ରୁ ଅବହେଳିତ ବ୍ୟକ୍ତିମାନଙ୍କ ପାଇଁ କର୍କଟ ସମେତ ଅନ୍ୟାନ୍ୟ ଗମ୍ଭୀର ରୋଗ ଚିକିତ୍ସା ଲାଗି ଆର୍ଥିକ ସହାୟତା ମିଳିଥାଏ।

u ରାଜ୍ୟ ସରକାରଙ୍କର ମଧ୍ୟ ବିଭିନ୍ନ ସହାୟତା ଯୋଜନା ରହିଛି।
ପ୍ରତ୍ୟେକ ରାଜ୍ୟର ନିଜସ୍ୱ ରିଲିଫ୍‌ ପାଣ୍ଠି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ରହିଛି। ଯୋଗ୍ୟତା ମାନଦଣ୍ଡ ଅନୁସାରେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ଏହି ପାଣ୍ଠିରୁ ଆର୍ଥିକ ସହାୟତା ମିଳିଥାଏ। ଏଥିଲାଗି ରୋଗୀଙ୍କୁ ବିଧିମୁତାବକ ଆବେଦନ କରିବାକୁ ପଡ଼ିଥାଏ। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ‘ଓଡ଼ିଶା ଷ୍ଟେଟ୍‌ ଟ୍ରିଟ୍‌ମେଣ୍ଟ୍‌ ଫଣ୍ଡ୍‌ ସୋସାଇଟି’ ତରଫରୁ ବିପିଏଲ୍‌ ଶ୍ରେଣୀଭୁକ୍ତ କ୍ୟାନ୍‌ସର୍‌ ଓ ଅନ୍ୟାନ୍ୟ ଗୁରୁତର ରୋଗୀମାନଙ୍କୁ ଚିକିତ୍ସା ସୁବିଧା ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ବିପିଏଲ୍‌ ଶ୍ରେଣୀଭୁକ୍ତ ଛୋଟ ପିଲାଙ୍କ ଚିକିତ୍ସା ମଧ୍ୟ ଏହି ଯୋଜନା ମାଧ୍ୟମରେ ହୋଇପାରିବ।

u ସେହିପରି ପ୍ରତି ରାଜ୍ୟର ରାଜ୍ୟପାଳଙ୍କ ଇଚ୍ଛାଧୀନ ସହାୟତା ପାଣ୍ଠି ରହିଛି। ଜଣେ କର୍କଟ ରୋଗୀ ଆବେଦନ କଲେ ଏବଂ ରାଜ୍ୟପାଳ ଏହାକୁ ଅନୁମୋଦନ କଲେ ଏହି ପାଣ୍ଠିରୁ ସହାୟତା ମିଳିପାରିବ, ଏହାକୁ ଡିସ୍‌କ୍ରିଏସ୍‌ନାରି ଗ୍ରାଣ୍ଟ୍ କୁହାଯାଇଥାଏ।

u ଆରୋଗ୍ୟଶ୍ରୀ ଯୋଜନା ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଥିବା ପରିବାରଗୁଡ଼ିକୁ ହସ୍‌ପିଟାଲ୍‌ରେ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଉଚ୍ଚମାନର ଚିକିତ୍ସା ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିଥାଏ। ଅସ୍ତ୍ରୋପଚାର, କେମୋଥେରାପି ଓ ରେଡିଓଥେରାପି ଭଳି ଚିକିତ୍ସା ଏହାର ଅନ୍ତର୍ଭୁକ୍ତ।

u ଭାରତୀୟ କର୍କଟ ରୋଗ ସମାଜ (ଆଇସିଏସ୍‌)ର ଏକ ସହାୟତା ପାଣ୍ଠି ରହିଛି। ବିଭିନ୍ନ ବର୍ଗର ଅବହେଳିତ କର୍କଟ ରୋଗୀଙ୍କୁ ଚିକିତ୍ସା ପାଇଁ ଏହା ଆର୍ଥିକ ସହାୟତା ପ୍ରଦାନ କରିଥାଏ।

u ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ଅଧୀନସ୍ଥ ଆମ୍ବେଦକର ଫାଉଣ୍ଡେସନ୍‌ ମଧ୍ୟ ଆର୍ଥିକ ଦୁର୍ବଳ ବର୍ଗର ‌ରୋଗୀଙ୍କୁ ଚିକିତ୍ସା ଲାଗି ଆର୍ଥିକ ସହାୟତା ପ୍ରଦାନ କରିଥାଏ। ମନ୍ତ୍ରାଳୟର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଦେବେନ୍ଦ୍ରପ୍ରସାଦ ମାଝୀ କହନ୍ତି, ‘‘ଭାରତ ସରକାରଙ୍କର ଏହି ଅନୁଷ୍ଠାନ ମାଧ୍ୟମରେ କ୍ୟାନ୍‌ସର୍‌ ଭଳି ବିଭିନ୍ନ ଗୁରୁତର ଓ ଜଟିଳ ରୋଗରେ ପୀଡ଼ିତ ଗରିବଶ୍ରେଣୀ ବ୍ୟକ୍ତିଙ୍କୁ ୧ ଲକ୍ଷରୁ ନେଇ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦିଆଯାଏ। କିନ୍ତୁ ସ୍ଥଳବିଶେଷରେ ଆମେ ଅନିର୍ଦ୍ଦିଷ୍ଟ ସହାୟତା ରାଶି ଯୋଗାଇ ଦେଇଥାଉ। ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ଅନୁଦାନ ସହିତ ଜଡ଼ିତ ଥିବାରୁ ଅନ୍ୟାନ୍ୟ ସାଧାରଣ ବର୍ଗ ତୁଳନାରେ ମୁଖ୍ୟତଃ ଆଦିବାସୀ ଓ ହରିଜନଙ୍କୁ ଏଠାରେ ବିଶେଷ ଆର୍ଥିକ ସହାୟତା ଦିଆଯାଏ। ଏଥିପାଇଁ ସ୍ଥାନୀୟ ବିଧାୟକ କିମ୍ବା ସାଂସଦଙ୍କ ସୁପାରିସ ଆବଶ୍ୟକ। ଏହା ଏକ ଇନ୍‌ଷ୍ଟାଣ୍ଟ ଟ୍ରାଞ୍ଜାକ୍‌ସନ୍‌ ପ୍ରୋସିଜିଓର୍‌ ହୋଇଥିବାରୁ ଅର୍ଥ ପ୍ରଦାନରେ ବିଳମ୍ବ ହୁଏନାହିଁ। ସହାୟତା ରାଶି ସିଧା ଚିକିତ୍ସାଳୟରେ ପୈଠ କରାଯାଇଥାଏ। ଓଡ଼ିଶାର ଧାମରା, ଚାନ୍ଦବାଲି ଅଞ୍ଚଳ ସହିତ ମିଜୋରାମ୍‌ ଓ ପଞ୍ଜାବର ସର୍ବାଧିକ କର୍କଟ ରୋଗୀ ଏଠାରୁ ଆର୍ଥିକ ସହାୟତା ପାଇଛନ୍ତି। ହେଲେ ଏହା ଲୋକ‌ଲୋଚନକୁ ଆସି ନଥିବାରୁ ଅନେକେ ଏହା ବିଷୟରେ ଜାଣିପାରୁନାହାନ୍ତି।’’

u କଟକର ଡମଡମଣିସ୍ଥିତ ଶବରସାହିର ଗୁରୁବାରୀ ଶବର ଏହି ଅନୁଷ୍ଠାନ ପକ୍ଷରୁ କ୍ୟାନ୍‌ସର୍‌ ପାଇଁ ଆର୍ଥିକ ସହାୟତା ନେଇ ଚିକିତ୍ସା କରାଇଥିଲେ। ‌ଏନେଇ ଗୁରୁବାରୀ କହନ୍ତି, ‘‘କଟକ ବଡ଼ ମେଡ଼ିକାଲରେ ମୁଁ ଚିକିତ୍ସା କରାଇଥିଲି। ମୋର ପ୍ରାଥମିକ ପର୍ଯ୍ୟାୟରେ କ୍ୟାନ୍‌ସର୍‌ ଜଣାପଡ଼ିବାରୁ ମୁଁ ଆମ୍ବେଦକର ଫାଉଣ୍ଡେସନ୍‌ରୁ ଆର୍ଥିକ ସହାୟତା ପାଇଁ ନିର୍ଦ୍ଦିଷ୍ଟ ଫର୍ମରେ ଆବେଦନ କରିଥିଲି। ମୋତେ ପ୍ରାୟ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଥିଲା।’’ ଏହାବାଦ୍‌ ଆର୍ଥିକ ସମ୍ବଳ ନଥିବା ଜଣେ କର୍କଟ ରୋଗୀ ଲୋକଙ୍କ ଠାରୁ ପାଣ୍ଠି ସଂଗ୍ରହ କରି ସାହାଯ୍ୟ ଯୋଗାଉଥିବା ବେସରକାରୀ ସଂସ୍ଥାଙ୍କର ମଧ୍ୟ ସହାୟତା ନେଇ ପାରିବେ।