ଏଭଳି ସମସ୍ୟା ପାଇଁ ଗ୍ରାମରେ ଅଧାରୁ ଅଧିକ ଲୋକ ହୋଇ ସାରିଛନ୍ତି କର୍କଟର ଶିକାର, ୩୫ ଜଣଙ୍କ ମୃତ୍ୟୁ ପରେ ସ୍ପଷ୍ଟ ହେଲା କାରଣ
ରତଲାମ(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଥିବା ଏକ ଗାଁରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଗାଁରେ ରହୁଥିବା ଅଧାରୁ ଅଧିକ ଲୋକ କର୍କଟ ରୋଗର ଶିକାର ହୋଇ ସାରିଥିବା ବେଳେ ୫ବର୍ଷରେ ୩୫ଜଣଙ୍କ ମୃତ୍ୟୁ ହୋଇ ସାରିଛି। ପ୍ରଥମେ ଏଭଳି ହେବା ପଛର କାରଣ କେହି ଜାଣି ପାରୁ ନ ଥିବା ବେଳେ ଏବେ ଏହାର ପ୍ରକୃତ କାରଣ ସାମ୍ନାକୁ ଆସିଛି। ଅନୁସନ୍ଧାନକାରୀ ଟିମ୍ ଗାଁରେ ପହଞ୍ଚି କାରଣ ଖୋଜିବା ପରେ ଗାଁରେ ମିଳୁଥିବା ପାଣି ପାଇଁ ଏଭଳି ସମସ୍ୟା ହେଉଥିବା ସ୍ପଷ୍ଟ ହୋଇଛି।
ସୂଚନା ମୁତାବକ, ଘଟଣାଟି ଭୋଜାଖେଡି ଗାଁରେ ଘଟିଛି। ଏହି ଗାଁରେ ୨୦୦ଟି ପରିବାର ଥିବା ବେଳେ ପ୍ରାୟ ୧୯୦୦ଲୋକ ବସବାସ କରୁଛନ୍ତି। ୫ବର୍ଷ ମଧ୍ୟରେ ୩୫ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ବି ଗାଁର ଅନେକ ଲୋକ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି। ତେବେ ଆଇଆଇଏମର ୪୮ଜଣ ଛାତ୍ର-ଛାତ୍ରୀ ଗାଁକୁ ଯାଇ ଯାଞ୍ଚ କରିବା ପରେ ଗାଁର ଅଧାରୁ ଅଧିକ ଲୋକଙ୍କୁ କର୍କଟ ରୋଗ ହେବା ପଛର କାରଣ ସାମ୍ନାକୁ ଆସିଥିଲା।

ଗାଁରେ ଥିବା ନଳକୂପ ଓ କୂଅରୁ ଗ୍ରାମବାସୀମାନେ ପାଣି ବ୍ୟବହାର କରୁଥିବା ବେଳେ ସେହି ପାଣିରେ ହିଁଁ ସମସ୍ୟା ଥିବା ସାମ୍ନାକୁ ଆସିଥିଲା। ଏବେ ପାଣିର ସଂପୂର୍ଣ୍ଣ ରିପୋର୍ଟକୁ ଜିଲ୍ଲାପାଳଙ୍କ ହାତରେ ଛାତ୍ର-ଛାତ୍ରୀମାନେ ଦେଇଥିବା ବେଳେ ଏ ନେଇ ତୁରନ୍ତ ଆବଶ୍ୟକୀୟ ପଦକ୍ଷପ ନେବାକୁ କହିଛନ୍ତି। ଏହା ସହ ସେହି ଅଞ୍ଚଳର ବିଧାୟକ ସମସ୍ୟା ବିଷୟରେ ଜାଣିବା ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏହାର ସମାଧାନ କରିବା ପାଇଁ ଚିଠି ଲେଖି ଜଣାଇଛନ୍ତି।