ପୁଳାଏ ଟଙ୍କିକିଆ କଏନ ନେଇ ନାମାଙ୍କନ ପତ୍ର କିଣିବାକୁ ପହଁଚିଲେ ପ୍ରାର୍ଥୀ, ଝାଳନାଳ ହେଲେ ନିର୍ବାଚନ ଅଧିକାରୀ

ରାଞ୍ଚି: ଝାଡ଼ଖଣ୍ଡର ଗଢ଼ବା ବିଧାନସଭା କ୍ଷେତ୍ରରେ ନାମାଙ୍କନ ପତ୍ର କିଣିବାକୁ ଯାଇଥିବା ଜଣେ ପ୍ରାର୍ଥୀଙ୍କ ପାଇଁ ଝାଳନାଳ ହୋଇଯାଇଛନ୍ତି ନିର୍ବାଚନ ଅଧିକାରୀ | କାରଣ ନାମାଙ୍କନ ପତ୍ର କିଣିବାକୁ ବିଧାୟକ ପ୍ରାର୍ଥୀ ଜଣକ କଏନ ନେଇ ପହଁଚିଯାଇଥିଲେ, ଯାହାକୁ ଗଣିବାକୁ ନିର୍ବାଚନ ଅଧିକାରୀ ବଡ ଅସୁବିଧାର ସମ୍ମୁଖୀନ ହୋଇଥିଲେ | ମିଳିଥିବା ସୂଚନା ମୁତାବକ ଶିବସେନାର ପ୍ରାର୍ଥୀ ମନୀଷ କୁମାର ଗୁପ୍ତା ଗଢ଼ବା ବିଧାନସଭା କ୍ଷେତ୍ର ପାଇଁ ନାମାଙ୍କନ ପତ୍ର କିଣିବାକୁ ପହଂଚିଥିଲେ | ନାମାଙ୍କନ ପତ୍ର କିଣିବାକୁ ୧୦ ହଜାର ଟଙ୍କା ଅର୍ଥ ଦେବାକୁ ଥିଲା | ଏହି ଦଶ ହଜାର ଟଙ୍କା ମଧ୍ୟରୁ ୬ ହଜାର ୩୦୦ ଟଙ୍କାର ଟଙ୍କିକିଆ କଏନ ସାଥିରେ ନେଇ ଯାଇଥିଲେ |

The Economic Times

ପ୍ରଥମେ ଯେତେବେଳେ ଏହି କଏନ ଭର୍ତ୍ତି ବ୍ୟାଗକୁ ସେ ଅଧିକାରୀଙ୍କୁ ଦେଇଥିଲେ ଏହାକୁ ନେବାକୁ ଅଧିକାରୀ ଜଣକ ମନା କରିଦେଇଥିଲେ | ପରେ କିନ୍ତୁ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିର୍ଦ୍ଦେଶ ପରେ ମନୀଷଙ୍କର ଏହି ସବୁ କଏନକୁ ଅଧିକାରୀ ଜଣକ ନେଇଥିଲେ | ଏହି ୬ ହଜାର ୩୦୦ ଟଙ୍କାର କଏନ ଗଣିବାକୁ କର୍ମଚାରୀମାନଙ୍କୁ ବେଶ ପରିଶ୍ରମ କରିବାକୁ ପଡିଥିଲା | ୨୦୧୪ ମସିହାରେ ମଧ୍ୟ ମନୀଷ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ କିନ୍ତୁ ହାରି ଯାଇଥିଲେ |

ସେହିଦିନ ଠାରୁ ୨୦୧୯ ନିର୍ବାଚନରେ କିଭଳି ବାଜିମାତ କରିବେ ଓ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ସେଥିପାଇଁ ପ୍ରତିଦିନ କିଛି କିଛି ଅର୍ଥ ସଂଚୟ କରୁଥିଲେ | ଏଭଳି ଭାବେ ପାଞ୍ଚ ବର୍ଷ ମଧ୍ୟରେ ସେ ୧ ଲକ୍ଷ ୧୦ ହଜାର ଟଙ୍କାର ଟଙ୍କିକିଆ କଏନ ଜମା କରିଥିଲେ | ବର୍ତ୍ତମାନ ନାମାଙ୍କନ ପତ୍ର କିଣିବାକୁ ସେ ୬ ହଜାର ୩୦୦ ଟଙ୍କାର କଏନ ବ୍ୟବହାର କରିଥିବାବେଳେ ବଳକା ଅର୍ଥ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି | ଏଥର ଶିବସେନା ପକ୍ଷରୁ ଟିକେଟ ଦିଆଯାଇଥିବାରୁ ମନୀଷ ଜିତିବେ ବୋଲି ବେଶ ଆଶାବାଦୀ ଅଛନ୍ତି |

ସମ୍ବନ୍ଧିତ ଖବର