ଓଡ଼ିଶାର ପ୍ରଥମ ପ୍ରଭାତୀ ଖବରକାଗଜ ଭାବେ ‘ସମ୍ବାଦ’ ୧୯୮୪ ଅକ୍‌ଟୋବର ୪ ତାରିଖ, ବିଜୟା ଦଶମୀ ତିଥିରେ ଭୁବନେଶ୍ବରରୁ ଆତ୍ମପ୍ରକାଶ କରିଥିଲା। ତେଣୁ ଆଜି ଏହି ସମ୍ବାଦପତ୍ର ତା’ ଜୀବନର ୪୦ ଶରତ ପୂର୍ଣ୍ଣ କରିଛି। ଏହାର ପ୍ରଥମ ସମ୍ପାଦକ ଥିଲେ ବିଶିଷ୍ଟ ସାହିତ୍ୟିକ ଓ ରାଜନେତା ଶ୍ରୀ ସୁରେନ୍ଦ୍ର ମହାନ୍ତି। ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶାର ତତ୍‌କାଳୀନ ରାଜ୍ୟପାଳ ଡକ୍ଟର ବିଶ୍ବମ୍ବର ନାଥ ପାଣ୍ଡେ, ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ, ଡକ୍ଟର ହରେକୃଷ୍ଣ ମହତାବ ଓ ଜଷ୍ଟିସ୍‌ ରାଜକିଶୋର ଦାସ। ସେତେବେଳେ ‘ସମ୍ବାଦ’ର ପ୍ରକାଶନ ସଂସ୍ଥା ‘ଇଷ୍ଟର୍ଣ୍ଣ ମିଡିଆ’ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ବତିଶ ବର୍ଷର ଯୁବକ। ଓଡ଼ିଶାର ସାଧାରଣ ଜୀବନରେ ସେ ବିଶେଷ ପରିଚିତ ନଥାନ୍ତି। ସାଧାରଣରେ ତାଙ୍କର ପରିଚୟ ଥାଏ ସେ ମୁଖ୍ୟମନ୍ତ୍ରୀଙ୍କର ଜାମାତା। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଥିଲାବେଳେ ସେ ବିଲାତ ଯାଇଥିଲେ। ସେଇଠୁ ଫେରି ‘ସମ୍ବାଦ’ ଆରମ୍ଭ କଲେ। ପ୍ରଥମରୁ ‘ସମ୍ବାଦ’ ଥିଲା ପ୍ରବୀଣ ଆଉ ତରୁଣଙ୍କର ମିଳନକ୍ଷେତ୍ର। ସଂପାଦକ ସୁରେନ୍ଦ୍ର ମହାନ୍ତିଙ୍କ ଭିନ୍ନ ବହୁ ବରିଷ୍ଠ ସାମ୍ବାଦିକ ଓ ଶ୍ରୀ ଅସିତ ମୁଖାର୍ଜୀଙ୍କ ପରି ବିଖ୍ୟାତ ଚିତ୍ରଶିଳ୍ପୀ ଏହି ଅନୁଷ୍ଠାନରେ ଯୋଗ ଦେଇଥିଲେ। ଏହାଛଡ଼ା ବିଶ୍ବବିଦ୍ୟାଳୟର ବହୁ ସଫଳ ଛାତ୍ର କର୍ପୋରେଟ୍‌ ସଂସ୍ଥାର ସାକ୍ଷାତକାର ଦେବା ଭଳି ‘ସମ୍ବାଦ’ରେ ଆସି ଯୋଗଦେଇଥିଲେ। ସୋମାନଙ୍କ ଭିତରୁ କେତେକ ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଏବଂ ପ୍ରତିଷ୍ଠିତ ଇଂରେଜୀ ଖବରକାଗଜରେ ଅଥବା ଟେଲିଭିଜନ୍‌ ଚ୍ୟାନେଲ୍‌ରେ ଯୋଗ ଦେଲେ। ଓଡ଼ିଶାରେ ଖୁବ୍ କମ୍ ସଂପାଦକ, ସାମ୍ବାଦିକ ଥିବେ ଯିଏ ‘ସମ୍ବାଦ’ରେ କାର୍ଯ୍ୟ କରି ନଥିବେ। ୧୯୮୪ରେ ‘ସମ୍ବାଦ’ର ପ୍ରକାଶନ ଓଡ଼ିଶାରେ ଯେଉଁ ଆଲୋଡ଼ନ ଓ ଶିହରଣ ସୃଷ୍ଟି କରିଥିଲା ତାହା ଆଉ କୌଣସି ସମ୍ବାଦପତ୍ର ଭାଗ୍ୟରେ ଜୁଟିନାହିଁ। ସାନ୍ଧ୍ୟ ସଂସ୍କରଣ ସହ ପରିଚିତ ଓଡ଼ିଶାର ପାଠକମାନଙ୍କୁ ପ୍ରଭାତୀ ଖବରକାଗଜ ପଢ଼ିବାର ଅଭିଜ୍ଞତା ଉପହାର ଦେବାଠାରୁ ଆରମ୍ଭ କରି କଂପ୍ୟୁଟର୍‌, ଅକ୍ଷରସଜ୍ଜା, ଅଫ୍‌ସେଟ୍‌ ମୁଦ୍ରଣ, ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବର୍ଗର ରୁଚି ମୁତାବକ ଫିଚର୍‌ ପୃଷ୍ଠା, ରବିବାରସୀୟ ସାପ୍ତାହିକୀ ରଂଗିନ ପତ୍ରିକା, ଖେଳ ପାଇଁ ପୂରା ଗୋଟିଏ ପୃଷ୍ଠା ଇତ୍ୟାଦି ଥିଲା ଗୋଟିଏ ଗୋଟିଏ ଅଭିନବ ଅନୁଭବ। ୧୯୮୪ ଅକ୍‌ଟୋବର ୪ ତାରିଖର ସେହି ଉଦ୍‌ଘାଟନୀ ଉତ୍ସବ ଦେଖିବାର ଅବକାଶ ଏ ଲେଖକ ପାଇ ନଥିଲା। ପରବର୍ତ୍ତୀ ସମୟରେ ଏ ସମ୍ବନ୍ଧରେ ବହୁକଥା ଶୁଣିଥିଲା ସେ।

Advertisment

ସେତେବେଳେ ସିଆର୍‌ପି ଛକ ନିକଟରେ ଥିବା ‘ସମ୍ବାଦ’ କୋଠାର ନିର୍ମାଣଶୈଳୀକୁ କେହି କେହି ସିନେମା ହଲ୍‌ର ସ୍ଥାପତ୍ୟ ସହ ତୁଳନା କରିଥିଲେ ତ ଆଉ କେହି ତା’ ସମ୍ମୁଖର ବିସ୍ତୀର୍ଣ୍ଣ ଲନ୍‌କୁ ସବୁଜ ପ୍ରମୋଦ ଉଦ୍ୟାନର ବିଶେଷଣ ଦେଇଥିଲେ। ଖବରକାଗଜର ପ୍ରଥମ ସଂଖ୍ୟାରେ ସଂପାଦକୀୟ ଲେଖିଥିଲେ ଶ୍ରୀ ସୁରେନ୍ଦ୍ର ମହାନ୍ତି। ଟି. ଏସ୍‌. ଇଲିଅଟ୍‌ଙ୍କୁ ଉଦ୍ଧାର କରି ସେ ଲେଖିଥିଲେ, “ସ୍ବପ୍ନ ଓ ତା’ର ରୂପାୟନ ମଧ୍ୟରେ ବେଳେବେଳେ ପଡ଼େ ଏକ ଲମ୍ବା ଛାଇ। ଏସବୁ ସ୍ବପ୍ନ କେଉଁ ପରିମାଣରେ ରୂପାୟିତ ହେବ ତାହାର ଉତ୍ତର କେବଳ ଭବିଷ୍ୟତ ହିଁ ଦେଇପାରିବ। କିନ୍ତୁ ଆମେମାନେ ଯେ ସ୍ବପ୍ନ ଦେଖୁଛୁ ତାହା ହିଁ ଆମ୍ଭମାନଙ୍କ ପକ୍ଷରେ ଯଥେଷ୍ଟ। ଏ ପୃଥିବୀରେ ସ୍ବପ୍ନ ଦେଖନ୍ତି ବା କେତେଜଣ?’’ ବାସ୍ତବିକ ‘ସମ୍ବାଦ’ ଥିଲା ଏହିଭଳି ଗୋଛାଏ ସ୍ବପ୍ନର ଉତ୍‌କ୍ଷେପଣ। ଏତେସବୁ ନୂଆ କଥା ସତ୍ତ୍ବେ ଏହି ସମ୍ବାଦପତ୍ରକୁ ସର୍ବାଧିକ ପ୍ରସାରିତ ଖବରକାଗଜର ପ୍ରତିଷ୍ଠା ପାଇଁ ଅନେକ ଦିନ ଲାଗିଗଲା। ପାଠକମାନେ ସମ୍ବାଦପତ୍ରଗୁଡ଼ିକୁ ସରକାରଙ୍କର ପ୍ରତିପକ୍ଷ ମୁଦ୍ରାରେ ଦେଖିବାକୁ ଚାହାନ୍ତି, ମିତ୍ରପକ୍ଷ ଭାବରେ ନୁହେଁ। ‘ସମ୍ବାଦ’ ପାଇଁ ଏହା ଏକ ସମସ୍ୟା ଥିଲା। ଦ୍ବିତୀୟ କଥା ହେଲା, ସମୟଠାରୁ ଆଗରେ ରହିବାକୁ ଚାହୁଥିବା ଗଣମାଧ୍ୟମକୁ ଅପେକ୍ଷା କରିବାକୁ ପଡ଼େ। ଏହି ଦୁଇ କାରଣରୁ ‘ସମ୍ବାଦ’କୁ ଅନେକ ପରୀକ୍ଷାନିରୀକ୍ଷା ଦେଇ ଗତି କରିବାକୁ ପଡ଼ିଛି, ଯାହା ମଧ୍ୟରୁ କେତେକରେ ଖୁବ୍‌ ସଫଳ ଏବଂ ଆଉ କେତେକରେ ବିଫଳ ହୋଇଛି। ସଫଳତାର ଏକ ବଡ଼ କାରଣ ହୋଇଛି, ଆଞ୍ଚଳିକ ସଂସ୍କରଣର ପ୍ରକାଶନ। ଭୁବନେଶ୍ବର ସହିତ ଏ କାଗଜ ବ୍ରହ୍ମପୁର, ସମ୍ବଲପୁର, ଜୟପୁର, ବାଲେଶ୍ବର ପ୍ରଭୃତ ଜାଗାକୁ ଯାଇନଥିଲେ, ଆଜି ଯାହା ସଫଳତା ଲାଭ କରିଛି ତାହା ଆହୁରି ବିଳମ୍ବିତ ହୋଇଥାଆନ୍ତା। ୪ ଅକ୍‌ଟୋବର ୧୯୮୪ର ଉତ୍ସବ ପରଠାରୁ ‘ସମ୍ବାଦ’ର ପ୍ରତ୍ୟେକ ବାର୍ଷିକ ଉତ୍ସବ ସହ ଲେଖକ ଆନୁଷ୍ଠାନିକ ଭାବରେ ସଂପୃକ୍ତ ହୋଇଆସିିଛି। ଗତ ୪୦ ବର୍ଷ ଭିତରେ ଭାରତବର୍ଷର ବହୁ ମୂର୍ଦ୍ଧନ୍ୟ ସାମ୍ବାଦିକ ଓ ରାଜନେତା ଏହାର ବାର୍ଷିକ ଉତ୍ସବମାନଙ୍କରେ ଯୋଗ ଦେଇଛନ୍ତି।

ତେବେ ଏସବୁ କଥାର ଅବତାରଣା ଏହି ଲେଖାର ଆଭିମୁଖ୍ୟ ନୁହେଁ। ଏହି ଲେଖାର ମୂଳ ଆଭିମୁଖ୍ୟ ଦୁଇଟି ବାର୍ଷିକ ଉତ୍ସବର ବର୍ଣ୍ଣନା। ପ୍ରଥମଟି ବିଷୟରେ ଏ ଲେଖକ ଶୁଣିଛି, ତାହା ହେଲା ୪ ଅକ୍‌ଟୋବର ୧୯୮୪ ଏବଂ ଦ୍ବିତୀୟଟି ଯାହା ଆଖିରେ ଦେଖିଛି, ୩ ଅକ୍‌ଟୋବର ୨୦୨୩। ଏହା ମଝିରେ ଯୋଉଗୁଡ଼ିକ ରହିଲା ତାହା ବିଷୟରେ ଜାଣିଜାଣି ଉଲ୍ଲେଖ କରୁନାହିଁ। 

‘ସମ୍ବାଦ’ର ଜନ୍ମ ଶରତ ଋତୁରେ। ୧୯୮୪ ଶରତର ଶରାଘାତ ଏହାକୁ ପୁଲକିତ କରିଥିବାବେଳେ ୨୦୨୩ର ଶରାଘାତ ବଜ୍ରାଘାତ ପରି ଏହାକୁ ଧରାଶାୟୀ କରିଦେବାର ଉଦ୍ୟମ କରିଥିଲା। ଏହି ଲେଖକ ବିଚାରରେ ୨୦୨୩ ଅକ୍‌ଟୋବର ୩ ତାରିଖର ବାର୍ଷିକ ଉତ୍ସବ ପୁଣି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଉତ୍ସବ ଥିଲା। ଏହାର ପ୍ରାୟ ଦୁଇ ସପ୍ତାହ ଆଗରୁ ‘ସମ୍ବାଦ’ ଉପରେ ତତ୍‌କାଳୀନ କ୍ଷମତାସୀନ ସରକାରର ଆକ୍ରୋଶମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା। ୨୦୨୩ ସେପ୍‌ଟେମ୍ବର ୧୮ ତାରିଖରେ ସରକାରଙ୍କ ଅର୍ଥନୈତିକ ଅପରାଧ ସଂସ୍ଥା ତରଫରୁ ବଡ଼ ଧରଣର ଚଢ଼ାଉ ହୋଇଥିଲା ‘ସମ୍ବାଦ’ର ମୁଖ୍ୟ କାର୍ଯ୍ୟାଳୟ ଉପରେ। ଆର୍ଥିକ କାରବାରରେ ଏକ ବିଶୃଙ୍ଖଳାକୁ ଧରି ଓ କିଛି ମୁଷ୍ଟିମେୟ ପୂର୍ବତନ କର୍ମଚାରୀଙ୍କୁ ହାତ କରି ‘ସମ୍ବାଦ’କୁ ନିରବ କରିଦେବା ଲାଗି ଯେଉଁ ଦମନମୂଳକ କାର୍ଯ୍ୟ ହେଲା ସେଭଳି କାର୍ଯ୍ୟ ଓଡ଼ିଶାରେ ଆଗରୁ କେବେ ହୋଇନଥିଲା। ଆକ୍ରମଣର ମୁଖ୍ୟ କାରଣ ଥିଲା, ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଥିବା ଜଣେ ଅଣଓଡ଼ିଆ ଆଇଏଏସ୍‌ ଅଫିସର୍‌ଙ୍କର ଶାସନ ଓ ଦଳୀୟ ବ୍ୟାପାରରେ ମାତ୍ରାଧିକ ହସ୍ତକ୍ଷେପ ଏବଂ ତା’ର ବ୍ୟୟବହୁଳ ବିମାନ ଭ୍ରମଣ ସମ୍ବନ୍ଧରେ ‘ସମ୍ବାଦ’ ସମ୍ପାଦକଙ୍କର ଦୁଇଟି ସମ୍ପାଦକୀୟ। ସେତେବେଳର ସରକାର ଚାହିଲେ ତାଙ୍କ ବିରୋଧରେ କୋଉଠି କିଛି ଚର୍ଚ୍ଚା ନ ହେଉ- ନା ଖବରକାଗଜରେ, ନା ଟେଲିଭିଜନରେ ନା ବିଧାନସଭାରେ ନା ସାଧାରଣ ସଭାରେ। ସଭିଏଁ ସରକାରଙ୍କୁ ପ୍ରଶଂସା କରନ୍ତୁ, ଏହା ଥିଲା ସରକାରଙ୍କ ଆଭିମୁଖ୍ୟ। ଯିଏ ବିରୋଧ କଲେ ତାଙ୍କ ବିରୋଧରେ ପଦକ୍ଷେପ ନିଆଗଲା। କାହାକୁ ସରକାରୀ ଘରୁ ବାହାର କରିଦିଆଗଲା, କାହାର ସ୍ବୀକୃତି ପ୍ରତ୍ୟାହାର କରିନିଆଗଲା, କୋଉ ଖବରକାଗଜକୁ ମାସ ମାସ ଧରି ସରକାରୀ ବିଜ୍ଞାପନ ବନ୍ଦ କରିଦିଆଗଲା ତ କାହା ବିରୋଧରେ କେସ୍‌ମାନ ରୁଜୁ କରାଇବାର ବ୍ୟବସ୍ଥା ହେଲା। ଅନ୍ୟ ପକ୍ଷରେ ଯେଉଁମାନେ ସରକାରଙ୍କୁ ସମର୍ଥନ କଲେ ସେମାନଙ୍କୁ ଅଯାଚିତ ଭାବେ ସବୁ ସୁବିଧାସୁଯୋଗ ଯୋଗାଇ ଦିଆଗଲା। ଓଡ଼ିଶାରେ ଏକପ୍ରକାର ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ଧାରଣା ସୃଷ୍ଟି ହେଲା। କେହି କିଛି ପାଟି ଖୋଲିଲେ ନାହିଁ। ଯେତେବେଳେ ଜଣେ ବ୍ୟକ୍ତି ହେଇଗଲେ ଦଳ, ସରକାର, ଗଣମାଧ୍ୟମ, ସଂବିଧାନ ଓ ଶାସନ ବ୍ୟବସ୍ଥା। କ୍ଷମତାର ଏଭଳି କେନ୍ଦ୍ରୀକରଣର ଉଦାହରଣ ଆଗରୁ କେବେ ଏ ରାଜ୍ୟରେ ଦେଖିବାକୁ ମିଳିନଥିଲା। 

୨୦୨୩ ସେପ୍‌ଟେମ୍ବର ମଧ୍ୟଭାଗରୁ ‘ସମ୍ବାଦ’ ଉପରେ ଆରମ୍ଭ ହୋଇଥିବା ଚଢ଼ଉରେ ସବୁଠାରୁ କ୍ଷତିଗ୍ରସ୍ତ ହେଲେ ଏହାର ପ୍ରତିଷ୍ଠାତା ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ। ପ୍ରଥମରୁ ବିଜେଡିର ବିରୋଧୀ ଥିବା ଶ୍ରୀ ପଟ୍ଟନାୟକ ସେହି ଦଳରେ ଯୋଗ ଦେବା ତାଙ୍କ ରାଜନୈତିକ ଜୀବନର ଏକ ଭୁଲ୍‌ ଥିଲା ବୋଲି ବହୁ ବ୍ୟକ୍ତି ମତ ଦେଉଛନ୍ତି। ଶାସକ ଦଳ ତାଙ୍କୁ ସୁବିଧା ଦେଇଥିବାରୁ ସେ ନିରବ ରହିବା ଶାସନକର୍ତ୍ତା ଆଶା କରୁଥିଲେ। ସାଧାରଣ ଲୋକର କ୍ଷମତାର ଅଶ୍ଳୀଳ ପ୍ରଦର୍ଶନୀ ଦେଖି ଚୁପ୍‌ ରହିବାକୁ ହୁଏତ ଆତ୍ମରକ୍ଷା ବୋଲି କୁହାଯାଇପାରେ, ମାତ୍ର ସମ୍ବାଦପତ୍ରର ସଂପାଦକ ଏସବୁ ଦେଖି ନିରବ ରହିବାକୁ ତୁଚ୍ଛା ସୁବିଧାବାଦୀ ପଦକ୍ଷେପ ବୋଲି କୁହାଯାଇଥାଏ। ୨୦୨୩ ସେପ୍‌ଟେମ୍ବର ଶେଷବେଳକୁ ଜଣାପଡ଼ିଲା, ସରକାର ‘ସମ୍ବାଦ’କୁ ବନ୍ଦ କରିବେ, ନହେଲେ ଆସନ୍ନ ନିର୍ବାଚନ ବେଳକୁ ଏହା ଘୋର ସମସ୍ୟା ସୃଷ୍ଟି କରିବ। ଶ୍ରୀ ପଟ୍ଟନାୟକଙ୍କୁ ପ୍ରଥମେ ବିଜେଡିରୁ ନିଲମ୍ବନ, ତା’ପରେ ବହିଷ୍କାର, ତାଙ୍କ ସମ୍ବାଦପତ୍ର ଓ ଟେଲିଭିଜନ ଚ୍ୟାନେଲ୍‌କୁ ସରକାରୀ ସାହାଯ୍ୟ ବନ୍ଦ ଆଦି ପଦକ୍ଷେପ ସତ୍ତ୍ବେ ଶାସକ ଦଳ ନିଶ୍ଚିନ୍ତ ରହିପାରୁନଥିଲେ। ଏସବୁ ଜାଣିବା ପରେ, ଏହି ଅନୁଷ୍ଠାନରେ କାମ କରୁଥିବା ପରୋକ୍ଷ ଓ ପ୍ରତ୍ୟକ୍ଷ ହୋଇ ପ୍ରାୟ ୫ ହଜାର ଲୋକଙ୍କ ଜୀବନଜୀବିକା କଥା ଚିନ୍ତା କରି ଶ୍ରୀ ପଟ୍ଟନାୟକ ବିମର୍ଷ ବିଚଳିତ ହୋଇପଡ଼ିଲେ। ସ୍ଥିର କଲେ, ସେ ‘ସମ୍ବାଦ’ର ଦାୟିତ୍ବରୁ ଓହରିଯିବେ। ଯେଉଁ ବ୍ୟକ୍ତି ଏହି ଅନୁଷ୍ଠାନକୁ ଛିଡ଼ା କରାଇବାରେ ଜୀବନର ସବୁକିଛି ଉତ୍ସର୍ଗ କରିଥିଲେ ସେହି ବ୍ୟକ୍ତି ତାଙ୍କ କାଗଜର ଜନ୍ମଦିନର ମାତ୍ର ୨ ଦିନ ଆଗରୁ ଓହରିଗଲେ। ୨୦୨୩ ଅକ୍‌ଟୋବର ୩ ତାରିଖର ମଞ୍ଚରେ ସେ ଉପସ୍ଥିତ ନଥିଲେ। 
ସୌମ୍ୟବାବୁଙ୍କୁ କେନ୍ଦ୍ର କରି ଯୋଉ ସବୁ ଘଟଣା ଘଟିଗଲା ତାହାର ପ୍ରଭାବ ସାରା ଓଡ଼ିଶାରେ ପଡ଼ିଲା। ଏକଥା ସତ ନୁହେଁ ଯେ, ବିଜେଡି ସରକାରର ପତନ ପଛରେ ଏହା ଥିଲା ଏକମାତ୍ର ବା ପ୍ରମୁଖ କାରଣ।

ମାତ୍ର ଏହା ସେ କାରଣଗୁଡ଼ିକୁ ଦୃଢ଼ କରିବାରେ ସାହାଯ୍ୟ କଲା। ଆଗରୁ ବିଜେଡି ସରକାର ମାରାତ୍ମକ ଭୁଲ୍‌ଟାଏ କରି ବସିଥିଲେ। ସାଧାରଣ ଲୋକଙ୍କ ଭିତରେ ସରକାରଙ୍କ ପ୍ରତି ଥିବା ଜନମତ କ’ଣ, ତାହା ଜାଣିବାର ରାସ୍ତାମାନ ବନ୍ଦ କରିଦେଇଥିଲେ। ଅପରପକ୍ଷରେ ଦଳୀୟ ସମ୍ବାଦପତ୍ର, ଟିଭି ଚ୍ୟାନେଲ୍‌ ଓ ସାହାଯ୍ୟପ୍ରାପ୍ତ ଗଣମାଧ୍ୟମରେ କେବଳ ଅନୁକୂଳ ଭଲ ଖବର ଶୁଣି ଶୁଣି ତାହାକୁ ସତ୍ୟ ବୋଲି ଧରିନେଲେ। ଏପରି ଧାରଣା ସୃଷ୍ଟି କରିଦିଆଗଲା, ନବୀନ ପଟ୍ଟନାୟକ ବଞ୍ଚିଥିବା ଯାଏ ବିଜେଡି ସରକାରର ପତନ ହେବ ନାହିଁ ବା ଅନ୍ୟ କେହି ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ମାତ୍ର ଏ ପ୍ରକାର ଧାରଣା ଯେ କେତେ ଭ୍ରମାତ୍ମକ ଥିଲା, ତାହା ଜଣାପଡ଼ିଗଲା ୨୦୨୪ ଜୁନ୍‌ ୪ ତାରିଖରେ। ବିଜେଡି କ୍ଷମତାଚ୍ୟୁତ ହେଲା, ଯାହା କଳ୍ପନା ବାହାରେ ଥିଲା। 

୨୦୨୩ ଅକ୍‌ଟୋବର ୩ ତାରିଖ ସନ୍ଧ୍ୟାରେ, ଭୁବନେଶ୍ବରର ସ୍ବସ୍ତି ପ୍ରିମିଅମ୍‌ରେ ‘ସମ୍ବାଦ’ର ବାର୍ଷିକ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର। ସେଦିନ କଟକର ଆଉ ଏକ ସଭାରେ ଦୁଇ ମନ୍ତ୍ରୀଙ୍କର ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ‘ସମ୍ବାଦ’ର ସଭାକୁ ସନ୍ଧ୍ୟା ପରିବର୍ତ୍ତେ ଅପରାହ୍‌ଣ ୪ଟାକୁ ଆଗୁଆ କରାଯାଇଥିଲା। ସେହିପରି ‘ସମ୍ବାଦ’ର ସ୍ବନକ୍ଷତ୍ର ୪ ଅକ୍‌ଟୋବର ହୋଇଥିଲେ ମଧ୍ୟ ମନ୍ତ୍ରୀମାନଙ୍କୁ ପାଇବା ଆଶାରେ ଉତ୍ସବକୁ ପ୍ରଥମରୁ ଗୋଟେ ଦିନ ଆଗକୁ ଅଣାଯାଇଥିଲା। ଏହା ସତ୍ତ୍ବେ ଆଶଙ୍କା ଥିଲା, କାଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଆସିବେ ନାହିଁ। କାରଣ ‘ସମ୍ବାଦ’ କାର୍ଯ୍ୟକ୍ରମରେ ସେ ଯୋଗ ନ ଦିଅନ୍ତୁ, ଏ କଥା ଗୋଟିଏ ଶକ୍ତିଶାଳୀ ଦଳ ଓ ଗୋଷ୍ଠୀ ଚାହୁଥିଲେ। ମାତ୍ର ସେମାନଙ୍କର ସେହି ଯୋଜନା ସଫଳ ହୋଇନଥିଲା। ଦିନ ଓ ସମୟକୁ ଆଗୁଆ ଅଣାଯିବା ଏବଂ ସଭା ସମୟରେ ପ୍ରବଳରୁ ପ୍ରବଳ ବର୍ଷା ହେବା ସତ୍ତ୍ବେ ସେଦିନ ସ୍ବସ୍ତି ପ୍ରିମିୟମ୍‌ ଜନାରଣ୍ୟ ପାଲଟିଯାଇଥିଲା। ଶହ ଶହ ବିଶିଷ୍ଟ ଲୋକ ଠିଆହୋଇ ‘ସମ୍ବାଦ’କୁ ସମର୍ଥନ ଜଣାଇଥିଲେ ଏବଂ ନୂଆ ସଂପାଦକ ଭାବେ ଦାୟିତ୍ବ ନେଇଥିବା ଶ୍ରୀ ପଟ୍ଟନାୟକଙ୍କ କନିଷ୍ଠା କନ୍ୟା ତନୟା ପଟ୍ଟନାୟକଙ୍କୁ ଆଶୀର୍ବାଦ ଦେଇଥିଲେ ଘନଘନ କରତାଳି ଦେଇ। ସେ ସନ୍ଧ୍ୟାର ସେ ଅନୁଭବ ଅବିସ୍ମରଣୀୟ।

ଆଜି ପୁଣି ୪ ଅକ୍‌ଟୋବର। ଏ ବର୍ଷ ‘ସମ୍ବାଦ’ର ସ୍ବନକ୍ଷତ୍ର ତିନିଦିନିଆ ଉତ୍ସବ ଜାକଜମକରେ ପାଳିତ ହେଉଅଛି। ମାତ୍ର ଏହି ସମାବେଶ, ଗହଳଚହଳ ଓ ହର୍ଷଧ୍ବନି ଭିତରେ ଏ ଲେଖକ ଦେଖିପାରୁଛି ବର୍ଷକ ତଳର ସେହି ବିମର୍ଷକର ଓ ବର୍ଷଣମୁଖର ଅପରାହ୍‌ଣର ଦୃଶ୍ୟ, ଏହାର ପ୍ରତିଷ୍ଠାତା ସମ୍ପାଦକଙ୍କର ଆତ୍ମ ନିର୍ବାସନ, ମୁଷ୍ଟିମେୟ ବ୍ୟକ୍ତିଙ୍କର ନିର୍ମମ ଆଚରଣ ଏବଂ କିଛି ପରିଚିତ ଲୋକଙ୍କର ଶଠତା। ଏହି ଦୃଷ୍ଟିରୁ ଏ ଲେଖକ ଦେଖିନଥିବା ୧୯୮୪ର ସ୍ବନକ୍ଷତ୍ର ଉତ୍ସବ ଯଦି ସବୁଠାରୁ ରୋମାଞ୍ଚକର ଓ ଆନନ୍ଦଦାୟକ ମହୋତ୍ସବ ହୁଏ, ୨୦୨୩ର ସ୍ବନକ୍ଷତ୍ର ଉତ୍ସବ ହେବ ସବୁଠାରୁ ଉତ୍ପୀଡ଼କ, ଅସ୍ବସ୍ତିକର ଓ ଆଶା-ଆଶଙ୍କାର ସାଧାରଣସଭା। ‘ସମ୍ବାଦ’ ଅନୁଷ୍ଠାନ ପାଇଁ ଏବଂ ଏହାର ପରିଚାଳନା ଦାୟିତ୍ବରେ ଥିବା କର୍ମକର୍ତ୍ତା ତଥା ସହକର୍ମୀମାନଙ୍କ ପାଇଁ ୨୦୨୩ ଏକ ସ୍ମରଣୀୟ ବର୍ଷ ହୋଇ ରହିବ। ଏଭଳି ଅନୁଭୂତି ଓ ଅଭିଜ୍ଞତା ଆଉ କୌଣସି ସମ୍ବାଦପତ୍ର ବା ଗଣମାଧ୍ୟମ ଭାଗ୍ୟରେ ନ ଜୁଟୁ ଏହା କାମନା କରିବା ସହ ‘ସମ୍ବାଦ’ ଏହାକୁ ଆଦୌ ଭୁଲି ନ ଯାଇ ଆଗକୁ ପାଦ ବଢ଼ାଉ, ତାହା ଏହି ଲେଖକ କାମନା କରିବ।
ମୋ: ୯୪୩୭୦୭୭୨୮୮