୧୪ ବର୍ଷ ହେଲାଣି ବିମାନବନ୍ଦରରେ!

ନିଜର ଖରାପ ଅଭ୍ୟାସ ପାଇଁ ଚୀନର ଜଣେ ବ୍ୟକ୍ତି ଘର ଠାରୁ ନିଜକୁ ଦୂରେଇ ଦେଇଛନ୍ତି। ଜୀବନକୁ ନିଜ ଇଚ୍ଛାରେ ବଞ୍ଚିବା ପାଇଁ ସେ ବିମାନ ବନ୍ଦରରେ ଆଶ୍ରୟ ନେଇଛନ୍ତି। ତେବେ ସପ୍ତାହେ କି ମାସେ ନୁହେଁ, ଦୀର୍ଘ ୧୪ ବର୍ଷ ହେଲା ବେଜିଂ ବିମାନବନ୍ଦରରେ ରହି ଆସୁଛନ୍ତି ୱେଇ ଜିଆଙ୍ଗୁଓ। ଏହା ପଛର କାରଣ ହେଉଛି ନିଶା। ଘରେ ସିଗାରେଟ୍ ଟାଣିବାକୁ କି ମଦ ପିଇବାକୁ ସ୍ବାଧୀନତା ମିଳେନାହିଁ। ବଦଭ୍ୟାସ ପାଇଁ ପରିବାର ଲୋକେ ତାଙ୍କୁ ସର୍ବଦା ସମାଲୋଚନା କରୁଥିବାରୁ ସେ ସେଥିରୁ ମୁକ୍ତି ପାଇବା ଲାଗି ବିମାନବନ୍ଦରକୁ ନିଜର ବାସଗୃହ ଭାବେ ଗ୍ରହଣ କରିଛନ୍ତି। ଏତେ ଦିନ ଧରି ଘରଠାରୁ ଦୂରେଇ ରହିଥିଲେ ମଧ୍ୟ ଜୁଆଙ୍ଗୁଓ ଘର ଲୋକଙ୍କୁ ମନେ ପକାନ୍ତି ନାହିଁ କି ଘରକୁ ଫେରିବାକୁ ଚାହାନ୍ତି ନାହିଁ କାରଣ ଘରେ ରହିବା ଲାଗି ତାଙ୍କୁ ଏହିସବୁ ବଦଭ୍ୟାସ ଛାଡ଼ିବାକୁ ହେବ। କିନ୍ତୁ ତାଙ୍କ କହିବା କଥା ଯେ ଏହି ଅଭ୍ୟାସ ବିନା ସେ ବଞ୍ଚିପାରିବେ ନାହିଁ। ୬୦ ବର୍ଷୀୟ ଜିଆଙ୍ଗୁଓ ମାସିକ ହଜାରେ ୟୁଆନ୍ ଭତ୍ତା ପାଆନ୍ତି। ଏୟାର୍‌ପୋର୍ଟରେ ରହି ସେ ସବୁ ପ୍ରକାର ସୁବିଧା ପାଉଛନ୍ତି। ନିଜର ଆବଶ୍ୟକତା ଅନୁଯାୟୀ ପାଖରେ ଦୁଇଟି ସୁଟକେସ, ଚାଦର ଓ ଏକ ଷ୍ଟୋଭ ରଖିଛନ୍ତି। ବିମାନବନ୍ଦରରେ ନିଜେ ରୋଷେଇ କରି ଖାଉଛନ୍ତି। ରାତି ହେଲେ ସେହିଠାରେ ଚାଦର ପାରି ଶୋଇଯାଉଛନ୍ତି। ନିତ୍ୟକର୍ମ ପାଇଁ ବିମାନବନ୍ଦରର ଶୌଚାଳୟ ବ୍ୟବହାର କରୁଛନ୍ତି। ଅତୀତରେ ପୁଲିସ ତାଙ୍କୁ ଅନେକ ଥର ଘରେ ନେଇ ଛାଡ଼ିଦେଇ ଆସିଛି। କିନ୍ତୁ ପ୍ରତି ଥର ସେ ବିମାନବନ୍ଦରକୁ ଫେରିଆସିଛନ୍ତି।

ସମ୍ବନ୍ଧିତ ଖବର