ବିଭିନ୍ନ ପ୍ରକାରର ଶୀତ ପୋଷାକ ଭିତରେ ‘ଶାଲ୍’ ବ୍ୟବହାର ବେଶ୍ ପୁରୁଣା। ଚତୁର୍ଦ୍ଦଶ ଶତାବ୍ଦୀରୁ ଏହାର ପ୍ରଚଳନ ହେଲାଣି। ଶାଲ୍ ଶବ୍ଦଟି ମୂଳତଃ ପାର୍ସୀ ଶବ୍ଦ ‘ଶାଲ୍’ରୁ ଆସିଛି। ତେବେ କାଶ୍ମୀରୀ ଛେଳିର ଲୋମରୁ ଏହା ତିଆରି ହେଉଥିବାରୁ କାଶ୍ମୀର ହିଁ ଶାଲ୍ ଉତ୍ପାଦନର ପ୍ରମୁଖ ପେଣ୍ଠସ୍ଥଳୀ ଥିଲା ବୋଲି ବିଶ୍ବାସ କରାଯାଏ। ଅଷ୍ଟାଦଶ ଶତାବ୍ଦୀର ଶେଷଭାଗକୁ ଏହା ୟୁରୋପରେ ପହଞ୍ଚିଥିଲା, ଯେଉଁଠାରେ ରାଣୀ ଭିକ୍ଟୋରିଆ ଓ ସଂରାଜ୍ଞୀ ଜୋସେଫିନ୍ଙ୍କ ବିଳାସପୂର୍ଣ୍ଣ ଶୈଳୀରେ ବ୍ୟବହାର ଏହାକୁ ଲୋକପ୍ରିୟ କରାଇଥିଲା ବୋଲି କୁହାଯାଏ। ମୁଖ୍ୟତଃ ଉତ୍ତରଭାରତୀୟ ରାଜ୍ୟ ଖାସ୍ କରି କାଶ୍ମୀର, ପଞ୍ଜାବ ଓ ମଧ୍ୟ ଏସିଆରେ ଶାଲ୍ର ବହୁଳ ବ୍ୟବହାର ତଥା ଉତ୍ପାଦନ ହୋଇଥାଏ। ବିଭିନ୍ନ ରାଜ୍ୟର ସ୍ବତନ୍ତ୍ର ବୟନଶୈଳୀ ଓ ଶାଲ୍ର ଚାହିଦା ବିଶ୍ବବ୍ୟାପୀ ରହିଛି। ଉଭୟ ମହିଳା ଓ ପୁରୁଷ ଏହାକୁ ବ୍ୟବହାର କରିଥାନ୍ତି। ପୁରୁଷଙ୍କ ଶାଲ୍ର ଆକାର ବଡ଼। ସେମିତି ଏବେ ଆଧୁନିକ ନାରୀମାନେ ଟିକେ ଛୋଟ ଆକାରର ଷ୍ଟୋଲ୍କୁ ଶାଲ୍ର ପ୍ରତିରୂପ ଭାବେ ବ୍ୟବହାର କରୁଛନ୍ତି। ଯାହାକୁ ବିଭିନ୍ନ ଶୈଳୀରେ ବ୍ୟବହାର କରାଯାଇପାରିବ।
କାଶ୍ମୀରର ପଶମିନା ଶାଲ୍
କାଶ୍ମୀରରୁ ଆସିଥିବା ପଶମିନା ଶାଲ୍ ସବୁଠୁ କାରୁକାର୍ଯ୍ୟପୂର୍ଣ୍ଣ, ଦାମିକା, ବିଳାସପୂର୍ଣ୍ଣ ଓ ପୁରୁଣା ଶାଲ୍। ସାରା ବିଶ୍ବରେ ଏହାର ଅଧିକ ଚାହିଦା ରହିଛି। ସେଲିବ୍ରିଟି ଓ ଧନୀ ଲୋକଙ୍କ ପ୍ରଥମ ପସନ୍ଦ ହେଉଛି ପଶମିନା ଶାଲ୍। ଲଦାଖର ଚାଙ୍ଗ୍ଥାଙ୍ଗ୍ ଅଞ୍ଚଳରେ ବଢୁଥିବା ସ୍ଥାନୀୟ କାଶ୍ମୀରୀ ଛେଳିର ଲୋମରୁ ଏହା ତିଆରି କରାଯାଏ। ପଶମିନା କପଡ଼ା ଆରି, କାନି ଓ ସୋଜ୍ନି ନାମକ ପାରମ୍ପରିକ ଏମ୍ବ୍ରୋଡୋରି ବୁଣାଶୈଳୀରେ ବୁଣାଯାଏ। ଏଥିରେ ଜଟିଳ ହସ୍ତକଳା ଓ ଏମ୍ବ୍ରୋଡୋରି କାମ ହୋଇଥାଏ। ସାଧାରଣତଃ ୫୦୦୦ ଟଙ୍କାରୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ପଶମିନା ଶାଲ୍ ମିଳିଥାଏ। ବିଦେଶକୁ ମଧ୍ୟ ଏହି ଶାଲ୍ ରପ୍ତାନି କରାଯାଏ।
ଆନ୍ଧ୍ରପ୍ରଦେଶର କଲମକାରୀ ଶାଲ୍
ଆନ୍ଧ୍ରପ୍ରଦେଶରେ ଆପଣ ଶ୍ରୀକଳାହସ୍ତୀ କିମ୍ବା ମଛଲିପଟନମ୍ ଶୈଳୀରେ ହାତ ତିଆରି ବା ବ୍ଲକ୍-ପ୍ରିଣ୍ଟ୍ ଡିଜାଇନ୍ର କଲମକାରୀ ଶାଲ୍ ପାଇପାରିବେ। ଏହି ଶାଲ୍ ତିଆରିରେ ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥାଏ। ପାରମ୍ପରିକ ହସ୍ତତନ୍ତ କଲମକାରୀ ଶାଲ୍ରେ ଅସମ୍ପୂର୍ଣ୍ଣତା ହିଁ ଏହାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ। ଏଥିରେ ମଇଁଷି କ୍ଷୀର ବ୍ୟବହାର କରାଯାଏ। ଯାହାକି ପାରମ୍ପରିକ ଭାବେ ଶାଲ୍ରେ ବ୍ୟବହୃତ ରଙ୍ଗକୁ ଧୂଳିରୁ ରକ୍ଷା କରିବାକୁ ବ୍ୟବହାର କରାଯାଏ।
ପଶ୍ଚିମବଙ୍ଗର କନ୍ଥା ଶାଲ୍
ପଶ୍ଚିମବଙ୍ଗର ପ୍ରାଚୀନ ଏମ୍ବ୍ରୋଡୋରି କଳା ହେଉଛି କନ୍ଥା ଷ୍ଟିଚ୍ରେ ବୁଣାଯାଉଥିବା ଶାଲ୍। ପଶ୍ଚିମବଙ୍ଗରେ ବଦଳୁଥିବା ପାଣିପାଗକୁ ଦୃଷ୍ଟିରେ ରଖି ଅଧିକ ଗରମ ପାଇଁ ରେଶମ କପଡ଼ାରେ ଏହାକୁ ବୁଣାଯାଏ। ଏହାର ଚାହିଦା ମଧ୍ୟ ଅଧିକ।
ଓଡ଼ିଶାର କପଡ଼ାଗଣ୍ଡା ଶାଲ୍
ଓଡ଼ିଶାର ଡଙ୍ଗରିଆ କନ୍ଧ ଜନଜାତିର ମହିଳାମାନେ ଏହି ଶାଲ୍ ବୁଣନ୍ତି। ଶାଲ୍ ବୁଣିବାକୁ ପ୍ରାକୃତିକ କଳା, ନାଲି, ହଳଦିଆ, ସବୁଜ ପ୍ରଭୃତି ରଙ୍ଗ ବ୍ୟବହାର ହୁଏ, ଯାହା ଏହି ଜନଜାତିର ମୂଲ୍ୟବୋଧର ପ୍ରତୀକ। ଏହି ଚାରୋଟି ପ୍ରମୁଖ ରଙ୍ଗ ସେମାନଙ୍କ ଅନନ୍ୟ ସଂସ୍କୃତିକୁ ପ୍ରତିପାଦିତ କରେ। ସେମାନେ ପ୍ରଥମେ କେବଳ ନିଜ ପାଇଁ କିମ୍ବା ପୁରୁଖା ଲୋକମାନଙ୍କୁ ସମ୍ମାନ ଜଣାଇ ଉପହାର ଦେବା ଉଦ୍ଦେଶ୍ୟରେ ଏହାକୁ ବୁଣୁଥିଲେ। ପୂରା ସଫା ଧଳା କପଡ଼ାରେ ତିଆରି ହେଉଥିବା ଏହି ଶାଲ୍କୁ ଡଙ୍ଗରିଆ କନ୍ଧ ଫସଲ ବଦଳ ରଖି ଡମ ସଂପ୍ରଦାୟର ଲୋକଙ୍କଠାରୁ କିଣୁଥିଲେ।
ଗୁଜରାଟର ଭୁଜୋଡ଼ି ଶାଲ୍
ଗୁଜରାଟରେ ଭୁଜୋଡ଼ି ଶାଲ୍ ବୁଣା ପରମ୍ପରା ପ୍ରାୟ ୫୦୦ ବର୍ଷର ପୁରୁଣା। ପଶ୍ଚିମ ରାଜସ୍ଥାନରୁ ଭ୍ରମଣରେ ଆସିଥିବା ମାରୱାଡ଼ି ସଂପ୍ରଦାୟର ବୁଣାକାରମାନେ ଏହାକୁ ପ୍ରଥମେ ଆରମ୍ଭ କରିଥିଲେ। ପ୍ରାକୃତିକ ରଙ୍ଗ ଓ ଅନନ୍ୟ ଜ୍ୟାମିତିକ ପଦ୍ଧତିରେ ଏହି ଶାଲ୍ ବୁଣାଯାଏ।
ନାଗାଲାଣ୍ଡର ନାଗା ଶାଲ୍
ନାଗାଲାଣ୍ଡ ଶାଲ୍ର ବୁଣାଶୈଳୀ ଟିକେ ଭିନ୍ନ। ନାଗା ଲୋକ ପରମ୍ପରାରେ ମୁଖ୍ୟତଃ ଲାଲ୍, ଧଳା, ହଳଦିଆ ରଙ୍ଗର ଉଲ୍ ଡିଜାଇନ୍ ସହ କଳା ଓ ମେରୁନ୍ ରଙ୍ଗର ମିଶ୍ରଣ ଏହାକୁ ଅଧିକ ଆକର୍ଷଣୀୟ କରେ। ରାଜ୍ୟର ବିଭିନ୍ନ ଆଦିବାସୀ ଲୋକସଂସ୍କୃତିର କାରୁକାର୍ଯ୍ୟଭରା ଝଲକ ଏଥିରେ ଦେଖିବାକୁ ମିଳେ।
କୁଲୁର ପଟ୍ଟୁ ଶାଲ୍
ଏହାକୁ ‘ଲୋଇ’ ଶାଲ୍ କୁହନ୍ତି। ହିମାଳୟାନ୍ ଷ୍ଟେଟ୍ରୁ ବାହାରକୁ ରପ୍ତାନି ହେଉଥିବା ସେଓ ପରେ ପଟ୍ଟୁ ଶାଲ୍ ସବୁଠୁ ଲୋକପ୍ରିୟ ଜିନିଷ। ଆଙ୍ଗୋରା ମୂଷା ଲୋମ କିମ୍ବା ସ୍ଥାନୀୟ ‘ଦେଶକର୍’ ଓ ‘ବାଇଗାନି’ ମେଣ୍ଢାର ଲୋମରେ ଏହାକୁ ତିଆରି କରାଯାଏ। ପାରମ୍ପରିକ ଶୈଳୀରେ ଜ୍ୟାମିତିକ ଓ ଲୋକଚିତ୍ରକୁ ବ୍ୟବହାର କରି ବିଭିନ୍ନ ଡିଜାଇନ୍ରେ ଏହାକୁ ବୁଣାଯାଏ।
ହିମ୍ରୁ ଶାଲ
ଔରଙ୍ଗାବାଦ ଓ ହାଇଦ୍ରାବାଦରୁ ହିମ୍ରୁ ଶାଲ୍ ବୁଣା ଧୀରେ ଧୀରେ କମିଯାଉଛି। ଏହି ଶାଲ୍ଗୁଡ଼ିକ ରେଶମ ଓ ଉଲ୍ରେ ତିଆରି ହୋଇଥାଏ। ପାର୍ସୀ ଶୈଳୀରେ ବୁଣାଯାଉଥିବା ଏହି ଶାଲ୍ର ଅଧିକ ରୟାଲ୍ଟି ଥିଲା। ବିଭିନ୍ନ ପ୍ରକାର ଡିଜାଇନ୍ରେ ପଥର ଖଚିତ ହୋଇଥିବା ଏହି ଶାଲ୍ ରାଜକୀୟ ପରିବାରରେ ଅତ୍ୟନ୍ତ ଲୋକପ୍ରିୟ ଥିଲା।