ଇତି ଊଣେଇଶ (ସ୍ୱାସ୍ଥ୍ୟ) : ସ୍ୱପ୍ନଠୁ ବଳିଗଲା ବିବାଦ

ଚଳିତବର୍ଷ ରାଜ୍ୟରେ ସ୍ୱାସ୍ଥ୍ୟସେବା ବେଶ୍ ଚର୍ଚାରେ ରହିଥିଲା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୋ’ ସରକାର ଆରମ୍ଭ ସହ ରାଜ୍ୟର ସର୍ବ ପୁରାତନ ଏସ୍‌ସିବି ମେଡିକାଲ କଲେଜକୁ ଏମ୍‌ସ ଢାଞ୍ଚାରେ ନିର୍ମାଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରି ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବାର ସ୍ୱପ୍ନ ଦେଖାଇଥିଲେ ସରକାର। କ୍ୟାପିଟାଲ ହସ୍ପିଟାଲକୁ ସ୍ୱାସ୍ଥ୍ୟସେବାର ପରୀକ୍ଷା କେନ୍ଦ୍ର ଭାବେ ଗ୍ରହଣ କରାଯାଇଥିଲା। ହସ୍ପିଟାଲରେ ଏକାଧିକ ନୂଆ ଯୋଜନାର ଶୁଭାରମ୍ଭ ପାଇଁ ଫିତା କଟା ହୋଇଥିଲା। ‌ହେଲେ ବର୍ଷବ୍ୟାପୀ ଗୋଟିଏ ପରେ ଗୋଟିଏ ବିବାଦ ଆଗରେ ଏହି ସ୍ୱପ୍ନ ଏକପ୍ରକାର ଫିକା ପଡ଼ି ଯାଇଥିଲା। କେବଳ ସରକାରୀ ନୁହେଁ, ରାଜଧାନୀର ବେସରକାରୀ ଡାକ୍ତରଖାନା ମଧ୍ୟ ବର୍ଷବ୍ୟାପୀ ବିଭିନ୍ନ କାରଣରୁ ବିବାଦରେ ରହିଥିଲେ। ସବୁଠାରୁ ଅଧିକ ବିବାଦ ଘେରରେ ରହିଥିଲା ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ। ‌

ଉପସ୍ଥାପନା-କ୍ଷିତୀଶ ରାୟ

ସ୍ୱାସ୍ଥ୍ୟ ବିଭାଗର ପଞ୍ଝାରେ ଘରୋଇ ଡାକ୍ତରଖାନା
ରାଜଧାନୀରେ ଥିବା ଘ‌େରାଇ ଡାକ୍ତରଖାନାଗୁଡ଼ିକ ଉପରେ ସ୍ବାସ୍ଥ୍ୟ ବିଭାଗ ପଞ୍ଝା ମେଲାଇଥିଲା। ବିଭିନ୍ନ କାରଣ ପାଇଁ ବିବାଦ ଘେରକୁ ଏକାଧିକ ଘରୋଇ ହସ୍ପିଟାଲ ଆସିଥିବା ବେଳେ ସେସବୁରେ ଘନ ଘନ ଯାଞ୍ଚ କରିଥିଲା ସ୍ବାସ୍ଥ୍ୟ ବିଭାଗ। ବିଧାନସଭାରେ ମଧ୍ୟ ଘରୋଇ ହସ୍ପିଟାଲ ଗୁଡ଼ିକର କାର୍ଯ୍ୟକଳାପକୁ ନେଇ ଜୋରଦାର ଆଲୋଚନା ବିତର୍କ ହୋଇଥିଲା। କେତେବେଳେ ଔଷଧର ତାଲିକା ପାଇଁ ଯାଞ୍ଚ ହୋଇଥିଲା ତ ଆଉ କେତେବେଳେ ପିସିପିଏନ୍‌ଡିଟି ଆଇନ ଅନୁସାରେ ଅଲଟ୍ରା ସାଉଣ୍ଡ ମେସିନ୍‌ ରଖିବା ନେଇ ଚଢ଼ାଉ ହୋଇଥିଲା। ଏସବୁ ଚଢ଼ାଉ ରାଜଧାନୀରେ ଘରୋଇ ଡାକ୍ତରଖାନା କିଭଳି ଭାବେ ରୋଗୀଙ୍କୁ ସେବା ଯୋଗାଉଛନ୍ତି ତାହା ଧରା ପଡ଼ି ଯାଇଥିଲା।

‘ଲକ୍ଷ୍ୟ’କୁ ବିଚ୍ୟୁତ କଲା ପଦାରେ ପ୍ରସବ
ଲେବର ରୁମ୍ ଓ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର କ୍ଷେତ୍ରରେ ଆବଶ୍ୟକ ମାନଦଣ୍ଡ ହାସଲ କରିବା ଦୃଷ୍ଟିରୁ କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୬ଟି ହସ୍ପିଟାଲକୁ ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ‘ଲକ୍ଷ୍ୟ’ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଏହି ସାର୍ଟିଫିକେଟ୍ ପାଇ ଗଦ୍‌ଗଦ୍‌ ହୋଇଯାଇଥିଲେ ହସ୍ପିଟାଲ କର୍ତୃପକ୍ଷ। ହେଲେ ଶଯ୍ୟା ଅଭାବରୁ ପ୍ରସୂତି କ୍ୟାପିଟାଲ ହସ୍ପିଟାଲର ଏଣେତେଣେ ପ୍ରସବ କରିବା ଏହି ଗୁଣାତ୍ମକ ସ୍ବାସ୍ଥ୍ୟସେବାର ମୁଖା ଖୋଲି ଦେଇଥିଲା। ଶଯ୍ୟା ଅଭାବରୁ ଜଣେ ପ୍ରସୂତି ଅଟୋରେ ପ୍ରସବ କରିଥିବା ବେଳେ ଆଉ ଜଣେ ଶିଶୁ ୱାର୍ଡ ବାହାରେ ପ୍ରସବ କରିଥିଲେ। ଗୋଟିଏ ପରେ ଗୋଟିଏ ଘଟଣା ଉନ୍ନତ ସ୍ବାସ୍ଥ୍ୟସେବାକୁ ପଦାରେ ପକାଇ ଦେଇଥିଲା। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରସୂତିଙ୍କୁ ଚିକିତ୍ସା ଯୋଗାଇବାରେ ବିଫଳ ହେବା ଅଭିଯୋଗ ହୋଇଥିଲା। ଆବଶ୍ୟକତାଠାରୁ ଅଧିକ ସଂଖ୍ୟାରେ ପ୍ରସୂତି ପ୍ରସବ ପାଇଁ ଆସୁଥିବା ଦର୍ଶାଇ ଖସିଯିବାକୁ ଚେଷ୍ଟା କରିଥିଲେ ହସ୍ପିଟାଲ କର୍ତୃପକ୍ଷ।

ନିଜ କର୍ମଚାରୀଙ୍କୁ ବଞ୍ଚାଇ ପାରିଲେନି
ନିଜର ଜଣେ କର୍ମଚାରୀଙ୍କୁ ଆବଶ୍ୟକ ସମୟରେ ଆଇସିୟୁ ଶଯ୍ୟା ଦେଇ ନ ପାରି ବଦନାମ ହୋଇଥିଲେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ। ହସ୍ପିଟାଲର ମହିଳା ଆଟେଣ୍ଡାଣ୍ଟ ଅନୁପମା ନାୟକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତର ତାଙ୍କୁ ଆଇସିୟୁରେ ଭର୍ତି ହେବା ପାଇଁ କହିଥିଲେ। ଦୀର୍ଘ ସମୟ ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ତାଙ୍କୁ ଆଇସିୟୁ ମିଳି ନ ଥିଲା ଓ ଶେଷରେ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ସ୍ବାସ୍ଥ୍ୟ ବିଭାଗଠାରୁ ଆରମ୍ଭ କରି ରୋଗୀ ମହଲରେ ଅପଦସ୍ଥ ହୋଇଥିଲେ ହସ୍ପିଟାଲ କର୍ତୃପକ୍ଷ। ବିବାଦକୁ ଥଣ୍ଡା କରିବାକୁ ଯାଇ ଡ୍ୟୁଟିରେ କାର୍ଯ୍ୟରତ ୨ଜଣ ଠିକା ଡାକ୍ତରଙ୍କୁ ବହିଷ୍କୃତ କରିଥିଲେ। ତଥାପି ଏହା ରୋଗୀଙ୍କୁ ଶାନ୍ତ କରିପାରି ନ ଥିଲା। ଯେଉଁଠାରେ ନିଜ କର୍ମଚାରୀ ଯେଉଁଠାରେ ଶଯ୍ୟା ପାଉ ନାହାନ୍ତି ସେଠାରେ ସାଧାରଣ ରୋଗୀଟିଏ ଶଯ୍ୟା ପାଇବା ପାଇଁ କିଭଳି ଡହଳ ବିକଳ ହେଉଥିବ ତାହାକୁ ପଦାରେ ପକାଇ ଦେଇଥିଲା।

ଧରାପଡ଼ିଲେ ଦଲାଲ, ବଦନାମ ହେଲା ହସ୍ପିଟାଲ
କ୍ୟାପିଟାଲ ହସ୍ପିଟାଲରେ ମାଳମାଳ ଦଲାଲ ଖୁଲମଖୁଲା ବିଚରଣ କରୁଥିଲେ। ତେବେ ‘ମୋ ସରକାର’ ଯୋଜନା ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଡାକ୍ତରଖାନାରୁ ଦଲାଲମୁକ୍ତ କରିବା ପାଇଁ ଆହ୍ବାନ କରିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ହିଁ କ୍ୟାପିଟାଲ ହସ୍ପିଟାଲରୁ ୩ଜଣ ଏମ୍‌ଆର ଓ ଜଣେ ଦଲାଲ ଧରା ପଡ଼ିଲେ। ଏହାକୁ ନେଇ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିଲା। ଗଣମାଧ୍ୟମରେ ବାରମ୍ବାର ଏ ସଂପର୍କ‌େର ରିପୋର୍ଟ ପ୍ରକାଶ ପାଉଥିଲେ ହେଁ ହସ୍ପିଟାଲ କର୍ତୃପକ୍ଷ ଏହାକୁ ଅଣଦେଖା କରି ଚାଲିଥିଲେ। ଏସବୁ ସତ୍ବେ ମଧ୍ୟ ହସ୍ପିଟାଲ ସଂପୂର୍ଣ୍ଣଭାବେ ଦଲାଲମୁକ୍ତ ହୋଇପାରିନି। ଦଲାଲ ଓ ପୁଲିସଙ୍କ ମଧ୍ୟରେ କିଛିଦିନ ଲୁଚକାଳି ଖେଳ ଚାଲିବା ପରେ ଏବେ ମଧ୍ୟ ହସ୍ପିଟାଲରେ ଦଲାଲ ନିଜର ଜାଲ ବିଛାଇଛନ୍ତି।

ସମ୍ବନ୍ଧିତ ଖବର