ରାଜଧାନୀ ରାଜନୀତି: ବିଧାନସଭା ନିର୍ବାଚନ ଆଗୁଆ ହେବ!

ନାରାୟଣ, ନାରାୟଣ। ଗଲା ସପ୍ତାହଟା ସାରା ନେତା ଓ ଅମଲା ମହଲରେ ଚର୍ଚ୍ଚା- ଓଡ଼ିଶାର ବିଧାନସଭା ନିର୍ବାଚନ ଡିସେମ୍ବରରେ ହେଇଯିବ। ଏମିତିରେ ଆମ ବିଧାନସଭାର ନିର୍ବାଚନ ୨୦୨୪ ଜୁନ୍‌ ପୂର୍ବରୁ ହେବା କଥା। ମାତ୍ର ବିଜୁ ଜନତା ଦଳ ଏହାକୁ ଛଅମାସ ଆଗରୁ କରାଇନେବାକୁ ଚାହୁଁଥିବା ଜଣାପଡ଼ିଛି। ସେହି ହିସାବରେ ସେପ୍ଟେମ୍ବରରେ ବିଧାନସଭା ଭାଙ୍ଗିଦେଇ ନିର୍ବାଚନଟିକୁ ଅନ୍ୟ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସାଙ୍ଗରେ ଡିସେମ୍ବରରେ କରାଇବାଲାଗି ସରକାରୀ ଦଳର ଆଗ୍ରହ। ଏହି କାରଣ ଯୋଗୁଁ ଫାଇଭ୍‌-ଟି ସଚିବ, ଯିଏ କି ବାସ୍ତବରେ ବିଜୁ ଜନତା ଦଳର ସଭାପତି ଭାବେ ଦଳ ଓ ସରକାର ପକ୍ଷରୁ ସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି, ସିଏ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ନମ୍ବର-ଟୁ ଅମିତ ଶାହଙ୍କୁ ଭେଟିଥିଲେ। ଏବେ ପ୍ରଶ୍ନ ଉଠୁଛି, ବିଜେଡିର ଏ ପ୍ରସ୍ତାବକୁ ଭାଜପା ସରକାର ଗ୍ରହଣ କରିବ ନା ନାହିଁ। ବିଜେଡି ଆଗୁଆ ନିର୍ବାଚନ ପାଇଁ ବ୍ୟଗ୍ରତା ଦେଖାଇବାର ତିନିଟା କାରଣ କଥା ଚର୍ଚ୍ଚା ହେଉଛି। ପ୍ରଥମଟି ହେଲା ଏପ୍ରିଲ୍‌-ମେରେ ନିର୍ବାଚନ ହେଲେ ବାବୁ ନବୀନ ପଟ୍ଟନାୟକ ଟାଣ ଖରାରେ ବୁଲିପାରିବେ ନାହିଁ। ଅଥଚ, ତାଙ୍କୁ ସାମ୍ନାରେ ନ ରଖିଲେ ବିଜୁ ଜନତା ଦଳ ନିର୍ବାଚନ ଜିଣିପାରିବ ନାହିଁ। ଦ୍ବିତୀୟ କାରଣ ହେଲା ଯେଉଁ ବ୍ୟକ୍ତି ନବୀନଙ୍କ ଉତ୍ତରାଧିକାରୀ ଭାବେ ଗାଦିରେ ବସିବାକୁ ଚାହୁଛନ୍ତି ସିଏ କୁଆଡ଼େ ଉଚ୍ଛନ୍ନ ହୋଇପଡ଼ିଲେଣି। ତୃତୀୟ କାରଣ ହେଲା, ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଫାଇଭ୍‌-ଟି ସଚିବ ସାରା ଓଡ଼ିଶା ବୁଲି ନିର୍ବାଚନୀ ପାଣିପାଗ ତିଆରି କରିସାରିଲେଣି। ଡେରିହେଲେ ଏହି ଉଷୁମ ପାଗ ଥଣ୍ତା ପଡ଼ିଯିବ। ଖବର ପାଇଲୁ, ଆଗୁଆ ନିର୍ବାଚନ ଲାଗି ଭୋଟର ତାଲିକା ସ˚ଶୋଧନ କାମ ସରିଗଲାଣି। ପୁରୁଣା ଜାଗାରେ ଅଧିକା ଦିନ ଥିବା କର୍ମଚାରୀଙ୍କୁ ମଧ୍ୟ ବଦଳି କରାଯାଇସାରିଲାଣି। ଦିଲ୍ଲୀରୁ ସବୁଜ ସଙ୍କେତ ଆସିବା କ୍ଷଣି ଏଠି ଶଙ୍ଖ ଭବନରୁ ଅନୁକୂଳ ଶଙ୍ଖ ବାଜିବ। ତେବେ ଓଡ଼ିଶାର ପଦ୍ମନେତାଏ ଏପ୍ରକାର ସମ୍ଭାବନାକୁ ଗ୍ରହଣ କରୁନାହାନ୍ତି। ସେମାନଙ୍କର କହିବା କଥା ଡିସେମ୍ବରରେ ଯେଉଁ ପାଞ୍ଚଟି ରାଜ୍ୟ: ମିଜୋରାମ, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଏବ˚ ତେଲେଙ୍ଗାନାର ବିଧାନସଭା ନିର୍ବାଚନ ହେବ ତାହା ପାଇଁ ଗଲା ୧୬ ତାରିଖରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଡକାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ ଦଳର ସଭାପତି ଉପସ୍ଥିତ ଥିଲେ। ଏ ବୈଠକରେ ଓଡ଼ିଶା କଥା ଚର୍ଚ୍ଚା ହୋଇ ନ ଥିଲା। ମାତ୍ର ସେମାନଙ୍କର ଏହି ଯୁକ୍ତିକୁ ଓଡ଼ିଶାର ନେତା-ଅମଲା ଗ୍ରହଣ କରୁନାହାନ୍ତି।

ଧର୍ମେନ୍ଦ୍ରଙ୍କ ତେର୍ଚ୍ଛା ବାଣ
କୁହାଯାଏ କୂଟନୀତି ଓ କବିତା- ଏ ଦିଇଟାର ଭାଷା ତେର୍ଚ୍ଛା ବା ବଙ୍କା। ସେଥିପାଇଁ କୂଟନୀତିଜ୍ଞ ଓ କବି କୌଣସି କଥାକୁ ସିଧାସଳଖ କହନ୍ତି ନାହିଁ। ମାତ୍ର ରାଜନୀତିରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଝିରେ ମଝିରେ ଏମିତି ବଙ୍କା କଥା କହିବା ଲକ୍ଷ୍ୟ କରାଯାଉଛି। ସଦ୍ୟତମ ଉଦାହରଣ ହେଲା, ଗଲା ଗୁରୁବାର ଦିନ ମେଫେୟାର ହୋଟେଲ୍‌ରେ କୁଇ ଓ ଦେଶିଆ ଭାଷାର ଦୁଇଟି ବର୍ଣ୍ଣ ପରିଚୟ ବହିର ଉନ୍ମୋଚନ ଉତ୍ସବ ହେଉଥିଲା। ଏ ଉତ୍ସବର ମୁଖ୍ୟ ଥିଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏବ˚ ଆୟୋଜକ ଖୋଦ୍ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଇଠି ବାବୁ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାକୁ କଟାକ୍ଷ କରି କହିଥିଲେ ଯେ ସମୟେ ସମୟେ ମନରେ ସନ୍ଦେହ ଆସୁଛି, ଆମର ଭାଷା ବଞ୍ଚିରହିବ ତ? ତାପରେ ସେ ନୈରାଶ୍ୟର ସ୍ବରକୁ ଆଶାବାଦର ସ୍ବରରେ ରୂପାନ୍ତରିତ କରି ମୋଦୀ ସରକାର ଯାହା କହନ୍ତି ତାହା କରନ୍ତି ବୋଲି ଘୋଷଣା କରିଥିଲେ। ତା ଆଗରୁ ‘ସମ୍ବାଦ’ର ଗୋଟିଏ ସଭାରେ, ଏହି ଅନୁଷ୍ଠାନ ମହିଳା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରୁଥିବା କଥା କହିବାବେଳେ ମନ୍ତ୍ରୀ ପ୍ରଧାନ ଅର୍ଦ୍ଧ ଓ ବଙ୍କା ବାକ୍ୟରେ କହିଥିଲେ ଯେ ଲୋକେ ଭାବିବା କଥା ନୁହେଁ ଯେ ‘ସମ୍ବାଦ’ ପଛରେ ସରକାର ଅଛନ୍ତି। ଯାହା ମନରେ ସେମିତି ଧାରଣା ଥିବ ଆଜି ସଭା ପରେ ତାହା ମଧ୍ୟ ଦୂର ହେଇଯିବ। ମନ୍ତ୍ରୀ ଏକଥା କହିବାର କାରଣ ସିଏ ହେଲେ ପଦ୍ମଦଳର ନେତା ଓ ‘ସମ୍ବାଦ’ର ମୁଖ୍ୟ ଶଙ୍ଖ ଦଳର ବିଧାୟକ। ତାଙ୍କୁ ସଭାକୁ ଡାକିଥିବାରୁ ଓଡ଼ିଶା ସରକାରଙ୍କ ଉପର ମହଲାର ଲୋକେ ସୌମ୍ୟର˚ଜନଙ୍କ ଉପରେ ରାଗିପାରନ୍ତି।

ଓଡ଼ିଆ ପାଇଁ ହାତଖୋଲୁ
ଗତ ସପ୍ତାହରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗସ୍ତ ଅବସର‌େର ଏକ ପୁରୁଣା ଭିଡିଓ ଭୁବନେଶ୍ବରରେ ପ୍ରସାରିତ ହେଉଥିବା ଦେଖିଲୁ। କ˚ଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଶାସ୍ତ୍ରୀୟ ଭାଷାଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ମଞ୍ଜୁର କରିଥିବା ଅର୍ଥ ପରିମାଣ ବାବଦରେ ଏହି ପ୍ରଶ୍ନ ରାଜ୍ୟସଭାରେ ପଚାରିଥିଲେ। ତାଙ୍କର ପ୍ରଶ୍ନ ଥିଲା, ଭାରତରେ ଛଅଟି ଶାସ୍ତ୍ରୀୟ ଭାଷା ଥିଲାବେଳେ ମାତ୍ର ୧୫ ହଜାର ଲୋକ ବ୍ୟବହାର କରୁଥିବା ଭାଷା ସ˚ସ୍କୃତର ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ସରକାର ୬୪୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅଥଚ, ଅନ୍ୟ ପାଞ୍ଚଟି ଶାସ୍ତ୍ରୀୟ ଭାଷାରୁ ତାମିଲ ପାଇଁ ସେଇ ସମୟ ଭିତରେ ୨୪ କୋଟି, ତେଲୁଗୁ ପାଇଁ ୩ କୋଟି, କନ୍ନଡ଼ ପାଇଁ ୩ େକାଟି ଟଙ୍କା ବ୍ୟୟ କରିଥିଲେ। ଅନ୍ୟ ଦୁଇ ଶାସ୍ତ୍ରୀୟ ଭାଷା ମାଲୟାଲମ ଓ ଓଡ଼ିଆ ପାଇଁ କେନ୍ଦ୍ର ସରକାର ଶୂନ୍ୟ ବା ଟଙ୍କାଟିଏ ସୁଦ୍ଧା ଖର୍ଚ୍ଚ କରିନାହାନ୍ତି। ଜୟରାମ ରମେଶଙ୍କ କହିବା କଥା ଥିଲା ସ˚ସ୍କୃତ ଦେବଭାଷା ଭାବେ ସମ୍ମାନ ପାଇବା ଭଲକଥା, ମାତ୍ର ୧୫ ହଜାର ଲୋକ କହୁଥିବା ଏହି ଭାଷା ପାଇଁ ୬୪୨ କୋଟି ଟଙ୍କା ବ୍ୟୟ କରାଯାଇଥିବାବେଳେ କୋଟି କୋଟି ଲୋକ ବ୍ୟବହାର କରୁଥିବା ଅନ୍ୟ ଶାସ୍ତ୍ରୀୟ ଭାଷାଗୁଡ଼ିକ ପାଇଁ ଭିକ୍ଷା ଦେବା ଭଳି ଅଳ୍ପ କିଛି ମଞ୍ଜୁର କରିବା ଗ୍ରହଣଯୋଗ୍ୟ ନୁହେଁ। ସେହିଭଳି ମାଲୟାଲମ୍‌ ଓ ଓଡ଼ିଆ ଭାଷା ପାଇଁ ଆଦୌ କିଛି ମଞ୍ଜୁର ନ ହେବା ଆହୁରି ବେଦନାଦାୟକ ବୋଲି ସେ କହିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ଆସିଥିବାବେଳେ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ଅଧିକାରୀ ଏବ˚ ରାଜ୍ୟ ସ˚ସ୍କୃତି ବିଭାଗ ଅଧିକାରୀ ତାଙ୍କ ସହ ଏ ସମ୍ବନ୍ଧରେ ଚର୍ଚ୍ଚା କରିଥିବେ ବୋଲି ଆମେ ଭାବୁଛୁ। ଓଡ଼ିଆ ଭାଷାର ପ୍ରସାର ପାଇଁ କେନ୍ଦ୍ର ସରକାରଙ୍କ ହାତମୁଠା ଖୋଲିବା ଦରକାର।

ଗୋଟିଏ ଖର୍ଚ୍ଚରେ ଦିଇଟା କାର୍ଯ୍ୟ
ଆମ ପାଖକୁ ଯାଜପୁରର ଜଣେ ସଚେତନ ପାଠକ ଏହି ଫଟୋଟି ସମ୍ପର୍କରେ ଦିପଦ ଲେଖି ଅଭିଯୋଗ କରିଛନ୍ତି ଯେ ସରକାରୀ ଅଫିସରମାନେ କିପରି ୨୬ ଜାନୁଆରି ଓ ୧୫ ଅଗଷ୍ଟ ଭିତରେ ପାର୍ଥକ୍ୟ ଜାଣିପାରୁନାହାନ୍ତି? ସାଧାରଣ ଲୋକ ଭୁଲ୍‌ କଲେ ଜିଲ୍ଲା ପ୍ରଶାସନ ଓ ସୂଚନା ଲୋକସମ୍ପର୍କ ବିଭାଗ ତାହାର ସ˚ଶୋଧନ କରିବା କଥା। ଖୋଦ୍‌ ଜିଲ୍ଲା ପ୍ରଶାସନ ମାରାତ୍ମକ ଭୁଲ୍‌ କରି ଉପରେ ଏହି ଗେଟ୍‌ରେ ସ୍ବାଧୀନତା ଦିବସ ଓ ତଳେ ଗଣତନ୍ତ୍ର ଦିବସ ବୋଲି କିଭଳି ଲେଖିଲେ? ବାବୁଙ୍କର ଯୁକ୍ତି ଠିକ୍‌। ମାତ୍ର ଆମେ ଭାବୁଛୁ ଯାଜପୁର ଜିଲ୍ଲା ପ୍ରଶାସନ ଏଠି ସମ୍ଭବତଃ ‘ଟୁ-ଇନ୍‌-ଵାନ୍‌’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏ ଗେଟ୍‌ର ଫ୍ଲେକ୍ସ ସ୍ବାଧୀନତା ଦିବସ ବେ‌େଳ ମାନେ ୧୫ ଅଗଷ୍ଟରେ କାମରେ ଆସିଲା, ପୁଣି ସାଇତି ରଖିଦେଲେ ୨୬ ଜାନୁଆରି ବେଳକୁ ମାନେ ସାଧାରଣତନ୍ତ୍ର ଦିବସ ବେଳକୁ କାମରେ ଆସିବ। ଆଉ ସାନି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ପାଠକେ କହିବେ ୧୯୪୭ ଅଗଷ୍ଟ-୧୫ରେ ଦେଶ ସ୍ବାଧୀନ ହୋଇଥିବାବେଳେ ୧୯୫୦ ଜାନୁଆରି ୨୬ରେ ଦେଶ ପ୍ରଥମେ ସାଧାରଣତନ୍ତ୍ର ଦିବସ ପାଳିଥିଲା। ୧୯୪୭ ଓ ୧୯୫୦ ଭିତରେ ତିନି ବର୍ଷର ବ୍ୟବଧାନ। ତେଣୁ ଦିଇଟା ଅଲଗା ଅଲଗା ଓ ଗୁରୁତ୍ବପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମ। ମାତ୍ର କଥା ହେଉଛି, ଯାଜପୁର ଜିଲ୍ଲା ପ୍ରଶାସନର ଅଫିସରମାନେ ଦୁଇ ଦିବସ ଭିତରର ପାର୍ଥକ୍ୟ ଭୁଲିଯାଇସାରିଲେଣି, ସାଧାରଣ ଲୋକେ ତାକୁ ମନେରଖି ଲାଭ କଣ?

ସ˚ପର୍କ କଣ ଏକପାଖିଆ
ନାକ୍‌ ମାନ୍ୟତା ତାଲିକାରେ ଉତ୍କଳ ବିଶ୍ବବିଦ୍ୟାଳୟର ମାନ ଖସିଯାଇଥିବା ଖାଲି ବିଶ୍ବବିଦ୍ୟାଳୟ ନୁହେଁ ଅନ୍ୟ ଅନେକଙ୍କ ପାଇଁ ଚିନ୍ତାର ବିଷୟ। ଆମ ଖବର ଅନୁସାରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଯେଉଁ କଥାଗୁଡ଼ିକ ଅଭାବ ଥିବା ଦର୍ଶାଯାଇଛି ତାହା ମଧ୍ୟରେ ସବୁଠୁ ଉଦ୍‌ବେଗଜନକ ବିଷୟ ହେଲା ଅଧ୍ୟାପକ ଅଭାବ। ବାବୁ ଅଶୋକ ଦାସ କୁଳପତି ଥିବାବେଳେ ଯାହା କିଛି ଅଧ୍ୟାପକଙ୍କ ନିଯୁକ୍ତି ହୋଇଥିଲା, ତାପରେ ପ୍ରାୟ ହୋଇନାହିଁ। ପରବର୍ତ୍ତୀ କୁଳପତିମାନେ ନିଜ ନିଜ ଦାୟିତ୍ବ ସ˚ପାଦନ କରି ନ ଥିବାରୁ ବର୍ତ୍ତମାନର କୁଳପତି ସମସ୍ୟାରେ ପଡ଼ିଛନ୍ତି। ମାତ୍ର ସିଏ ଚାହିଲେ ମଧ୍ୟ ଏବେ କିଛି କରିପାରୁନାହାନ୍ତି, କାରଣ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନକୁ ନେଇ ତିନିଟି କେସ୍‌ ଦାୟର ହୋଇଛି ଏବଂ ମାମଲା ଏବେ ସୁପ୍ରିମ୍‌କୋର୍ଟରେ। ଏଥିଯୋଗୁଁ ପ୍ରାୟ ଦେଢ଼ବର୍ଷ ହେଲା ବିଭିନ୍ନ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା ବନ୍ଦ। ଏହାଦ୍ବାରା ଓଡ଼ିଶାର ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ଶୋଚନୀୟ ଅବସ୍ଥା। ଗୋଟେ ପଟେ ସରକାର ବିଭିନ୍ନ କଲେଜରେ ପି.ଜି. ପରେ ପି.ଜି. ଖୋଲି ଚାଲିଛନ୍ତି, ଅନ୍ୟପକ୍ଷରେ ପଢ଼େଇବାକୁ ଅଧ୍ୟାପକ ନାହାନ୍ତି। ଏ ଅବସ୍ଥା ଆଉ କେତେକାଳ ଚାଲିିବ କେହି ଜାଣନ୍ତି ନାହିଁ। ରାଜ୍ୟ ସରକାରଙ୍କର କେନ୍ଦ୍ର ସରକାରଙ୍କ ସହ ସମ୍ପର୍କ ଏତେ ଭଲ ଯେ ମୋଦୀ ଦିଲ୍ଲୀ ସରକାରର ଶକ୍ତିହରଣ ବିଲ୍‌ ବା ମଣିପୁରକୁ ନେଇ ଅନାସ୍ଥା ପ୍ରସ୍ତାବର ବିରୋଧରେ ଠିଆ ହେବାକୁ କହିବାକ୍ଷଣି ବିଜେଡି ସମର୍ଥନ ଯୋଗାଇ ଦେଉଛି। ଅଥଚ ରାଜ୍ୟର ସ୍ବାର୍ଥକୁ ନେଇ ଏ ଯେଉଁ ସମସ୍ୟା ସୁପ୍ରିମ୍‌କୋର୍ଟ ଯାଏ ଯାଇଛି ତାହାର ସମାଧାନ ହୋଇପାରୁନାହିଁ କାହିଁକି? ନା ଶିକ୍ଷା ସମସ୍ୟା ରାଜନୈତିକ ଦୃଷ୍ଟିରୁ ମହତ୍ତ୍ବ ରଖୁନାହିଁ ବୋଲି ସରକାର ଏଥିପ୍ରତି ଆନ୍ତରିକତା ଦେଖାଉନାହାନ୍ତି।

ମୃତ୍ୟୁର ମୂଲ୍ୟ
ଗଲା ୧୬ ତାରିଖ ଦିନ, ସ୍ବାଧୀନତା ଦିବସର ଠିକ୍‌ ପରଦିନ ବିରୂପା ନଈର କୁମ୍ଭୀର ଯାଜପୁର ଜିଲ୍ଲା ପାଲଟପୁର ଗାଁର ଜ୍ୟୋତ୍ସ୍ନା ଜେନାଙ୍କୁ ଭିଡ଼ିନେଲା ଓ ଖଣ୍ତ ଖଣ୍ତ କରି ଖାଇଗଲା। ଜ୍ୟୋତ୍ସ୍ନା ସକାଳର ନିତ୍ୟକର୍ମ ପାଇଁ ନଦୀକୁ ଯାଇଥିଲେ। ଗାଁ ଲୋକଙ୍କ ଆଖି ଆଗରେ ଏ ଘଟଣା ଘଟିଗଲା, ସେମାନେ ଅସହାୟ ଦର୍ଶକ ସାଜି ରହିବା ଭିନ୍ନ ଅନ୍ୟ ଚାରା ନ ଥିଲା। ଏହାପରେ ମୃତ ଜ୍ୟୋତ୍ସ୍ନାଙ୍କ ପରିବାରକୁ ୬୦ ହଜାର ଟଙ୍କା ଦେଇ ସରକାର ତାଙ୍କ ଦାୟିତ୍ବ ସାରିଛନ୍ତି। ପାଠକଙ୍କ ଅବଗତି ପାଇଁ ଜଣାଉଛୁ ଯେ ଜ୍ୟୋତ୍ସ୍ନା ଜେନାଙ୍କର ବୟସ ୩୬ ବର୍ଷ ଥିଲା। ତାଙ୍କ ସ୍ବାମୀ ଜଣେ ଦିବ୍ୟାଙ୍ଗ। ଶାଶୂ ଓ ଶ୍ବଶୁର ଉଭୟେ ବ୍ୟାଧିଗ୍ରସ୍ତ। ଏଣେ ଘରେ ସାତ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ଯୋଡ଼ିଏ ପିଲା। ସରକାରଙ୍କ ହିସାବରେ ଜ୍ୟୋତ୍ସ୍ନା ଜେନାଙ୍କ ମୃତ୍ୟୁର ମୂଲ୍ୟ କଣ ୬୦ ହଜାର ଟଙ୍କା? ଜ୍ୟୋତ୍ସ୍ନା ଜେନାଙ୍କ ପରି ମହିଳାମାନେ ଶୌଚ ସ୍ନାନ ପାଇଁ ନଦୀକୁ କାହିଁକି ଯାଉଛନ୍ତି? କାରଣ ସେମାନଙ୍କ ଘରେ‌ ଶୌଚାଳୟର ସର୍ବନିମ୍ନ ସୁବିଧା ନାହିଁ। ଏ ସୁବିଧା ଯୋଗାଇଦେବା ସରକାରଙ୍କ ଦାୟିତ୍ବ ନୁହେଁ କି? ଓଡ଼ିଶାର ବାର୍ଷିକ ବଜେଟ୍‌ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ଏହା ସତ୍ତ୍ବେ ନଈକୂଳିଆ ଲୋକ ଗାଧୋଇବାକୁ ଯାଇ ଗୋଟାକ ପରେ ଗୋଟାଏ କୁମ୍ଭୀର ପେଟରେ ଗର୍ଭସ୍ଥ ହେଉଛନ୍ତି। କାହିଁକି? ଏହାଛଡ଼ା କୁମ୍ଭୀର ପେଟରେ ମରୁଥିବା ମଣିଷର ଜୀବନର ମୂଲ୍ୟ ୬୦ ହଜାର ବୋଲି କିଏ ସ୍ଥିର କରିଛି? ଓଡ଼ିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ମାଆଛେଉଣ୍ତ ଏ ଦୁଇଟି ଛୁଆଙ୍କର ଶିକ୍ଷା ଓ ଶିକ୍ଷାପର ନିଯୁକ୍ତି ପ୍ରତି ଦୃଷ୍ଟିଦେବା ଜରୁରୀ। ଆମ ଦେଶର ଆଇନ କୁମ୍ଭୀର ପ୍ରତି ସଦୟ ହେଉ ଚିନ୍ତା ନାହିଁ, ମାତ୍ର ମଣିଷ ପ୍ରତି ନିର୍ଦ୍ଦୟ ନ ହେଉ। ନାରାୟଣ, ନାରାୟଣ।

ସମ୍ବନ୍ଧିତ ଖବର