ରାସ୍ତା ମଝିରେ କାର୍‌ ଭିତରକୁ ଅଳିଆ ଫୋପାଡ଼ିଲେ ମହିଳା; ଗାଡ଼ି ରଖି ଅଳିଆ ପୁଟୁଳିକୁ ଓଲଟା କାର୍‌ ଭିତରକୁ ଫିଙ୍ଗିଲେ ବାଇକ୍‌ ଚାଳକ

ବେଜିଂ: ଆଜିକାଲି ଭାଇରାଲ୍‌ ଭିଡିଓର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶିଶୁମାନଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ପର୍ଯ୍ୟନ୍ତ ବିଭିନ୍ନ ମଜାଦାରିଆ ଭିଡିଓ ସବୁ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ନିକଟରେ ବି ସେହିପରି ଏକ ଭିଡିଓ ଭାଇରଲ୍‌ ହୋଇ ଖୁବ୍‌ ଚର୍ଚ୍ଚା ହୋଇଛି। ଭିଡିଓଟିର ସ୍ୱତନ୍ତ୍ରତା ହେଉଛି ଏହା ମଜାଦାୟକ ବି ଏବଂ ସାମାଜିକ ବି।

ଭିଡିଓଟିରେ ଦୃଶ୍ୟମାନ ହୋଇଥିବା ଦୃଶ୍ୟଟିକୁ ଆପଣ ନିଜେ ହିଁ ଦେଖିନିଅନ୍ତୁ। ଏଠାରେ ଆପଣଙ୍କ ସକାଶେ ଭିଡିଓଟି ଅପ୍‌ଲୋଡ କରାଯାଇଛି।

କାହାଣୀଟି ହେଉଛି ଚୀନସ୍ଥିତ ବେଜିଂର। ସେଠାରେ ଜଣେ ମହିଳା ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ଅଟକିଥିବା ବେଳେ ତାଙ୍କ କାର୍‌ ଭିତରେ ଥିବା ଏକ ଅଳିଆ ପୁଟୁଳାକୁ କାଚ ତଳକୁ କରି ବାହାରକୁ ଫୋପାଡ଼ିଲେ। ସେହି ସମୟରେ ପଛରୁ ବାଇକ୍‌ ଚଲେଇ ଆସୁଥିଲେ ଜଣେ ବାଇକ୍‌ ଚାଳକ। ସେ ମହିଳାଙ୍କ ଅଣସାମାଜିକ କାର୍ଯ୍ୟରେ କ୍ଷୁବ୍ଧ ହୋଇ ସେଠାରେ ନିଜ ବାଇକ୍‌ ରଖିଲେ। ବାଇକ୍‌ ରଖିବା ପରେ ଅଳିଆ ପୁଟୁଳାଟିକୁ ନିଜ ହାତରେ ଉଠାଇଲେ। ଉଠାଇବା ପରେ ଓଲଟା କାର୍‌ ଭିତରକୁ ଫୋପାଡ଼ିଲେ।

ଏହି ଭିଡିଓ ଦେଖିବା ପରେ ବାଇକ୍‌ ଚାଳକଙ୍କର ଅନେକ ପ୍ରଶଂସକ ବଢ଼ି ଯାଇଛନ୍ତି। ରାସ୍ତା ମଝିରେ ଅଳିଆ ଫିଙ୍ଗୁଥିବା ବ୍ୟକ୍ତିଙ୍କୁ ଏପରି ଅପମାନିତ କରିବା ଆବଶ୍ୟକ ବୋଲି କେହି କେହି ମତ ରଖିଛନ୍ତି। ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ ହୋଇଥିବା ଏହି ଭିଡିଓରେ ବାଇକ୍‌ ଚାଳକଙ୍କୁ ‘ଆଙ୍ଗ୍ରି ବାଇକର୍‌’ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର