ବିନା ଚାଳକରେ ରାସ୍ତାରେ କାର ଚାଲୁଥିବା ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ: ଟେସଲ କମ୍ପାନି ଅଟୋ ପାଇଲଟ କାର ପାଇଁ ଚର୍ଚ୍ଚାରେ ରହିଛି। ଏଭଳି ଟେକ୍ନୋଲୋଜି ଥିବା ଏକ କାର ଏପର୍ଯ୍ୟନ୍ତ ଭାରତକୁ ଆସିନାହିଁ। ମାତ୍ର ସୋସିଆଲ ମିଡିଆରେ କିଛିଦିନ ହେବ ଏକ ବିନା ଚାଳକରେ ଚାଲୁଥିବା କାରର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଡ୍ରାଇଭର ସିଟର ବାମ ପାର୍ଶ୍ବରେ ଜଣେ ବ୍ୟକ୍ତି ବସିଥିବା ବେଳେ ଚାଳକ ସିଟରେ କେହି ନାହାନ୍ତି। ଭିଡିଓଟି ତାମିଲନାଡୁରୁ ଭାଇରାଲ ହୋଇଛି। ତେବେ ସେହି ରାସ୍ତା ଦେଇ ଯାଉଥିବା ସମୟରେ କେହି ଜଣେ କାର ପଛପଟରୁ ଏହାକୁ ନିଜ କ୍ୟାମେରାରେ କୈଦ କରି ନେଇଥିଲେ।

ଟାଗୋରା ଚେରି ନାମକ ଜଣେ ଫେସବୁକ୍ ବ୍ୟବହାରକାରୀ ଏହାକୁ ସେୟାର କରିଛନ୍ତି। ଏହି ଭିଡିଓ ଆରମ୍ଭରେ ଫିଆଟର ‘ପ୍ରିମିୟର ପଦ୍ମିନୀ’  ରାଜପଥରେ ସ୍ବୟଂଚାଳିତ ଭାବେ ଗତି କରୁଥିବା ଦେଖିବାକୁ ମିଳିଛି। ଜଣେ ବୃଦ୍ଧ ଚାଳକ ପାଖରେ ଥିବା ସିଟରେ ବସିଥିବା ନଜର ଆସିଛନ୍ତି।

ପ୍ରକୃତରେ ସିଟରେ ବସିଥିବା ବୃଦ୍ଧ ଜଣକ ହିଁ କାର ଚଳାଉଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ସେ ନିଜ ସିଟ ଛାଡ଼ି କୌଶଳ ତଥା ଖୁବ୍ ସାବଧାନରେ କାର ଚଳାଉଛନ୍ତି। ଯେମିତି କି ରାସ୍ତାରେ କେହି ଦେଖିଲେ ଲାଗିବ କି କାରଟି ସ୍ବୟଂ ଚାଳିତ।

ସମ୍ବନ୍ଧିତ ଖବର