ଗତ ପାଞ୍ଚବର୍ଷ ହେଲା ଜନଜୀବନରେ ସାମାଜିକ ଗଣମାଧ୍ୟମ ପ୍ରମୁଖ ସ୍ଥାନ ହାସଲ କରିଛି। ପରସ୍ପର ସହିତ ଯୋଗସୂତ୍ର ଅତୁଟ ରଖିବାରେ ଲୋକଙ୍କୁ ସାହାଯ୍ୟ କରିବା ଲାଗି ଆରମ୍ଭ ହୋଇଥିବା ଏହି ପ୍ଲାଟ୍ଫର୍ମ ସମ୍ପ୍ରତି ଅନେକଙ୍କ ଲାଗି ଅର୍ଥ ଉପାର୍ଜନର ନିର୍ଭରଯୋଗ୍ୟ ଉତ୍ସ ପାଲଟିଛି। ଆଜିକାଲି ବୟସନିର୍ବିେଶଷରେ କୋଟିକୋଟି ଲୋକ ଛୋଟରୁ ବଡ଼ କଥା ପାଇଁ ଅନ୍ଲାଇନ୍ ‘ଇନ୍ଫ୍ଲୁଏନ୍ସର୍’ ବା ଉପଦେଷ୍ଟାଙ୍କ ପରାମର୍ଶ ଲୋଡୁଛନ୍ତି। ତେଣୁ ବହୁ ଯୁବକଯୁବତୀ ‘ଇନ୍ଫ୍ଲୁଏସର୍’ ଭାବେ କ୍ୟାରିୟର୍ ଆରମ୍ଭ କରୁଛନ୍ତି। ସବୁ କ୍ଷେତ୍ର ଭଳି ‘ଇନ୍ଫ୍ଲୁଏନ୍ସର୍’ ହେବା ଲାଗି ମଧ୍ୟ କିଛି ଦକ୍ଷତା, ଶିକ୍ଷା ଏବଂ ନିର୍ଦ୍ଦିଷ୍ଟ ଭାବେ ସାମାଜିକ ଗଣମାଧ୍ୟମ ବିଷୟରେ ଜ୍ଞାନ ରହିବା ଆବଶ୍ୟକ। ଏହାଛଡ଼ା, କେଉଁ ଉପାୟରେ ଆୟ କରିପାରିବେ ଏବଂ କେତେ ସଂଖ୍ୟାରେ ଫଲୋଅର୍ସ ବୃଦ୍ଧି କରି ପାରିବେ ଇତ୍ୟାଦି ଦିଗ ମଧ୍ୟ ‘ଇନ୍ଫ୍ଲୁଏନ୍ସର୍’ ଗୋଷ୍ଠୀରେ ଯୋଗଦେବା ଆଗରୁ ଆଗ୍ରହୀ ବ୍ୟକ୍ତିବିଶେଷ ଜାଣିବା ଉଚିତ।
‘ଇନ୍ଫ୍ଲୁଏନ୍ସର୍’ ଭାବେ ତିଷ୍ଠିବାର ଦକ୍ଷତା
ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ପ୍ରଭାବିତ ଓ ଆକର୍ଷିତ କରି ରଖିପାରିବା ଭଳି କଣ୍ଟେଣ୍ଟ୍ ତିଆରି କରିବା ଲାଗି ‘ଇନ୍ଫ୍ଲୁଏନ୍ସର୍’ଙ୍କର ଭିଡିଓଗ୍ରାଫି ଓ ଏଡିଟିଙ୍ଗ୍ ଦକ୍ଷତା ଆବଶ୍ୟକ। କଣ୍ଟେଣ୍ଟ୍ ଯେମିତି ଦର୍ଶକମାନଙ୍କୁ କାମରେ ଲାଗିପାରିବା ଭଳି ମନେହେବ, ସେଥିପ୍ରତି ମଧ୍ୟ ଇନ୍ଫ୍ଲୁଏନ୍ସର୍ ଧ୍ୟାନ ଦେବା ଜରୁରି। ତେଣୁ, ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ପରିସଂଖ୍ୟାନରୁ ପ୍ରାପ୍ତ ତଥ୍ୟାବଳିକୁ ଉତ୍ତମରୂପେ ବୁଝି ଦର୍ଶକଙ୍କ ପସନ୍ଦ ଅନୁଯାୟୀ କଣ୍ଟେଣ୍ଟ୍ ପ୍ରସ୍ତୁତ କରିବା ଆବଶ୍ୟକ। ଏ ସବୁ ହେଲେ ଜଣେ ‘ଇନ୍ଫ୍ଲୁଏନ୍ସର୍’ ଯେକୌଣସି ପ୍ଲାଟ୍ଫର୍ମରେ ଦୀର୍ଘ ଦିନ ତିଷ୍ଠି ରହିପାରିବ।
‘ଇନ୍ଫ୍ଲୁଏନ୍ସର୍’ଙ୍କ ଲାଗି ପାଠ୍ୟକ୍ରମ
‘ଇନ୍ଫ୍ଲୁଏନ୍ସର୍’ କ୍ୟାରିୟର୍ ଲାଗି ଏଯାବତ୍ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ କି ଡିଗ୍ରି ନାହିଁ। କିନ୍ତୁ, ଉଚିତ ମାର୍ଗରେ ଯିବା ଲାଗି କେତେକ ପାଠ୍ୟକ୍ରମ ଉଦୀୟମାନ ‘ଇନ୍ଫ୍ଲୁଏନ୍ସର୍’ଙ୍କୁ ଦକ୍ଷତା ଓ ଜ୍ଞାନ ପ୍ରଦାନ କରିପାରେ। ଭିଡିଓ ଏଡିଟିଙ୍ଗ୍ ହେଉଛି ‘ଇନ୍ଫ୍ଲୁଏନ୍ସିଙ୍ଗ୍’ କାର୍ଯ୍ୟର ଅବିଚ୍ଛେଦ୍ୟ ଅଂଶ। ସୁତରାଂ ସେମାନେ ଏ କୋର୍ସ କଲେ ଉପକୃତ ହେବେ। କୌଣସି ଏଜେନ୍ସି ଅଥବା ‘ଇନ୍ଫ୍ଲୁଏନ୍ସର୍’ ମାର୍କେଟିଙ୍ଗ୍ କମ୍ପାନିରେ ଶିକ୍ଷାନବିଶ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ଲାଇନ୍ କୋର୍ସରେ ଡିଜିଟାଲ୍ ମାର୍କେଟିଙ୍ଗ୍ ବିଷୟରେ ସଂପୂର୍ଣ୍ଣ ଶିକ୍ଷା ଗ୍ରହଣ କରିବା ଉଚିତ। ଏହା ‘ଇନ୍ଫ୍ଲୁଏନ୍ସିଙ୍ଗ୍’ କ୍ୟାରିୟର୍କୁ ଠିକ୍ ମାର୍ଗରେ ଅଗ୍ରସର କରାଏ। ଅତ୍ୟାବଶ୍ୟକ ଦକ୍ଷତା ବିକାଶ କରିବା ଲାଗି ଡିଜିଟାଲ୍ ଓ ସୋସିଆଲ୍ ମିଡିଆ ମ୍ୟାନେଜ୍ମେଣ୍ଟ୍ କୋର୍ସ ସବୁଠୁ ଭଲ। ତା’ ସହିତ ଅନ୍ଲାଇନ୍ରେ ଉପଲବ୍ଧ ତଥ୍ୟାବଳି ଓ ଟ୍ୟୁଟରିଆଲ୍ରୁ ଫଟୋ ଓ ଭିଡିଓ ଏଡିଟିଙ୍ଗ୍, ଟେକ୍ନୋଲୋଜି ଟୁଲ୍ ସମ୍ବନ୍ଧରେ ଜ୍ଞାନ ହାସଲ କରାଯାଇପାରିବ। ଅଧିକନ୍ତୁ, ଉପସ୍ଥାପନା ଓ କାହାଣୀ ବର୍ଣ୍ଣନା ଉପରେ ଛୋଟ ଛୋଟ ପାଠ୍ୟକ୍ରମ କେଲ ଆତ୍ମବିଶ୍ବାସ ଓ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇବ।
କେମିତି ହେବ ରୋଜଗାର
ଜଣେ ଇନ୍ଫ୍ଲୁଏନ୍ସର୍ କେତେ ଟଙ୍କା ଉପାର୍ଜନ କରିବ, ତାହା ତାଙ୍କ ଫଲୋଅର୍ସ ସଂଖ୍ୟା ଉପରେ ନିର୍ଭର କରେ। ବ୍ରାଣ୍ଡ୍ କୋଲାବରେସନ୍ ଜରିଆରେ ଉପାର୍ଜନ ସମୟ ନେଉଥିବା ହେତୁ ପ୍ରାରମ୍ଭିକ ଅବସ୍ଥାରେ ‘ଇନ୍ଫ୍ଲୁଏନ୍ସର୍’ମାନଙ୍କୁ ବିନା ଉପାର୍ଜନରେ କାମ କରିବାକୁ ପଡ଼ିପାରେ। ତେବେ ଆଜିକାଲି ଜଣେ ସାଧାରଣ ଇନ୍ଫ୍ଲୁଏନ୍ସର୍ ପୋଷ୍ଟ୍ପିଛା ୨୫,୦୦୦ରୁ ୧,୦୦,୦୦୦ ଟଙ୍କା ଦାବି କରୁଛନ୍ତି। କିନ୍ତୁ, ‘କ’ ବର୍ଗର ‘ଇନ୍ଫ୍ଲୁଏନ୍ସର୍’ମାନେ କେତେକ କ୍ୟାମ୍ପେନ୍ରେ ରିଲ୍ପିଛା ୧୨ରୁ ୧୫ ଲକ୍ଷ ଟଙ୍କା ଦାବି କରୁଥିବା ସୂଚନା ରହିଛି। ଫଲୋଅର୍ସ ସଂଖ୍ୟା ଓ ସେମାନଙ୍କ ଏନ୍ଗେଜ୍ମେଣ୍ଟ୍ ସ୍ତର ଉପରେ ‘ଇନ୍ଫ୍ଲୁଏନ୍ସର୍’ଙ୍କ ଉପାର୍ଜନ ନିର୍ଭରଶୀଳ। ୧୦,୦୦୦ରୁ କମ୍ ଫଲୋଅର୍ସ ଥିବା ‘ମାଇକ୍ରୋ-ଇନ୍ଫ୍ଲୁଏନ୍ସ୍ର୍’ମାନେ ସବୁବେଳେ ଭାଗିଦାରୀ ଓ ଅନୁବନ୍ଧିତ ମାର୍କେଟିଙ୍ଗ୍ ଜରିଆରେ କାର୍ଯ୍ୟ କରି ଅଧିକ ପ୍ରାୟୋଜିତ କଣ୍ଟେଣ୍ଟ୍ ପୋଷ୍ଟ୍ କରନ୍ତି ଏବଂ ୧୦,୦୦୦ ଫଲୋଅର୍ସ ହୋଇଗଲେ ଅର୍ଥ ପାଆନ୍ତି। ସେହିପରି, ୧ଲକ୍ଷରୁ ୧ ନିୟୁତ ଫଲୋଅର୍ସ ଥିବା ମାକ୍ରୋ-ଇନ୍ଫ୍ଲୁଏନ୍ସର୍ମାନେ ମୋଟା ଅଙ୍କ ଅର୍ଥ ଦେଇପାରୁଥିବା ଅଂଶୀଦାର ଖୋଜି ବ୍ୟବସାୟ ଚଳାନ୍ତି। ୧ ନିୟୁତରୁ ଅଧିକ ଫଲୋଅର୍ସ ଥିବା ସେଲିବ୍ରିଟି ଇନ୍ଫ୍ଲୁଏନ୍ସର୍ମାନେ ୟୁଟ୍ୟୁବ୍ ଭଳି ଉତ୍ସରୁ ଭଲ ଆୟ କରନ୍ତି।
ଇନ୍ଫ୍ଲୁଏନ୍ସର୍ଙ୍କ ସମସ୍ୟା
ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସିଙ୍ଗ୍ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପ୍ଲାଟ୍ଫର୍ମ ଉପରେ ନିର୍ଭରଶୀଳ ହେବା ବଡ଼ ବିପଦ। ତେଣୁ, ‘ଇନ୍ଫ୍ଲୁଏନ୍ସର୍’ମାନେ ଏକାଧିକ ପ୍ଲାଟ୍ଫର୍ମରେ ସକ୍ରିୟ ରହିବା ଉଚିତ। ଏହା ଫଳରେ କୌଣସି ଗୋଟିଏ ପ୍ଲାଟ୍ଫର୍ମର ମନମୁଖିତା ଯୋଗୁଁ ‘ଇନ୍ଫ୍ଲୁଏନ୍ସର୍’ଙ୍କର କ୍ୟାରିୟର୍ ପତନ ହୁଏନାହିଁ। ଏହାଛାଡ଼ା, ଫୁଲ୍-ଟାଇମ୍ କ୍ୟାରିୟର୍, ଅନିର୍ଦ୍ଦିଷ୍ଟ ଆୟ, ଲୋକପ୍ରିୟତା ଉପରେ ନିର୍ଭରଶୀଳତା ମଧ୍ୟ ଏ କ୍ଷେତ୍ରରେ ଅସୁବିଧା।