କୋଭିଡ୍‌ କାଳରେ ଶିଶୁଙ୍କ ଯତ୍ନ

କରୋନାର ପ୍ରଥମ ଲହର ବେଳେ ତମାମ ସମସ୍ୟା ଭିତରେ ଲୋକଙ୍କ ମନରେ ଗୋଟିଏ ଆଶ୍ବସ୍ତି ଥିଲା ଯେ ସେତେବେଳେ ବିଶ୍ବାସ କରା ଯାଉଥିଲା, ଛୋଟପିଲାଙ୍କୁ କରୋନା ସଂକ୍ରମଣ ହେଉନାହିଁ! କିନ୍ତୁ ଦ୍ବିତୀୟ ଲହରରେ ସେ ବିଶ୍ବାସ ଭାଙ୍ଗିଗଲା। ବର୍ତ୍ତମାନ କରୋନା ସଂକ୍ରମିତଙ୍କ ଭିତରେ ଛୋଟପିଲା ବହୁ ସଂଖ୍ୟାରେ ରହୁଛନ୍ତି। ଏପରିକି ବର୍ଷେ ହୋଇ ନଥିବା ପିଲାଙ୍କୁ ବି କରୋନା ହେଉଛି। ନିଜ ଯନ୍ତ୍ରଣା ଓ ଅନୁଭବ ବିଷୟରେ ଠିକ୍ ଜଣାଇ ପାରୁ ନଥିବା ପିଲାଙ୍କ ସୁରକ୍ଷା ଓ ଚିକିତ୍ସାକୁ ନେଇ ଅଭିଭାବକମାନେ ବେଶ୍ ଚିନ୍ତିତ ତଥା ଦ୍ବନ୍ଦ୍ବରେ ରହୁଛନ୍ତି। ସେମାନଙ୍କ ମନରେ ଉଠୁଥିବା ସେହିଭଳି କିଛି ପ୍ରଶ୍ନର ଉତ୍ତର

ପ୍ରଶ୍ନ-୧: ମୋ’ ପିଲାକୁ କୋଭିଡ-୧୯ ସଂକ୍ରମଣଠାରୁ ଦୂରରେ ରଖିବାଲାଗି କ’ଣ କରିବି?
ଉତ୍ତର: ଏ ସମୟରେ ଅଭିଭାବକମାନେ ନିଜ ପିଲାଙ୍କୁ ନେଇ ଦ୍ବନ୍ଦ୍ବ ବା ଚିନ୍ତାରେ ରହିବା ସ୍ବାଭାବିକ। ନିଜର ଓ ନିଜ ପିଲାଙ୍କ ଦ୍ବାରା କୋଭିଡ୍‌ର ସବୁ ନିୟମ ପାଳନକୁ ଗୁରୁତ୍ବ ଦିଅନ୍ତୁ। ହାତ ଧୁଅନ୍ତୁ ବା ହାତ ସାନିଟାଇଜେସନ୍ କରନ୍ତୁ ନିୟମିତ, ନାକକୁ ଭଲଭାବେ ଘୋଡ଼େଇ ମୁହଁରେ ମାସ୍କ ପିନ୍ଧନ୍ତୁ। ଭିଡ଼କୁ ଯାଆନ୍ତୁ ନାହିଁ ତଥା ସୁପାଚ୍ୟ ଓ ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ୨ ବର୍ଷରୁ ଅଧିକ ବୟସର ପିଲା ମାସ୍କ ପିନ୍ଧି ପାରିବେ।

ପ୍ରଶ୍ନ-୨: ପରିବାରର କୌଣସି ସଦସ୍ୟ କରୋନା ଆକ୍ରାନ୍ତ ହେଲେ?
ଉତ୍ତର: ଭୟଭୀତ ହୁଅନ୍ତୁନାହିଁ। ଯଦି ପରିବାରର କୌଣସି ସଦସ୍ୟ କରୋନା ପଜିଟିଭ୍ ହେଲେ, ତେବେ ବାକି ସଦସ୍ୟମାନଙ୍କର କରୋନା ଟେଷ୍ଟ ନିଶ୍ଚୟ କରନ୍ତୁ। ତା’ର ୧୪ ଦିନ ପର୍ଯ୍ୟନ୍ତ ଉପରୋକ୍ତ କ‌ରୋନା ନିୟମସବୁକୁ କଡ଼ାକଡ଼ି ପାଳନ କରନ୍ତୁ।

ଆକ୍ରାନ୍ତ ସଦସ୍ୟଙ୍କୁ ଘରେ ଏକାନ୍ତବାସରେ ରହିବାଲାଗି ନିର୍ଦ୍ଦେଶ ଦିଆ ଯାଇଥିଲେ, ତାହା ପାଳନ କରନ୍ତୁ। ତାଙ୍କ ପାଖରୁ ଛୋଟପିଲାଙ୍କୁ ଦୂରରେ ରଖନ୍ତୁ। ସେମାନଙ୍କୁ ଘର ଭିତରେ ମଧ୍ୟ ମାସ୍କ ପିନ୍ଧାନ୍ତୁ।

ପିଲାଙ୍କର ହାତ ନିୟମିତ ବ୍ୟବଧାନରେ ଧୁଅନ୍ତୁ। ସେମାନଙ୍କୁ ଘରରନ୍ଧା ସ୍ବାସ୍ଥ୍ୟକର ଖାଦ୍ୟ ଖୁଆନ୍ତୁ।

ପିଲାଙ୍କ ଦେହର ତାପମାତ୍ରା ନିୟମିତ ବ୍ୟବଧାନରେ ମାପନ୍ତୁ, ସମ୍ଭବ ହେଲେ ଲେଖି ରଖନ୍ତୁ। ତାଙ୍କଠାରେ ଦେଖା ଯାଉଥିବା ଅନ୍ୟ ପରିବର୍ତ୍ତନ ଉପରେ ନଜର ରଖନ୍ତୁ। କିଛି ବଡ଼ ପରିବର୍ତ୍ତନ ଦେଖିଲେ, ନିକଟସ୍ଥ କୌଣସି ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ।

ପ୍ରଶ୍ନ-୩: ସବୁ ପିଲାଙ୍କର କୋଭିଡ-୧୯ ପରୀକ୍ଷା କରାଇବା ଆବଶ୍ୟକ କି?
ଯଦି ପିଲା କୌଣସି କୋଭିଡ଼ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଲା କିନ୍ତୁ ତା’ଠାରେ ଫ୍ଲୁ ଭଳି କୌଣସି ଲକ୍ଷଣ ଦେଖା ଯାଉନାହିଁ, ତେବେ ତୁରନ୍ତ ତା’ର କୋଭିଡ଼ ପରୀକ୍ଷା କରିବା ଦରକାର ନାହିଁ। କିନ୍ତୁ ସଂସ୍ପର୍ଶରେ ଆସିବାର ୧୪ ଦିନ ପର୍ଯ୍ୟନ୍ତ ତା’ ଉପରେ କଡ଼ା ନଜର ରଖନ୍ତୁ। ସେହି ୧୪ ଦିନ ଭିତରେ ଯଦି ତା’ର ଜ୍ବର, କାଶ, ନାକରୁ ପାଣି, ବାନ୍ତି ବା ତରଳ ଝାଡ଼ା ଆଦି ହୁଏ, ତେବେ କୋଭିଡ-୧୯ ପରୀକ୍ଷା କରନ୍ତୁ।

ପ୍ରଶ୍ନ-୪: ପିଲାଠାରେ କୋଭିଡ଼-୧୯ ଲକ୍ଷଣ ଦେଖାଦେଲେ କ’ଣ କରିବି?
ଉତ୍ତର: ପିଲା ପାଖରେ ଫ୍ଲୁ ଭଳି ଲକ୍ଷଣ, ଯଥା, ଜ୍ବର, କାଶ, ନାକରୁ ପାଣି, ବାନ୍ତି ବା ତରଳ ଝାଡ଼ା ଆଦି ଦେଖାଗଲେ ଭୟଭୀତ ହୁଅନ୍ତୁନାହିଁ। ଅନ୍ୟକିଛି ଭୂତାଣୁ ସଂକ୍ରମଣରୁ ମଧ୍ୟ ତାହା ହୋଇପାରେ।

ପରୀକ୍ଷା ହୋଇ ନଥିଲେ ପିଲାର କୋଭିଡ-୧୯ ପରୀକ୍ଷା କରନ୍ତୁ।

ବ୍ୟକ୍ତିଗତ କରୋନା ସୁରକ୍ଷା ରୁଟିନ୍‌ ପାଳନ କରନ୍ତୁ। ପିଲାଙ୍କୁ ଘରରନ୍ଧା ସୁପାଚ୍ୟ ଖାଦ୍ୟ ଦିଅନ୍ତୁ। ସେମାନେ ଯେପରି ଯଥେଷ୍ଟ ପରିମାଣରେ ପାଣି ପିଇବେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।

ପିଲାଙ୍କ ଶରୀରର ତାପମାତ୍ରା ନିୟମିତ ଯାଞ୍ଚ କରନ୍ତୁ। ଯଦି ୧୦୦ ଡିଗ୍ର୍ରି ଫାରେନହାଇଟ୍‌ରୁ ଅଧିକ ଜ୍ବର ଥାଏ, ତେବେ ସାଧାରଣ ପାଣିରେ କପଡ଼ା ଓଦାକରି କପାଳରେ ପଟି ଦେଇ ପାରନ୍ତି ଏବଂ ପାରାସିଟାମଲ୍ ଟାବଲେଟ୍ ବା ସିରପ୍‌ ଦେଇ ପାରନ୍ତି। ପାରାସିଟାମଲର ମାତ୍ରା ବାବଦରେ କୌଣସି ଡାକ୍ତରଙ୍କ ସହିତ ପରାମର୍ଶ କରି ନିଅନ୍ତୁ।

ପ୍ରଶ୍ନ-୫: କୋଭିଡ-୧୯ରେ ଗୁରୁତର ସଂକ୍ରମିତ ସବୁ ପିଲାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ଦରକାର?
ଉତ୍ତର: ଯଦିଓ ଏ ରୋଗ ସଂପର୍କରେ ବର୍ତ୍ତମାନ ସୁଦ୍ଧା ସବୁ ତଥ୍ୟ ଜଣା ପଡ଼ିନାହିଁ, ତେବେ କୋଭିଡ-୧୯ ପଜିଟିଭ୍ ଜଣାପଡ଼ିବା ପରେ ଫ୍ଲୁର ସାଧାରଣ ଲକ୍ଷଣ ଦେଖା ଯାଉଥିବା ପିଲାଙ୍କୁ ଘରେ ରଖି ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରା ଯାଇପାରେ। କିନ୍ତୁ ପିଲାଠାରେ ପୂର୍ବରୁ ଅନ୍ୟକିଛି ଗୁରୁତର ରୋଗ ଥିଲେ ବା ସେହି ସମୟରେ ଅନ୍ୟ କୌଣସି ଅଙ୍ଗ ବିଶେଷ ଆକ୍ରାନ୍ତ ହେବା ଜଣାପଡ଼ିଲେ ଅଥବା ତା’ର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ, ଆଇସିୟୁ ଦରକାର ପଡ଼ିପାରେ।

ପ୍ରଶ୍ନ-୬: କୋଭିଡ-୧୯ ପଜିଟିଭ୍ ହେବାପରେ ପିଲାକୁ କେତେବେଳେ ହସ୍ପିଟାଲରେ ଭର୍ତ୍ତି କରିବି?
ଉତ୍ତର: – ଯଦି ପିଲାଠାରେ ଜ୍ବର, କାଶ, ନାକରେ ପାଣି, ବାନ୍ତି, ତରଳ ଝାଡ଼ା, ପେଟରେ ଯନ୍ତ୍ରଣା, ଲାଲ ଆଖି ଓ ବେକ ଫୁଲା ଆଦି ଦେଖାଯାଏ, ତେବେ ପ୍ରାଥମିକ ଅବସ୍ଥାରେ ତା’କୁ ଘରେ ରଖି ଚିକିତ୍ସା କରା ଯାଇପାରେ। ତା’ର ତାପମାତ୍ରା ନିୟମିତ ଯାଞ୍ଚକରି ଟିପି ରଖନ୍ତୁ, ସବୁ କୋଭିଡ ସୁରକ୍ଷା ନିୟମ ପାଳନ କରନ୍ତୁ, ଜ୍ବରରେ ପାଣିପଟି ଦିଅନ୍ତୁ। ଡାକ୍ତରଙ୍କ ପରାମର୍ଶରେ ପାରାସିଟାମଲ ମଧ୍ୟ ଦିଆ ଯାଇପାରେ। ତା’ ଉପରେ କଡ଼ା ନଜର ରଖନ୍ତୁ।

ଯଦି ପିଲାର ବୟସ ୧ ବର୍ଷରୁ କମ୍ ଓ ୧୦୨ ଡିଗ୍ରିରୁ ଅଧିକ ଜ୍ବର ଆସେ ବା ୩ ଦିନଧରି ଜ୍ବର ୧୦୦ ଡିଗ୍ରି ଉପରେ ରହେ ଏବଂ ନିଶ୍ବାସ ଧଇଁସଇଁ ହୁଏ, ତେବେ ନିକଟସ୍ଥ ଡାକ୍ତରଙ୍କୁ ଦେଖାନ୍ତୁ ଓ ତାଙ୍କ ପରାମର୍ଶରେ ଉପରୋକ୍ତ ଚିକିତ୍ସା ପ୍ରସ୍ତାବଗୁଡ଼ିକୁ ପାଳନ କରନ୍ତୁ।

ତେବେ ପିଲାଠାରେ ଯଦି ନିମ୍ନ‌ଲିଖିତ ଗୋଟିଏ ବି ଲକ୍ଷଣ ଦେଖା ଯାଏ, ଯଥା: ଛାତି ଭିତରକୁ ପଶିଯିବା, ମୁହଁ ବହୁତ ଶୁଖିଲା ବା ନୀଳ ହୋଇଯିବା, ଦେହହାତ ବହୁତ ଥଣ୍ଡା ପଡ଼ିଯିବା, ଆଖିଡୋଳା ଛୋଟ ହେଇଯିବା, ପାଟି ଶୁଖିଯିବା, ୩-୪ ଘଣ୍ଟାଧରି ପରିଶ୍ରା ନହେବା (୪-୫ ବର୍ଷର ପିଲାଙ୍କ ପାଇଁ), ଖାଦ୍ୟ ଆଦୌ ନଖାଇବା, ‌ଢ଼ୁଳାଇବା ବା ଅଧିକ ଶୋଇବା ବା ଅଙ୍ଗପ୍ରତ୍ୟଙ୍ଗକୁ ବିଚିତ୍ର ରୀତି‌ରେ ହଲାଇବା, ତେବେ ପିଲାକୁ ତୁରନ୍ତ ପାଖ ହସ୍ପିଟାଲକୁ ନେଇ ଯାଆନ୍ତୁ। ନେବା ଭିତରେ ପିଲାକୁ ଘୋଡ଼େଇ ଗରମ ରଖନ୍ତୁ, ସମ୍ଭବହେଲେ ବାଁ କଡ଼ମାଡ଼ି ଶୁଆନ୍ତୁ।

(ଏମ୍‌ସ, ପାଟନାର ‘କୋଭିଡ-୧୯ ମ୍ୟାନେଜମେଣ୍ଟ ପ୍ରୋଟକଲ୍‌’ରୁ)

ସମ୍ବନ୍ଧିତ ଖବର