୨୦୧୯ ବର୍ଷର ବହୁ ଚର୍ଚ୍ଚିତ ଘଟଣା

ଅଯୋଧ୍ୟା ଅଧ୍ୟାୟ
ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟ ନଭେମ୍ବର ୯ ତାରିଖରେ ରାୟ ଶୁଣାଇଥିଲେ। ବିବାଦୀୟ ୨.୭୭ ଏକର ଜମିରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେବା ସହିତ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ପ୍ରଦାନ କରିବା ଲାଗି ସରକାରଙ୍କୁ ନିର୍ଦେଶ ଦେଇଥିଲେ ସୁପ୍ରିମ୍‌ କୋର୍ଟ । ସର୍ବେ‌ାଚ୍ଚ ଅଦାଲତଙ୍କ ଏହି ରାୟ ପ‌େର ୭୦ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଅଯୋଧ୍ୟା ନ୍ୟାୟିକ ବିବାଦର ଅବସାନ ଘଟିଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସମ୍ବିଧାନ ପୀଠ ସର୍ବସମ୍ମତିକ୍ରମେ ଏହି ରାୟ ଶୁଣାଇଥିଲା। ଆହ୍ଲାବାଦ ହାଇକୋର୍ଟ ଦ୍ବାରା ବିବାଦୀୟ ଜମିକୁ ୩ ପକ୍ଷଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟିବା ରାୟକୁ ଖାରଜ କରିଦେଇଥି‌େଲ। ସୁପ୍ରିମ କୋର୍ଟଙ୍କ ଏହି ରାୟକୁ ସବୁ ପକ୍ଷ ଯେଭଳି ଗ୍ରହଣ କରିନେଲେ ତାହା ଭାରତୀୟ ଇତିହାସରେ ବିରଳ। ଏହା ସହିତ ସାଂପ୍ରଦାୟିକ ସଦଭ‌ାବର ଏକ ନୂଆ ଯୁଗ ‌ଆରମ୍ଭ ହୋଇଥିଲା।

ଅଟକିଲା ସବରିମାଳା
୨୦୧୯ରେ ମଧ୍ୟ ସବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ ଚର୍ଚ୍ଚାରେ ରହିଥିଲା। ସବୁ ବର୍ଗର ମହିଳାଙ୍କ ମନ୍ଦିର ପ୍ରବେଶ ଅନୁମତି ପାଇଁ ପୂର୍ବରୁ ସମ୍ବିଧାନ ପୀଠ ଦେଇଥିବା ରାୟକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ୨୦୧୯ ନଭେମ୍ବର ୧୪ରେ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା ପାଇଁ ଅନେକ ଆବେଦନ ହୋଇଥିବାରୁ ୭ ଜଣିଆ ବୃହତ୍‌ ଖଣ୍ଡପୀଠକୁ ଏହା ପଠାଯାଇଥିଲା। ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶକୁ ନେଇ ଇତିମଧ୍ୟରେ ଅନ୍ୟ କୌଣସି ନୂଆ ଆଦେଶ ଜାରି ହୋଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେ କହିଥିଲେ।

The Morung Express

ନିଆଁ
‘ବର୍ଷ ୨୦୧୯’ ଭାରତରେ ରାଷ୍ଟ୍ରବାଦକୁ ଏକ ନୂଆ ପର୍ଯ୍ୟାୟକୁ ନେଇଯାଇଛି। ୨୩ ମେ ୨୦୧୯ରେ ସାଧାରଣ ନିର୍ବାଚନର ଫଳାଫଳ ଆସିବା ପରେ ମେ ୩୦ରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦୀ। ଗୃହମନ୍ତ୍ରୀ ଭାବେ ଅମିତ ଶାହ ଦାୟିତ୍ବ ନେଇଥିଲେ। ୧୧ ଡିସେମ୍ବରରେ ନାଗରିକତା ସଂଶୋଧନ ବିଲ୍‌ ସଂସଦରେ ଗୃହୀତ ହେବା ସହିତ ଦେଶବ୍ୟାପୀ ଏହା ବିରୋଧରେ ଅସନ୍ତୋଷର ନିଆଁ ଦେଖିବାକୁ ମିଳିଛି। ପ୍ରଥମେ ଉତ୍ତର ପୂର୍ବ ରାଜ୍ୟରେ ବ୍ୟାପକ ହିଂସା ପରେ ଏହା ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକକୁ ବ୍ୟାପିଥିଲା ଏବଂ ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ଏହାକୁ ନେଇ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଲା।

ପାକିସ୍ତାନ, ବାଂଲାଦେଶ ଏବଂ ଆଫିଗାନିସ୍ତାନରେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଆସୁଥିବା ସଂଖ୍ୟାଲଘୁମାନଙ୍କୁ ଭାରତ ସରକାର ନାଗରିକତା ପ୍ରଦାନ କରିବାକୁ ଆଇନ ତିଆରି କରିଥିବା ବେଳେ ଏଥିରୁ ମୁସ୍‌ଲିମ୍‌ ସଂପ୍ରଦାୟକୁ ବାଦ୍‌ ଦିଆଯାଇଥିବାରୁ ଏହାକୁ ନେଇ ଦେଶରେ ବଡ଼ ଧରଣର ବିଭ୍ରାନ୍ତି ଓ ଅଶାନ୍ତି ଦେଖିବାକୁ ମିଳିଛି। ହିଂସାକାଣ୍ଡ ଯୋଗୁଁ ୨୨ ଜଣ ପ୍ରାଣ ହରାଇଥିଲେ। ଏଥିରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିଲା ଉତ୍ତର ପ୍ରଦେଶ।

ବଦଳିଗଲା ଜମ୍ମୁ-କାଶ୍ମୀରର ଚିତ୍ର
ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ସମ୍ବିଧାନର ଧାରା ୩୭୦କୁ ଅ‌ଗଷ୍ଟ ୫ ତାରିଖ ଦିନ ଉଚ୍ଛେଦ କରାଯାଇଥିଲା। ଏହାଦ୍ବାରା କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗୋଟିଏ ସାମ୍ବିଧାନିକ ବ୍ୟବସ୍ଥା ପ୍ରଚଳିତ ହୋଇଛି। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଏଭଳି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ସମଗ୍ର ବିଶ୍ବକୁ ଚମକାଇ ଦେଇଥିଲେ। କାଶ୍ମୀରରେ କେବଳ ସ୍ଥାନୀୟ ବାସିନ୍ଦାଙ୍କୁ ଘର କରିବା ଓ ସରକାରୀ ଚାକିରିରେ ମିଳୁଥିବା ସ୍ବତନ୍ତ୍ର ସୁବିଧା ସଂକ୍ରାନ୍ତ ଧାରା ୩୫-ଏକୁ ମଧ୍ୟ ସରକାର ଉଚ୍ଛେଦ କରିଥିଲେ। ଜାମ୍ମୁ-କଶ୍ମୀକୁ ଦୁଇ ଭାଗରେ ବିଭକ୍ତ କରାଯାଇ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା ଓ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ‌ଜମ୍ମୁ କାଶ୍ମୀର ଏବଂ ଲଦାଖ୍‌ରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି। ତେବେ ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲେ ମଧ୍ୟ ସେଠାରେ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ୫ ମାସ ହେଲାଣି ଅନେକ ନେତାଙ୍କୁ ଏବେ ବି ଗୃହବନ୍ଦୀ କରି ରଖାଯାଇଛି।

vox.com

ଆଇଏସ୍‌ ଯୁଗର ଅବସାନ
୨୦୧୯ ଅକ୍ଟୋବର ୨୬ ତାରିଖ ସାରା ବିଶ୍ବ ପାଇଁ ଏକ ଆଶ୍ବାସନାର ଦିନ ଥିଲା। ଆମେରିକା ସେନା ସିରିଆର ଇଦ୍‌ଲିବ୍‌ ପ୍ରଦେଶରେ ପଶି ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ୍‌-ବାଗ୍‌ଦାଦିକୁ ନିପାତ କରିବାରେ ସଫଳ ହୋଇଥିଲେ। ୨୭ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ସାମ୍ବାଦିକ ସମ୍ମିଳନୀ ଡାକି ବାଗ୍‌ଦାଦିର ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ। ସିରିଆର ଇଦ୍‌ଲିବ୍‌ ପ୍ରଦେଶର ସୁଡ଼ଙ୍ଗରେ ଲୁଚିଥିବା ବେଳେ ଆମେରିକାର ଡଗ୍‌ ସ୍କ୍ବାଡ୍ ତାର ସନ୍ଧାନ କରିବା ଜାଣିବା ପରେ ବାଗ୍‌ଦାଦି ଆତ୍ମଘାତୀ ବୋମା ବିସ୍ଫୋରଣ କରି ନିଜକୁ ଉଡ଼ାଇ ଦେଇଥିଲା। ବାଗ୍‌ଦାଦିର ମୃତ୍ୟୁ ସମଗ୍ର ବିଶ୍ବ ପାଇଁ ଆତଙ୍କ ସାଜିଥିବା ଆଇଏସ୍‌ ଯୁଗର ଅବସାନ ଘଟିଥିଲା।

Jagran Josh

ମୁସଲିମ୍‌ ମହିଳାଙ୍କୁ ନ୍ୟାୟ
୨୦୧୯ର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଥିଲା ତିନି ତଲାକ୍‌ ପ୍ରଥାର ପରିସମାପ୍ତି ପାଇଁ ଆଇନ ପ୍ରଣୟନ। ତିନି ତଲାକ୍‌ (ମୁସ୍‌ଲିମ ମହିଳା ବିବାହ ସୁରକ୍ଷା ଅଧିକାର) ବିଲ୍‌- ଜୁଲାଇରେ ସଂସଦରେ ଗୃହୀତ ହୋଇଥିଲା। ୧ ଅଗଷ୍ଟରୁ ଏହି ଆଇନ କାର୍ଯ୍ୟକାରୀ ହୋଇଛି। ଏହା ମୁସ୍‌ଲିମ ମହିଳାଙ୍କ ପାଇଁ ନ୍ୟାୟ ଏବଂ ଆତ୍ମସମ୍ମାନର ପ୍ରଶ୍ନ ଥିଲା ବୋଲି ସରକାର ସଂସଦରେ କହିଥିଲେ। ତେବେ ଏଥିରେ ରହିଥିବା ଦଣ୍ଡବିଧାନ ବ୍ୟବସ୍ଥାକୁ ନେଇ ବିବାଦ ଲାଗି ରହିଛି।

ସମ୍ବନ୍ଧିତ ଖବର