ଦୁର୍ବଳ ଇଣ୍ଟରନେଟ୍‌ ସେବା: କ୍ୟାସ୍‌ଲେସ୍‌ ଘୋଷିତ ଗାଁରେ ପୁଣି ଆରମ୍ଭ ହେଲାଣି ନଗଦ କାରବାର

ହାଇଦ୍ରାବାଦ୍‌: ବିମୁଦ୍ରାକରଣ ପରେ କେନ୍ଦ୍ର ସରକାର ଦେଶବ୍ୟାପୀ କ୍ୟାସ୍‌ଲେସ୍‌ ନେଣଦେଣକୁ ଗୁରୁତ୍ୱ ଦେଇ ଆସୁଥିଲେ । ସମସ୍ତେ ସବୁ କ୍ଷେତ୍ରରେ କିଭଳି କ୍ୟାସ୍‌ଲେସ୍‌ ବ୍ୟବସ୍ଥାକୁ ଆପଣେଇ ପାରିବେ ସେ ନେଇ ଗୁରୁତ୍ୱାରୋପ କରାଯାଇଥିଲା । ଏହି କ୍ରମରେ ମୋବାଇଲ କାରବାରକୁ ଗୁରୁତ୍ୱ ଦିଆଯିବା ପରେ ଡାଟା ଯୋଗାଣ କ୍ଷେତ୍ରରେ ମଧ୍ୟ ଅଗ୍ରଗତି ହୋଇଥିଲା । ହେଲେ ଦୁର୍ଭାଗ୍ୟବଶତଃ ଏହି  ବହୁ ଆଡମ୍ବର ଏବେ ଲଘୁକ୍ରିୟାରେ ପରିଣତ ହୋଇଛି । ଦୁର୍ବଳ ଇଣ୍ଟରନେଟ୍‌ ସେବା ଯୋଗୁ ଏବେ କ୍ୟାସ୍‌ଲେସ୍‌ ସେବା ପ୍ରଭାବିତ ହେବାକୁ ବସିଛି । ଫଳରେ ବିଗତ ଦିନରେ କ୍ୟାସ୍‌ଲେସ୍‌ ଘୋଷିତ ଗାଁ ଭାବେ ରେକର୍ଡ କରିଥିବା ଅଞ୍ଚଳଗୁଡିକରେ ଏବେ ପୁଣି ନଗଦ କାରବାର ଆରମ୍ଭ ହେଲାଣି ।

ତେଲଙ୍ଗାନାର ପ୍ରାୟ ୨୫୦ ଗ୍ରାମକୁ ବିମୁଦ୍ରାକରଣ ପରେ କ୍ୟାସ୍‌ଲେସ୍‌ ଗ୍ରାମ ଭାବେ ଘୋଷଣା କରାଯାଇଥିଲା। ପ୍ରଥମେ ପ୍ରଥମେ ଏହି ଗ୍ରାମଗୁଡିକୁ କ୍ୟାସ୍‌ଲେସ୍‌ ବ୍ୟବସ୍ଥା ଅନୁପାଳନରେ ଆଦର୍ଶ ବୋଲି ଘୋଷଣା କରିଥିଲେ ସରକାର ।

୨୦୧୬ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସରକାରୀ ଅଧିକାରୀଙ୍କୁ ସମସ୍ତ କ୍ଷେତ୍ରରେ କ୍ୟାସ୍‌ଲେସ୍‌ ବ୍ୟବସ୍ଥାକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଦେଶରେ ଏହି ନିୟମ ଲାଗୁ କରିଥିବା ରାଜ୍ୟ ମଧ୍ୟରେ ପ୍ରଥମ ହୋଇଥିଲା ତେଲଙ୍ଗାନା । ରାଜ୍ୟ ସରକାର ଏହି ବ୍ୟବସ୍ଥାକୁ ଜନାଦ୍ରୁତ କରିବାକୁ ଯାଇ ଟି.ଏସ୍‌.ଓ୍ଵାଲେଟ୍‌ ନାମକ ଏକ ମୋବାଇଲ ଆପ୍ଲିକେସନ୍‌ ମଧ୍ୟ ଲଞ୍ଚ କରିଥିଲେ । ଏହି ଆପ୍‌ ଜରିଆରେ ବିନା ସେବା କରରେ ଅର୍ଥ କାରବାର ହୋଇଥିଲା । ଏପରିକି ରାଜ୍ୟ ସରକାର ଏହି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ଯାଇ ଚଳିତ ବର୍ଷ ଜୁନ୍‌ ମାସ ପର୍ଯ୍ୟନ୍ତ ବିଭିନ୍ନ ପଥପ୍ରାନ୍ତ ସଚେତନତା ସଭାର ମଧ୍ୟ ଆୟୋଜନ କରିଥିଲେ । ହେଲେ ପରିଶେଷରେ ଏହି ବ୍ୟବସ୍ଥାରେ ଏକ ରକମର ଅବ୍ୟବସ୍ଥା ଆରମ୍ଭ ହୋଇଛି।

ମାତ୍ର ୧୦ ମାସର ଏହି ଯୋଜନାରେ ଏବେ ଇଣ୍ଟରନେଟ୍‌ ସେବାରେ ତ୍ରୁଟି ଆରମ୍ଭ ହେଲାଣି । ଫଳରେ ଅନେକ ସମୟରେ ଲିଙ୍କ୍‌ ଫେଲ୍‌ ହୋଇଯାଉଛି । ଲୋକେ ବାଧ୍ୟ ହୋଇ ଫଛକୁ ଫେରୁଛନ୍ତି । ନଗଦ କାରବାର ଉପରେ ସେମାନେ ଗୁରୁତ୍ୱ ଦେବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର