ଏମିତି କିଛି ବନ୍ଧୁଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା, ଯେଉଁମାନଙ୍କଠାରୁ ସର୍ବଦା ଦୂରେଇ ରହିବା ଉଚିତ

ଦୁନିଆରେ ପ୍ରତ୍ୟେକ ମଣିଷଙ୍କର ବନ୍ଧୁଟିଏ ରହି ଥାଆନ୍ତି। କେହି କେହି ତ ନିଜ ବନ୍ଧୁଙ୍କ ପାଇଁ ଜୀବନ ଦେବାକୁ ବି ପଛାଇ ନଥାଆନ୍ତି। ତେବେ ଏମିତି ବି କିଛି ବନ୍ଧୁ ଅଛନ୍ତି ଥାଇ ନ ଥିବା ବନ୍ଧୁ। ଯେଉଁମାନଙ୍କଠାରୁ ସର୍ବଦା ଦୂରେଇ ରହିବା ଦରକାର। ଆସନ୍ତୁ ସେମତି କିଛି ବନ୍ଧୁଙ୍କ ସମ୍ପର୍କରେ ଏବେ ଜାଣନ୍ତୁ।

ସର୍ବଦା ସମାଲୋଚନା କରୁଥିବା: ଏମିତି କିଛି ବନ୍ଧୁ ଥାଆନ୍ତି ଯେତେ ପରିଶ୍ରମ କରି ସଫଳତା ହାସଲ କଲେ ମଧ୍ୟ ସେମାନେ ସବୁବେଳେ କେବଳ ସମାଲୋଚନା ହିଁ କରିଥା’ନ୍ତି। ଏଭଳି ବନ୍ଧୁ ଅନ୍ୟର ପ୍ରଗତିକୁ ସହି ପାରି ନ ଥାନ୍ତି। ଆପଣଙ୍କ ଜୀବନଶୈଳୀ ଓ ସଫଳତାରେ ଖୁସି ହେଇପାରୁ ନ ଥିବା ବ୍ୟକ୍ତି ଆପଣଙ୍କର ଭଲ ବନ୍ଧୁ କିପରି ହୋଇ ପାରିବେ!

ନିଜ କଥାକୁ ସର୍ବଦା ଗୁରୁତ୍ୱ ଦେଉଥିବା: ଏମିତି କିଛି ବନ୍ଧୁ ଆପଣ ଦେଖିଥିବେ ଯେଉଁମାନଙ୍କ କହିବା ଅନୁସାରେ ଆପଣ ଚାଲୁଥିବା ଯାଏଁ, ସେମାନଙ୍କ କଥାକୁ ଗୁରୁତ୍ୱ ଦେଉଥିବା ଯାଏଁ ସେମାନେ ଆପଣଙ୍କ ଉପରେ ଖୁସିଥିବେ, ମାତ୍ର କେବେ ବି ଆପଣଙ୍କ କଥାକୁ ଗୁରୁତ୍ୱ ଦେଉ ନ ଥିବେ। ଏଭଳି ବନ୍ଧୁ ଆପଣଙ୍କ ପାଇଁ ଶୁଭଙ୍କର ନୁହଁନ୍ତି। ତେଣୁ ଏମାନଙ୍କଠାରୁ ଯଥାସମ୍ଭବ ଦୂରେଇ ରହିବା ଭଲ।

ସ୍ୱାର୍ଥପର ବନ୍ଧୁ: ନିଜର ସ୍ୱାର୍ଥ ହାସଲ ପାଇଁ କିଛି ବ୍ୟକ୍ତି ଅନ୍ୟମାନଙ୍କ ସହ ବନ୍ଧୁତା କରିଥା’ନ୍ତି ଏବଂ ସ୍ୱାର୍ଥ ହାସଲ ପରେ ସେମାନେ ଦୂରେଇ ଯାଆନ୍ତି। ପୁଣିଥରେ କାମ ପଡ଼ିଲେ ଏମାନେ ବନ୍ଧୁ ଭାବେ ପାଖେଇ ଆସନ୍ତି। ଏଭଳି ବନ୍ଧୁଙ୍କୁ ପ୍ରଥମରୁ ଚିହ୍ନିବା ମୁସ୍କିଲ୍‌। ତେବେ ଏମାନଙ୍କ ସହ ମିଳାମିଶା କରିବା ପରେ ଯାଇ ଏମାନଙ୍କର ସ୍ୱାର୍ଥ ବୁଝା ପଡ଼େ। ତେଣୁ ଏଭଳି ବନ୍ଧୁମାନଙ୍କଠାରୁ ଦୂରେଇ ରହିବା ଭଲ। ଏମାନଙ୍କ ସହ ବନ୍ଧୁତା କେବଳ ନିଜ ସମୟର ଅପଚୟ।

ନକାରାତ୍ମକ ଚିନ୍ତାଧାରାର ବନ୍ଧୁ: ଏମତି କିଛି ବନ୍ଧୁ ଅଛନ୍ତି, ଯେଉଁମାନେ କି ସର୍ବଦା ନକାରାତ୍ମକ ଚିନ୍ତାଧାରା ଭିତରେ ଡୁବି ରହିଥା’ନ୍ତି। ଏମାନଙ୍କ ସହ ରହିବା ଦ୍ୱାରା ଅନ୍ୟର ଚିନ୍ତାଧାରା ବି ନକାରାତ୍ମକ ହୋଇଯାଏ, ସଫଳତାର ରାସ୍ତାରେ ଯିବାକୁ ଦିଏ ନାହିଁ। ଏମାନଙ୍କୁ ପରିତ୍ୟାଗ କରିବା ଦରକାର।

ସର୍ବଦା ହଁରେ ହଁ ମାରୁଥିବା ବନ୍ଧୁ: ସର୍ବଦା ହଁରେ ହଁ ମାରୁଥିବା ଏବଂ ଆପଣ ଯେ କୌଣସି ମତ ରଖିଲେ ତାହାକୁ ବିଚାର ନ କରି ସମର୍ଥନ କରୁଥିବା ବନ୍ଧୁଙ୍କ ସହ ରହିବା ଅର୍ଥ ସମୟ ଅଯଥା ଖର୍ଚ୍ଚ କରିବା। ଯେଉଁମାନଙ୍କର ନିଜସ୍ୱ କୌଣସି ବିଚାର ନାହିଁ, ସେମାନେ ଆପଣଙ୍କୁ କିପରି ବା ସହାୟତା କରିପାରିବେ।

ଆବଶ୍ୟକ ବେଳେ ଧରା ଦେଉ ନ ଥିବା ବନ୍ଧୁ: ଏମିତି କିଛି ବନ୍ଧୁ ଅଛନ୍ତି ପ୍ରାୟ ସମୟ ପାଖରେ ଥାଆନ୍ତି, ମାତ୍ର କୌଣସି ସମସ୍ୟାରେ ପଡ଼ିଥିଲେ ତାଙ୍କର ଦେଖାଦର୍ଶନ ମିଳେ ନାହିଁ, ଏଭଳି ବନ୍ଧୁ ବେଶ୍‌ ଭୟଙ୍କର। ଏଭଳି ବନ୍ଧୁଙ୍କୁ ଜାଣିବା ପାଇଁ ଗୋଟେ ଛୋଟ ପରୀକ୍ଷା ନେଇଗଲେ ନିଶ୍ଚୟ ଜାଣିପାରିବେ।

ଶେଷରେ ଏତିକି କୁହାଯାଇ ପାରେ ଯେ ବନ୍ଧୁତାର ସଂଖ୍ୟା ବଢ଼ାଇବା ଅପେକ୍ଷା ଭଲ ବନ୍ଧୁଟିଏ ଖୋଜିନେବା ଦରକାର। ଆପଣଙ୍କ ଖୁସିରେ ଖୁସି ହେଉଥିବା, ସବୁ ସମୟରେ ଠିକ୍‌ ରାସ୍ତା ବତାଇ ପାରୁଥିବା, ସୁଖରେ ଦୁଃଖରେ ପାଖରେ ଠିଆ ହେଇ ପାରୁଥିବା ବନ୍ଧୁଟିଏ ମିଳିବା ସତରେ ଭାଗ୍ୟର କଥା।

ସମ୍ବନ୍ଧିତ ଖବର