ପାତାଳ ଭୋଜନାଳୟ : ଭୂଇଁଠାରୁ ପ୍ରାୟ ସାତ ଶହ ପଚାଶ ଫୁଟ୍‌ ତଳେ ୧୯୨୮ରୁ ଚାଲିଛି ଏହି ଭୋଜନାଳୟ

ନିଉ ମେକ୍‌ସିକୋ ଅନ୍ତର୍ଗତ ‘କାର୍ଲ‌୍‌ସବଡ୍‌ ନେସ୍‌ନାଲ୍‌ ପାର୍କ‌୍‌’ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ଏଠାରେ ଭୂଇଁଠାରୁ ପ୍ରାୟ ସାତ ଶହ ପଚାଶ ଫୁଟ୍‌ ତଳେ ଏକ ଭୋଜନାଳୟ ରହିଛି। ୧୯୨୮ରୁ ଭୋଜନାଳୟ ଚାଲିଛି। ସେଠାରେ ମାଟି ତଳେ ରହିଛି ଶହେ ଅଠରଟି ଛୋଟ-ବଡ଼ ଗୁମ୍ଫା ଏବ˚ ହଜାର ହଜାର ମାଇଲ୍‌ ଲମ୍ବର ଭୂତଳ ସୁଡ଼ଙ୍ଗ। ସେଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼ ଗୁମ୍ଫାର ନାମ ‘ବିଗ୍‌ ରୁମ୍‌’, ଯେଉଁଠି ଭୋଜନାଳୟ ଚାଲିଛି। ‘ବିଗ୍‌ ରୁମ୍‌’ର ଲମ୍ବ ୧.୨ କିଲୋମିଟର‌୍‌, ପ୍ରସ୍ଥ ୧୯୧ ମିଟର‌୍‌ ଏବ˚ ଉଚ୍ଚତା ୭୮ ମିଟର‌୍‌। ତଳକୁ ଆସିବା ପାଇଁ ଶିଡ଼ି ସହ ଏଲିଭେଟର‌୍‌ ମଧ୍ୟ ରହିଛି। ପର୍ଯ୍ୟଟକଙ୍କୁ ଖାଦ୍ୟ-ପାନୀୟ ଯୋଗାଇବା ପାଇଁ ଭୋଜନାଳୟ ଆରମ୍ଭ କରାଯାଇଥିଲା। ପ୍ରଥମାବସ୍ଥାରେ ଗୁମ୍ଫା ଭିତରେ ହିଁ ରୋଷେଇ କରାଯାଉଥିଲା। ତେବେ, ପରିବେଶ ନଷ୍ଟ ହେବା କାରଣରୁ ବନ୍ଦ କରାଯାଇଥିଲା। ଏବେ କେବଳ ବାହାରେ ରନ୍ଧା ହୋଇଥିବା ଖାଦ୍ୟ ପରିବେଷଣ କରାଯାଉଛି। ଏହା ସତ୍ତ୍ବେ ପରିବେଶ କ୍ଷୟ ରୋକାଯାଇପାରିନାହିଁ। ବହୁ ସ˚ଖ୍ୟକ ମଣିଷ ଖାଉଥିବାରୁ, ସଫେଇ କାର୍ଯ୍ୟରେ ବିଭିନ୍ନ ରାସାୟନିକ ବ୍ୟବହାର କରାଯାଉଥିବାରୁ, ପରିବେଶ ନଷ୍ଟ ହୋଇଚାଲିଛି। ଫଳରେ ଗୁମ୍ଫା ଆଉ ପ୍ରାଣୀଙ୍କର ପ୍ରାକୃତିକ ବାସସ୍ଥାନ ହୋଇରହିନାହିଁ। ୧୯୯୩ରେ ଭୋଜନାଳୟ ବନ୍ଦ କରିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ହୋଇଥିଲା। ତେବେ, ସ୍ଥାନୀୟ ବ୍ୟବସାୟୀମାନେ ଅସାଧୁ ନେତାଙ୍କୁ ହାତ କରି, ତାହା କରାଇଦେଇ ନ ଥିଲେ।

ସମ୍ବନ୍ଧିତ ଖବର