ବିବାଦ ୨୦୧୭ରୁ…

ନୂଆଦିଲ୍ଲୀ :  ସିବିଆଇ ନିର୍ଦେଶକ ଆଲୋକ ବର୍ମା ଏବଂ ତାଙ୍କର ଡେପୁଟି ତଥା ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ୨୦୧୭ରୁ ଆରମ୍ଭ ହୋଇଛି। ଗୁଜରାଟ କ୍ୟାଡର ଆଇପିଏସ୍ ଅଧିକାରୀ ଆସ୍ଥାନାଙ୍କୁ ସିବିଆଇର ସ୍ବତନ୍ତ୍ର ନିର୍ଦେଶକ ଭାବେ ନିଯୁକ୍ତିକୁ ବିରୋଧ କରିଥିଲେ ଆଲୋକ ବର୍ମା। ତାଙ୍କର ଯୁକ୍ତି ଥିଲା ଯେ ଗୁଜରାଟର ଷ୍ଟେରଲିଂ ବାୟୋଟେକ୍ ନାମକ ଏକ କଂପାନୀର କାରବାର ସହିତ ଆସ୍ଥାନା ଜଡ଼ିତ ଅଛନ୍ତି। ଟଙ୍କା ହେରଫେର ମାମଲାରେ ଉକ୍ତ କଂପାନୀ ବିରୋଧରେ ସିବିଆଇ ଯାଞ୍ଚ ଚାଲିଥିବାରୁ ଆସ୍ଥାନାଙ୍କୁ ଏହି ପଦରେ ନିଯୁକ୍ତି ଦିଆ ନଯାଉ। କିନ୍ତୁ ତାଙ୍କର ଯୁକ୍ତିକୁ ସରକାର, ଭିଜିଲାନ୍ସ କମିସନ ଓ କୋର୍ଟ ମଧ୍ୟ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କମନ୍ କକ୍ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଏହି କାରଣ ଦର୍ଶାଇ ତାଙ୍କର ନିଯୁକ୍ତିକୁ ଚାଲେଞ୍ଜ କରିଥିଲା ସୁପ୍ରିମ କୋର୍ଟରେ। କିନ୍ତୁ ସୁପ୍ରିମ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

ଆସ୍ଥାନାଙ୍କୁ ସିବିଆଇର ଦୁଇ ନମ୍ବର ପଦରେ ଅବସ୍ଥାପିତ କରିବା ଲାଗି ତାଙ୍କ ଉପରେ ଥିବା ଜଣେ ବରିଷ୍ଠ ଅଧିକାରୀଙ୍କୁ ସରକାର ସ୍ବରାଷ୍ଟ୍ର ବିଭାଗକୁ ବଦଳି କରିଦେଇଥିଲେ‌ ବୋଲି କୁହାଯାଉଛି।

ଆସ୍ଥାନାଙ୍କ ବିରୋଧରେ ଉତ୍କୋଚ ମାମଲା ଆସିବା ପରେ ତାଙ୍କ ଠାରୁ ସମସ୍ତ ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ ଦାୟିତ୍ବ କାଢ଼ି ନିଆଯାଇଛି। ତାଙ୍କ ଟିମରେ କାମ କରୁଥିବା ଅଧିକାରୀମାନଙ୍କ ସଂପର୍କରେ ସିବିଆଇ ଯାଞ୍ଚ କରିବା ଆରମ୍ଭ କରିଦେଇଛି।

ସୂଚନାଯୋଗ୍ୟ, ଦିଲ୍ଳୀର ପୂର୍ବତନ ପୋଲିସ କମିସନର ଆଲୋକ ବର୍ମା ୨୦୧୭ ଫେବୃଆରିରେ ସିବିଆଇ ନିର୍ଦେଶକ ରୂପେ ଦାୟିତ୍ବ ଗ୍ରହଣ କରିଥିଲେ।

ଇତିମଧ୍ୟରେ ଆସ୍ଥାନା ଏହି ବିବାଦ ଭିତରକୁ ସିବିଆଇର ଅତିରିକ୍ତ ନିର୍ଦେଶକ ଏକେ ଶର୍ମାଙ୍କୁ ମଧ୍ୟ ଟାଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଶର୍ମାଙ୍କ ପରିବାର ଜାଲ କଂପାନୀ କାରବାରରେ ଜଡ଼ିତ ଅଛନ୍ତି। ସିବିଆଇ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହିଁ। ତେବେ ମୁଖ୍ୟ ଭିଜିଲାନସ କମିସନ ଏହି ଅଭିଯୋଗର ତଦନ୍ତ କରୁଛନ୍ତି।

ସୂଚନାଯୋଗ୍ୟ, ଲାଲୁ ଯାଦବ ଜଡ଼ିତ ଥିବା ଗୋଖାଦ୍ୟ ଦୁର୍ନୀତି ଠାରୁ ଆରମ୍ଭ କରି ଗୋଧରା ହିଂସା, ୨୦୦୮ ଅହମ୍ମଦାବାଦ ବୋମା ବିସ୍ଫୋରଣ ଏବଂ ଆଶାରାମ ବାପୁ ଓ ତାଙ୍କ ନାରାୟଣ ସାଇ ଭଳି ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ କରିଥିଲେ ଆସ୍ଥାନା।

ଆଲୋକ ବର୍ମା ଏବଂ ଆସ୍ଥାନାଭ୍କ ମଧ୍ୟରେ ବିବାଦ ଯୋଗୁଁ ିସିବିଆଇରେ ଏକ ରକମର ଅଚଳାବସ୍ଥା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର