ସଙ୍କଟରେ ସିବିଆଇ : ରାତିଅଧିଆ ନାଟକ

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତିର ମୁକାବିଲା କରିବାକୁ ଯାଇ କେନ୍ଦ୍ର ସରକାର ରାତି ଅଧିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିରୋଧୀଦଳ ଏହାକୁ ରାତିଅଧିଆ ନାଟକ ବୋଲି କହିଛନ୍ତି। ରାତି ‌ଗୋଟାଏ ପରେ କେନ୍ଦ୍ର ସରକାର ଏକ ଆଦେଶ ଜାରି କରି ଉଭୟ ବର୍ମା ଏବଂ ଅସ୍ଥାନାଙ୍କୁ ଛୁଟିରେ ପଠାଇ ଦେଇଛନ୍ତି। ଏହାସହିତ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଏମ୍‌ ନାଗେଶ୍ବର ରାଓଙ୍କୁ ନିଯୁକ୍ତି ଦିଆଯାଇଛି। ଏହାକୁ ସୁରୁଖୁରରେ କାର୍ଯ୍ୟକାରୀ କରିବା ଲାଗି ସରକାର ପୋଲିସର ସହାୟତା ନେଇଥିଲେ। ସମଗ୍ର ସିବିଆଇ କୋଠାକୁ ପୋଲିସ ଚାରିପଟୁ ଘେରି ନେଇଥିଲା। ଏହାପରେ ସିବିଆଇ ଅଧିକାରୀମାନେ ବର୍ମା ଏବଂ ଆସ୍ଥାନାଙ୍କ ଅଫିସ ଗୃହକୁ ସିଲ୍ କରିଦେଇଥିଲେ। ଏହାସହିତ ବର୍ମାଙ୍କ ଟିମରେ ଥିବା ସମସ୍ତ ଅଧିକାରୀଙ୍କ ଅଫିସର ଚଢ଼ାଉ କରାଯାଇ ଫାଇଲପତ୍ର ଜବତ କରାଯାଇଥିଲା। ରାତି ୧ଟା ୪୫ରେ କଡ଼ା ସୁରକ୍ଷ‌ା ମଧ୍ୟରେ ନାଗେଶ୍ବରଙ୍କୁ ଅଫିସ ଅଣାଯାଇଥିଲା। ଦାୟିତ୍ବ ଗ୍ରହଣ କରିବା ମାତ୍ରେ ସେ ଅଧିକାରୀମାନଙ୍କ ମଧ୍ୟରେ ଦାୟିତ୍ବ ଅଦଳବଦଳ କରିଥିଲେ। ଏହାସହିତ ବର୍ମା ଓ ଅସ୍ଥାନାଙ୍କ ସିବିଆଇ ଅଫିସ ଆସିବାକୁ ବାରଣ କରାଯାଇଥିଲା।

ନୂଆଦିଲ୍ଲୀ : ‌ଦେଶର ସବୁଠୁ ଗୁରୁତ୍ବପୂର୍ଣ୍ଣ ତଦନ୍ତକାରୀ ଏଜେନ୍ସି ସିବିଆଇରେ ଏବେ କଳଙ୍କର ଛିଟା। ସଙ୍ଗିନ୍‌ ଲାଞ୍ଚ ମାମଲାରେ ଏହାର ଏକନମ୍ବର ଓ ଦୁଇନମ୍ବର ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଏଭଳି ପରିସ୍ଥିତିରେ ସିବିଆଇକୁ ନେଇ ଲୋକଙ୍କ ମନରେ ଯେମିତି କୌଣସି ନକାରାତ୍ମକ ଭାବନା ସୃଷ୍ଟି ନହୁଏ, ସେଥିପାଇଁ କେନ୍ଦ୍ର ସରକାର ରାତିଅଧିଆ କାର୍ଯ୍ୟାନୁଷ୍ଠାନ ନେଇ ସିବିଆଇର ବିଶ୍ବସନୀୟ ଛବିକୁ ପୂର୍ବବତ୍‌ ବଳବତ୍ତର ରଖିବାକୁ ପ୍ରୟାସ କରିଛନ୍ତି। ପ୍ରଥମ ପ୍ରୟାସ ସ୍ବରୂପ ସରକାର ଲାଞ୍ଚ ମାମଲାରେ ଫସିଥିବା ଏଜେନ୍ସିର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏବଂ ଲାଞ୍ଚ ମାମଲାକୁ ନେଇ ବିବାଦୀୟ ହୋଇପଡ଼ିଥିବା ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇଦେଇଛନ୍ତି। ଏଥିସହ ୧୩ ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି। ସିବିଆଇରେ ଥିବା କନ୍ଦଳ ଓ କଳଙ୍କକୁ ହଟାଇ ନିରପେକ୍ଷ ତଦନ୍ତ ପାଇଁ ବାଟ ସଫା କରିବାକୁ ସରକାର ଏଭଳି ପଦକ୍ଷେପ ନେଇଥିବା ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି।

ସିବିଆଇରୁ ଦୁଇ ପ୍ରମୁଖ ପଦବିଧାରୀ ଅଧିକାରୀଙ୍କୁ ଛୁଟିରେ ପଠାଇବା ପରେ ସରକାର ଏମ୍‌ ନାଗେଶ୍ବର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ରାଓ ଏବେ ସିବିଆଇରେ ଜଣେ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତ ହେବା ପରେ ରାଓ ଋଣ ଖିଲାପକାରୀ ବିଜୟ ମାଲ୍ୟା ଏବଂ ଅଗଷ୍ଟା ୱେଷ୍ଟଲାଣ୍ଡ ଭଳି ଗୁରୁତ୍ବପୂର୍ଣ୍ଣ ମାମଲାରେ ତଦନ୍ତ କରିପାରିବେ। ଜେଟ୍‌ଲି ଏ ବାବଦରେ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଥମ ଥର ପାଇଁ ଦେଶର ଏହି ଗୁରୁତ୍ବପୂର୍ଣ୍ଣ ତଦନ୍ତକାରୀ ସଂସ୍ଥାରେ ବିଚିତ୍ର ଘଟଣା ଘଟିଛି। ଦୁଇ ପ୍ରମୁଖ ଅଧିକାରୀଙ୍କ ମଧ୍ୟରେ ଏଭଳି ସ୍ଥିତି ଉପୁଜିବା ନିହାତି ପରିତାପର ବିଷୟ। ତେବେ ସିବିଆଇ ଲାଞ୍ଚ ଘଟଣାରେ ସିବିଆଇର ସେହି ପ୍ରମୁଖ ଅଧିକାରୀକୁ ତଦନ୍ତ ଦାୟିତ୍ବ ଦେବା ଉଚିତ ହେବନାହିଁ ବୋଲି ସେ ସୂଚାଇଛନ୍ତି।

‌ଜେଟ୍‌ଲି କହିଛନ୍ତି, ସିବିଆଇ କ୍ଷେତ୍ରରେ ସରକାର ନେଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। କିନ୍ତୁ ସିଭିସି ସୁପାରିସ ପରେ ହିଁ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସିବିଆଇରେ ବିଶ୍ବସନୀୟତା ବଜାୟ ରହିବା ଜରୁରୀ। ସିବିଆଇରେ ଥିବା ସଚ୍ଚୋଟତା ଯୋଗୁ ଲୋକଙ୍କର ଏହା ଉପରେ ପ୍ରଗାଢ଼ ବିଶ୍ବାସ ରହିଛି। ଏହି ବିଶ୍ବାସ ଅକ୍ଷୁଣ୍ଣ ରହିବା ଆବଶ୍ୟକ। ଏହାକୁ ସୁନିଶ୍ଚିତ କରିବା ପାଇଁ ସରକାର ଅସ୍ଥାନା ଓ ବର୍ମାଙ୍କୁ ଛୁଟିରେ ପଠାଇ ଦେଇଛନ୍ତି। ଅନ୍ୟପକ୍ଷରେ ସିବିଆଇ ଲାଞ୍ଚ ମାମଲାର ତଦନ୍ତ ହେବ। ସିଭିସି ଦ୍ବାରା ଏସ୍‌ଆଇଟି ଗଠନ କରାଯାଇ ପାରିବ। କାରଣ ସିଭିସି ନିକଟରେ ଅସ୍ଥାନା ଓ ବର୍ମାଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ରହିଛି। ଏସ୍‌ଆଇଟି ଏହି ମାମଲାର ତଦନ୍ତ ଦାୟିତ୍ବ ନେଇପାରିବ ବୋଲି ଜେଟ୍‌ଲି ସୂଚନା ଦେଇଛନ୍ତି।

ଏସ୍‌ଆଇଟି ତଦନ୍ତ ପରେ ଯଦି ଉଭୟ ଅସ୍ଥାନା ଓ ବର୍ମା ନିର୍ଦ୍ଦୋଷ ପ୍ରମାଣିତ ହୁଅନ୍ତି, ତେବେ ସେମାନଙ୍କୁ ପୁଣି ସିବିଆଇରେ ସାମିଲ କରାଯିବ ଏବଂ ସେମାନେ ନିଜ ନିଜ ପଦରେ ଅଧିଷ୍ଠିତ ହୋଇ ଦାୟିତ୍ବ ହାତକୁ ନେବେ। ନିର୍ଦ୍ଦୋଷ ପ୍ରମାଣିତ ନହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଟ୍‌ଲି କହିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଇଥିବା ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍‌ କରି ଜେଟ୍‌ଲି କହିଛନ୍ତି, ସିବିଆଇ ଅଧିକାରୀମାନେ ନିଜ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। କିନ୍ତୁ ବିରୋଧୀମାନେ ଏଭଳି ଚାହୁଛନ୍ତି। ଏ ବାବଦରେ ବିରୋଧୀମାନେ ଆଣୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସରକାର ଧାରା ୪୨ରେ ଥିବା ବ୍ୟବସ୍ଥାକୁ ବ୍ୟବହାର କରି ଏଭଳି ପଦକ୍ଷେପ ନେଇଛନ୍ତି। ରାତାରାତି ସିବିଆଇ ଅଧିକାରୀ ଅସ୍ଥାନା ଓ ବର୍ମାଙ୍କୁ ଛୁଟିରେ ପଠାଇବା ନେଇ ବିରୋଧୀମାନେ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ଜେଟ୍‌ଲି ତାହାକୁ ଖାରଜ କରି କହିଛନ୍ତି, ମୋଦୀ ସରକାର ସର୍ବଦା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଉପରେ ବିଶ୍ବାସ ରଖନ୍ତି। ଏହା ବିରୋଧୀ ଜାଣିବା ଦରକାର।

ସିଭିସି ବାବଦରେ ଜେଟ୍‌ଲି କହିଛନ୍ତି, ସିବିଆଇ ଆଇନ ଧାରା ୪୧ ଅନୁସାରେ ସିଭିସି ନିକଟରେ ତଦନ୍ତ କ୍ଷମତା ରହିଛି। ଲାଞ୍ଚ ଘଟଣା ସହିତ ଯୋଡ଼ି ହୋଇଥିବା ମାମଲାର ତଦନ୍ତ ସିଭିସି କରିପାରିବ। ତଦନ୍ତ କିଏ କରିବ, କାହାକୁ ସାକ୍ଷୀ ବନାଯିବ, ସେନେଇ ବିଚାର କରି ପଦକ୍ଷେପ ନେବା ସିଆର୍‌ପିସି ଆଧାରରେ ଉକ୍ତ ତଦନ୍ତକାରୀ ଏଜେନ୍ସି ଓ ଅଧିକାରୀଙ୍କ କ୍ଷମତା ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସିବିଆଇ ଆଜି ରାକେଶ ଅସ୍ଥାନାଙ୍କ ବିରୋଧରେ ତଦନ୍ତ ପାଇଁ ଗଠନ କରିଥିବା ଏସ୍‌ଆଇଟିରେ ଯୁଗ୍ମ ନିର୍ଦ୍ଦେଶକ ଭି ମୁର୍ଗେସନ, ଡିଆଇଜି ତରୁଣ ଗବା ଏବଂ ଏସ୍‌ପି ସତୀଶ ଡାଗର ରହିଛନ୍ତି।

ବଦଳିଲେ ୧୩ ଅଧିକାରୀ

ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଏମ୍‌ ନାଗେଶ୍ବର ରାଓ ନିଯୁକ୍ତି ପାଇବା ପରେ ୧୩ ଜଣ ଅଧିକାରୀଙ୍କୁ ତତ୍‌କ୍ଷଣାତ୍‌ ବଦଳି ଆଦେଶ ଜାରି କରିଛନ୍ତି। ସିବିଆଇ ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ଗଠନ ହୋଇଥିବା ଟିମ୍‌ରେ ଏହି ଅଧିକାରୀମାନେ ରହିଥିଲେ। ଏବେ ବିବାଦ ବଢ଼ିବା ପରେ ନିରପେକ୍ଷ ତଦନ୍ତ ପାଇଁ ଏହି ବଦଳି ଆଦେଶ କାର୍ଯ୍ୟକାରୀ ହୋଇଥିବା ସିବିଆଇ ମୁଖପାତ୍ର କହିଛନ୍ତି। ବଦଳି ହୋଇଥିବା ଅଧିକାରୀ ହେଲେ:

୧. ଡେପୁଟି ଏସ୍‌ପି ଏ କେ ବସିଙ୍କୁ ଦିଲ୍ଲୀରୁ ପୋର୍ଟ ବ୍ଲେୟାର ବଦଳି କରାଯାଇଛି। ୨. ଏଚ୍ଓବି/ଡିଆଇଜି ମନୋଜ କୁମାର ସିହ୍ନାଙ୍କୁ ନାଗପୁର ବଦଳି। ୩. ରେଞ୍ଜ୍‌ ଡିଆଇଜି ତଥା ଏଚ୍‌ଓବି ତରୁଣ ଗୌବା ଚଣ୍ଡିଗଡ଼ରୁ ଦିଲ୍ଲୀ ବଦଳି। ୪. ଡିଆଇଜି/ଏଚ୍‌ଓବି (ସେକ୍ଟର-୧) ଯଶବୀର ସିଂହଙ୍କୁ ଏଚ୍‌ଓବି, ବିଏସ୍‌ଆଣ୍ଡ୍‌ଏଫ୍‌ସିର ଅତିରିକ୍ତ ଦାୟିତ୍ବ। ୫. ଅତିରିକ୍ତ ଏସ୍‌ପି ଏସ୍‌ ଏସ୍‌ ଗୁର୍ମଙ୍କୁ ଜବଲପୁର ବଦଳି। ୬. ଡିଆଇଜି/ଏଚ୍ଓବି କେ ଆର ଚୌରାସିଆ। ୭. ଏଚ୍‌ଓବି ରାମଗୋପାଳ। ୮. ଏସ୍‌ପି ସତୀଶ ଡଗର। ୯. ଡିଆଇଜି/ଏସ୍‌ୟୁ-୧ ଅନୀଶ ପ୍ରସାଦ। ୧୦. ଜେଡି(ପି) ଅରୁଣ କୁମାର ଶର୍ମା। ୧୧. ଏଚ୍ଓଜେଡ୍‌/ଜେଡି ଏ ସାଇ ମନୋହର। ୧୨. ଏଚ୍ଓଜେଡ୍‌/ଏସି-୨ (ମୁଖ୍ୟ କାର୍ଯ୍ୟାଳୟ) ଭି ମୁରୁଗେସନ୍‌। ୧୩. ଡିଆଇଜି/ଏଚ୍‌ଓବି ଅମିତ୍‌ କୁମାର।

ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସଫେଇ ଦେଇ ସରକାର କହିଛନ୍ତି ଯେ ସିବିଆଇରେ ଚାଲିଥିବା କଳହ ଏହାର କର୍ମ ସଂସ୍କୃତି ଓ ପରିବେଶକୁ ଦୂଷିତ କରିଛି । ସିବିଆଇର ନିର୍ଦ୍ଦେଶକ ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କ ବିରୋଧରେ ଗମ୍ଭୀର ଦୁର୍ନୀତି ଅଭିଯୋଗ ଅସାଧାରଣ ଏବଂ ଅଭୂତପୂର୍ବ ସ୍ଥିତି ସୃଷ୍ଟି କରିଛି। ଏହି ସଂସ୍ଥାର ବିଶ୍ବସନୀୟତା ସଙ୍କଟରେ ପଡ଼ିଥିବାରୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଯଥୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଆଜି ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ସରକାର ଏ ବାବଦରେ ସମସ୍ତ ତଥ୍ୟ ପ୍ରମାଣ ତର୍ଜମା କରୁଛନ୍ତି ଏବଂ ସବୁକିଛି ସ୍ବଚ୍ଛ ଏବଂ ପାରଦର୍ଶୀ ଢଙ୍ଗରେ କରାଯାଉଛି ବୋଲି କୁହାଯାଇଛି। ଅନ୍ୟପକ୍ଷରେ ସବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ସିବିଆଇ ଆଜି ଏକ ଏସ୍‌ଆଇଟି ଗଠନ କରିଛି। ଏହାଦ୍ବାରା ନିରପେକ୍ଷ ଏବଂ ସ୍ବଚ୍ଛ ତଦନ୍ତ ହୋଇପାରିବ ବୋଲି ସିବିଆଇ ପ୍ରବକ୍ତା କହିଛନ୍ତି।

ଘଟଣାକ୍ରମ

ଅକ୍ଟୋବର ୧୫: ରାକେଶ ଅସ୍ଥାନାଙ୍କ ବିରୋଧରେ ସିବିଆଇର ଲାଞ୍ଚ ମାମଲା ରୁଜୁ
ଅକ୍ଟୋବର ୧୬: ଲାଞ୍ଚ କାରବାରରେ ମଧ୍ୟସ୍ଥି ସାଜିଥିବା ମନୋଜ ପ୍ରସାଦଙ୍କୁ ଗିରଫ କଲା ସିବିଆଇ
ଅକ୍ଟୋବର ୨୦: ଲାଞ୍ଚ ମାମଲାର ଅନ୍ୟତମ ଅଭିଯୁକ୍ତ ଡିଏସ୍‌ପି ଦେବେନ୍ଦ୍ର କୁମାରଙ୍କ ବାସଭବନରେ ସିବିଆଇର ଚଢ଼ଉ
ଅକ୍ଟୋବର ୨୨: ବିଭିନ୍ନ ରେକର୍ଡକୁ ଏପଟସେପଟ କରିବା ଅଭିଯୋଗରେ ଦେବେନ୍ଦ୍ର କୁମାରଙ୍କୁ ସିବିଆଇ ଗିରଫ କଲା
ଅକ୍ଟୋବର ୨୩: ନିଜ ବିରୋଧରେ ହୋଇଥିବା ଏଫ୍ଆଇଆର୍‌କୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅସ୍ଥାନା
ଅକ୍ଟୋବର ୨୩: ସିବିଆଇ ଡିଏସ୍‌ପି ଦେବେନ୍ଦ୍ର କୁମାରଙ୍କୁ ୭ ଦିନ ପାଇଁ ସିବିଆଇ ହାଜତକୁ ପଠାଗଲା
ଅକ୍ଟୋବର ୨୪: କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ର‌ାକେଶ ଅସ୍ଥାନାଙ୍କୁ ଛୁଟି‌େର ପଠାଇଲେ ଏବଂ ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ ଏମ୍‌ ନାଗେଶ୍ବର ରାଓଙ୍କୁ ନିଯୁକ୍ତ କଲେ
ଅକ୍ଟୋବର ୨୪: ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ୍‌ କରି ଆଲୋକ ବର୍ମା ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେଲେ

ସମ୍ବନ୍ଧିତ ଖବର