ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ୩ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅନ୍ୟ କେହି ନୁହେଁ, ଖୋଦ ସିବିଆଇ ପକ୍ଷରୁ ହିଁ ଏଭଳି ସଙ୍ଗିନ୍ ଅଭିଯୋଗ ଉଠିବା ଯୋଗୁ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଅସ୍ଥାନାଙ୍କ ବିରୋଧରେ ଏ ନେଇ ଏତଲା ମଧ୍ୟ ରୁଜୁ କରାଯାଇଛି। ସିବିଆଇ ଏଭଳି ସଙ୍ଗିନ୍ ଅଭିଯୋଗ ଉଠାଇବା ପୂର୍ବରୁ ୯ଟି ଫୋନ୍କଲ୍ ଏବଂ ହ୍ବାଟ୍ସଆପ୍ ମେସେଜ୍ ରେକର୍ଡ କରିଥିବା ଦାବି କରିଛି। ଏହି ଫୋନ୍କଲ୍ ଓ ମେସେଜ୍ରୁ ସ୍ପଷ୍ଟ ସୁରାକ ମିଳିବା ପରେ ହିଁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଚରମ ପଦକ୍ଷେପ ନେଇଥିଲା।
ସିବିଆଇର କହିବାନୁସାେର ଲାଞ୍ଚ ମାମଲାରେ ମଧ୍ୟସ୍ଥି ସାଜିଥିବା ମନୋଜ ପ୍ରସାଦଙ୍କୁ ଗିରଫ କରାଯିବା ପରେ ତାଙ୍କ ଭାଇ ସୋମେଶ ହଡ଼ବଡ଼ରେ ରାକେଶ ଅସ୍ଥାନାଙ୍କୁ ଫୋନ୍ କରିଥିଲେ। ହ୍ବାଟ୍ସଆପ୍ରେ ମଧ୍ୟ ଅନେକଥର ମେସେଜ୍ କରିଥିଲେ। ଫୋନ୍କଲ୍ ଓ ମେସେଜ୍ ମାଧ୍ୟମରେ ସୋମେଶ ଓ ଅସ୍ଥାନାଙ୍କ ମଧ୍ୟରେ ଅନେକ ସମୟ ଧରି କଥାବାର୍ତ୍ତା ହୋଇଥିଲା। ଅକ୍ଟୋବର ୧୬ ତାରିଖରେ ମନୋଜ ପ୍ରସାଦଙ୍କୁ ଗିରଫ କରାଯିବା ପରେ ହିଁ ତାଙ୍କ ଭାଇ ସୋମେଶ ଫୋନ୍ ମାଧ୍ୟମରେ ଅସ୍ଥାନାଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ। ଗିରଫଦାରିର କିଛି ମିନିଟ୍ ପରେ ଯୋଗାଯୋଗ ହୋଇଥିଲା। ଅସ୍ଥାନା ମଧ୍ୟ ତାଙ୍କୁ ଫୋନ୍ କରିଥିଲେ।
ଉଲ୍ଲେଖଯୋଗ୍ୟ, ବ୍ୟବସାୟୀ ସତୀଶ ସନାଙ୍କ ବୟାନ ରେକର୍ଡ କରିବା ପରେ ହିଁ ସିବିଆଇ ଅସ୍ଥାନାଙ୍କ ବିରୋଧରେ ଏତଲା ଦାଏର କରିଛି। ସନାଙ୍କ କହିବାନୁଯାୟୀ ମଧ୍ୟସ୍ଥି ମନୋଜ ପ୍ରସାଦ ୫ କୋଟି ଟଙ୍କା ଲାଞ୍ଚ ପାଇଁ ଦାବି କରିଥିଲେ। ମନୋଜ ତାଙ୍କୁ ଭରସା ଦେଇ କହିଥିଲେ ଯେ ୫ କୋଟି ଟଙ୍କା ଦେବା ପରେ ତାଙ୍କ ବିରୋଧରେ ଆଉ କୌଣସି ସମନ୍ ଆସିବ ନାହିଁ। ଏହାପରେ କ୍ଲିନ୍ ଚିଟ୍ ମଧ୍ୟ ମିଳିପାରିବ। ତେବେ ଅସ୍ଥାନା ଦୁଇମାସ ପୂର୍ବେ କ୍ୟାବିନେଟ୍ ସଚିବଙ୍କୁ ସୂଚନା ଦେଇ କହିଥିଲେ ଯେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ବ୍ୟବସାୟୀ ସତୀଶ ସନାଙ୍କଠାରୁ ୨ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି। ମାମଲାକୁ ଦଫାରଫା କରିବା ସକାଶେ ସିବିଆଇ ନିର୍ଦ୍ଦେଶକ ଲାଞ୍ଚ ଭାବେ ଏହି ଟଙ୍କା ଗ୍ରହଣ କରିଥିଲେ ବୋଲି ଅସ୍ଥାନା ଦାବି କରିଥିଲେ। କିନ୍ତୁ ସନାଙ୍କ ବୟାନ ପରେ କୋର୍ଟ ଅସ୍ଥାନାଙ୍କ ଉପରେ ହିଁ ମାମଲା ଦାଏର କରିଛନ୍ତି।
ରବିବାର ସିବିଆଇ ଦର୍ଶାଇଥିଲା ଯେ ବ୍ୟବସାୟୀ ସତୀଶ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ବୟାନ ଦେଇଛନ୍ତି। ମାମଲାରେ ତାଙ୍କ ନାମ େଯମିତି ନରହେ, ସେଥିପାଇଁ ସେ ୨୦୧୭ ଡିସେମ୍ବରରୁ ୨୦୧୮ ଅକ୍ଟୋବର ୧୦ ମାସ ମଧ୍ୟରେ ରାକେଶ ଅସ୍ଥାନାଙ୍କୁ ୨ କୋଟି ଟଙ୍କାର ଲାଞ୍ଚ ଦେଇଥିବା କହିଛନ୍ତି। ଦୁବାଇରେ ରହି ମଧ୍ୟସ୍ଥି ମନୋଜ ଏଭଳି ଯୋଗାଯୋଗ କରି ଲାଞ୍ଚ କାରବାର କରିଥିଲେ। ଦୁବାଇରୁ ଫେରିବା ପରେ ଅକ୍ଟୋବର ୧୬ରେ ତାଙ୍କୁ ଗିରଫ କରାଯାଇଛି।