ସେଲିବ୍ରିଟିଙ୍କ ରୋଷେଇଶାଳା: ଶାଶ୍ବତଙ୍କ ହାତ ତିଆରି ଲେଥା

ପଶ୍ଚିମ ଓଡ଼ିଶାବାସୀଙ୍କ ମିଠା କଥା ଓ ମିଠା ଗୀତ ଯେମିତି ଶୁଣିବାକୁ ଭଲ ଲାଗେ ଠିକ୍‌ ସେମିତି ସେମାନଙ୍କର ଖାଦ୍ୟ ବି ବେଶ୍‌ ସ୍ବାଦିଷ୍ଠ। ସେମାନେ ଟିକେ ଖଟା ଓ ରାଗ ଖାଇବାକୁ ଭଲ ପାଇଥାନ୍ତି ବୋଲି ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟଗୁରୁ ତଥା ମଡେଲ୍‌ ଶାଶ୍ବତ ଯୋଶୀ କହିଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ବାସିନ୍ଦା ଶାଶ୍ବତ ନୃତ୍ୟ ମାଧ୍ୟମରେ ଦେଶବିଦେଶରେ ପ୍ରଶଂସା ସାଉଁଟିଛନ୍ତି। କେବଳ ଓଡ଼ିଶୀ ନୁହେଁ, ସମ୍ବଲପୁରୀ ନୃତ୍ୟରେ ବି ‌ସେ ପାରଙ୍ଗମ। ଇଟାଲି, ଫ୍ରାନ୍ସ, ଫିନ୍‌ଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ହଙ୍ଗେରି ଆଦି ଦେଶରେ ନୃତ୍ୟ ପ୍ରଦର୍ଶନ କରିଥିବା ଶାଶ୍ବତଙ୍କର ରୋଷେଇ ପ୍ରତି ମଧ୍ୟ ରୁଚି ରହିଛି।

ସେ କହନ୍ତି, ‘‘ମଁୁ ବିବାହ ପୂର୍ବରୁ ରୋଷେଇ କରୁଛି। ମୋ ବଡ଼ ଭଉଣୀ ଓ ମା’ ବହୁତ ଭଲ ଭଲ ରାନ୍ଧଣା ଜାଣନ୍ତି ଓ ସୁସ୍ବାଦୁ ଭୋଜନ ପ୍ରସ୍ତୁତ କରିଥାନ୍ତି। ମଁୁ ଶୁଦ୍ଧ ଶ‌ାକାହାରୀ। ପିଆଜ ରସୁଣ ବି ଖାଏ ନାହିଁ। ସେଥିପାଇଁ ନିରାମିଷ ଭୋଜନ ପ୍ରସ୍ତୁତ କରିବାର କିଛି କିଛି ତରିକା ମତେ ମାଲୁମ୍‌। ଶାଗରେ ବିଭିନ୍ନ ପ୍ରକାର ଆଇଟମ୍‌ ମତେ ଜଣା।

ଏହା ସହିତ ଇଟାଲିଆନ୍‌ ପାସ୍ତା, ରାଜସ୍ଥାନୀ ଥାଳି ସହିତ ଓଡ଼ିଆ ଥାଳିକୁ ଖୁବ୍‌ ସୁନ୍ଦର ଭାବେ ପ୍ରସ୍ତୁତ କରିପାରିବି। ଅଲିଭ୍‌ ଅଏଲ୍‌ ଓ ଭିନେଗାର୍‌କୁ କିପରି କେଉଁ କେଉଁ ଉପାୟରେ ବ୍ୟବହାର କରାଯାଇ ପାରିବ ତାହା ମତେ ବେଶ୍‌ ଜଣା। ପଶ୍ଚିମ ଓଡ଼ିଶାର ଏକ ଲୋକପ୍ରିୟ ଆମ୍ବିଳ, ଯାହାକୁ ଆମେ ‘ଲେଥା’ ବୋଲି କହିଥାଉ, ତାହା ମତେ ବହୁତ ପସନ୍ଦ। ଚାଲନ୍ତୁ ମୁଁ ତାହା କିପରି ରାନ୍ଧେ ସେକଥା ବର୍ଣ୍ଣନା କରିବି।’’
‘‘ଏହାକୁ ପ୍ରସ୍ତୁତ କରିବା ପାଇଁ ଅମୃତଭଣ୍ଡା, କଖାରୁ, ବାଇଗଣ, ମୂଳା ଓ ଭେଣ୍ଡିକୁ ଛୋଟ ଛୋଟ ଆକାରରେ କାଟି ‌ସିଝାଇଦେବା। ଆଉ ଏକ କଡ଼େଇରେ ଅଳ୍ପ ତେଲ ପକାଇ ସେଥିରେ ଫୁଟଣ ଓ ଲଙ୍କା ଫୁଟାଇ ଟମାଟୋକୁ ଜାରି ଦେବା। କିଛି ସମୟ ଜାରିବା ପରେ ସେଥିରେ ସ୍ବାଦ ଅନୁସାରେ ଲୁଣ, ହଳଦୀ ଓ ପାଣି ପକାଇ ଫୁଟାଇଦେବା। ଏହା ପରେ ପରେ ଦହି ମିଶାଇବା। ପୁଣି କିଛି ସମୟ ଫୁଟିଲା ପରେ ସେଥିରେ ବେସନ ମିଶାଇ କମ୍‌ ଆଞ୍ଚରେ କିଛି ସମୟ ଫୁଟାଇବା। ଏହା ପରେ ସେଥିରେ ବାଉଁଶ କରଡ଼ିକୁ ମିଶାଇ ପୁଣି ଧିମା ଆଞ୍ଚରେ କିଛି ସମୟ ବସାଇବା। ୫ ମିନିଟ୍‌ ପରେ ଗ୍ୟାସ୍‌ ବନ୍ଦ କରି ଧନିଆପତ୍ର ପକାଇ ସଙ୍ଗେ ସଙ୍ଗେ ଘୋଡ଼ାଇଦେବା। ଏବେ ପ୍ରସ୍ତୁତ ହୋଇଗଲା ପଶ୍ଚିମ ଓଡ଼ିଶାର ପ୍ରିୟ ଖାଦ୍ୟ ଲେଥା।’’

‘‘ଏହି ରାନ୍ଧଣାକୁ ଆମେ ବିଭିନ୍ନ ପୂଜାପର୍ବାଣିରେ ଖାଇଥାଉ। କାରଣ ଏହା ବିନା ପିଆଜ ଓ ରସୁଣରେ ତିଆରି ହୋଇଥାଏ। କିନ୍ତୁ ଇଚ୍ଛା ମୁତାବକ ଏଥିରେ ରସୁଣ ମଧ୍ୟ ଛୁଙ୍କ ଦେଇ ପାରିବେ। ଯେହେତୁ ମଁୁ ଶାକାହାରୀ ତେଣୁ ଏଥିରେ ପିଆଜ ରସୁଣର ବ୍ୟବହାର କରେ ନାହିଁ। ରୋ‌ଷେଇକୁ ନେଇ ମତେ ଲାଗେ ଅନ୍ୟକୁ ଖୁଆଇଲେ ମନରେ ଶାନ୍ତି ଆସିଥାଏ। ଅନ୍ୟର ପେଟ ପୂରିଲେ ଆଶୀର୍ବାଦ ମିଳିଥାଏ। ସେଥିପାଇଁ ମତେ ସମୟ ମିଳିଲେ ଖୁବ୍‌ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିଥାଏ ଓ ପରଷିଥାଏ। ଲେଥା ଯେମିତି ସ୍ବାଦିଷ୍ଠ, ସେମିତି ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକାରୀ। ଅାପଣ ବି ଥରେ ଲେଥା ପ୍ରସ୍ତୁତ କରି ଗରମ ଗରମ ଖାଆନ୍ତୁ। ବହୁତ ଭଲ ଲାଗିବ।’’

ସମ୍ବନ୍ଧିତ ଖବର